କଟକ: କୁଖ୍ୟାତ ବାଇକ୍ ଲୁଟେରା ରାଜା ଓରଫ ଅଭିଶେକ ନାଇଡ଼ୁକୁ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଆଜି ଗିରଫ କରିଛି। ୨୮ ବର୍ଷୀୟ ରାଜା ସମେତ ଗ୍ୟାଙ୍ଗର ୪ ଜଣଙ୍କୁ ବି ଗିରଫ କରାଯାଇଛି। ପଟ୍ଟାପୋଲର ରାଜା ସମେତ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନର ଉମାକାନ୍ତ ବେହେରା(୨୫), ଉମାକାନ୍ତ ବେହେରା(୨୫), ମାନସ ଦଳଛତ୍ର(୨୯), ଚକାପଡ଼ାର ବୃଷଭାନୁ ମଲ୍ଲିକ(୨୦)। ଏହି ଗ୍ୟାଙ୍ଗରେ ରାଜାର ସହଯୋଗୀ ମଙ୍ଗଳାବାଗ କେଶରପୁରର ଜାଭେଦ ଓରଫ ମିରଲତିଫୁର୍ ରେହେମାନ୍ ଫେରାର ହୋଇଯାଇଛି। ଏମାନଙ୍କ ନିକଟରୁ ୫ଟି ଚୋରା ବାଇକ୍ ଜବତ ହୋଇଛି।

Advertisment

ସୂଚନା ଅନୁଯାୟୀ, କ୍ୟାଣ୍ଟନମେଣ୍ଟ ପଟ୍ଟାପୋଲ ଅଞ୍ଚଳର ବି. ସଞ୍ଜିବ ରାଓଙ୍କ ଟିଭିଏସ୍ ଆପାଚି ବାଇକ୍(ଓଡି ୦୫ ଏସି ୧୭୨୬) ଗଲା ଜାନୁଆରି ୨୫ ତାରିଖ ରାତି ପ୍ରାୟ ୧୧ଟା ବେଳେ ଘର ନିକଟରେ ରଖିଥିଲେ। ପରଦିନ ସକାଳୁ ବାଇକ୍ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ବାଇକ୍ ଖୋଜାଖୋଜି କରିଥିଲେ ସୁଦ୍ଧା ପତ୍ତା ପାଇନଥିଲେ। ଏ ସଂକ୍ରାନ୍ତରେ ସେ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗର ଲିଙ୍କ୍ ପାଇଥିଲା। ଦୁର୍ଦ୍ଦାନ୍ତ ବାଇକ୍ ଲୁଟେରା ରାଜା ଓରଫ ଅଭିଶେକ ନାଇଡୁ ବାଇକ୍ ଲୁଟ୍ କରିଥିବା ଜଣାପଡ଼ିଥିଲା। ରାଜା ସମେତ ସହଯୋଗୀ ଜାଦବ ମିଳିମିଶି ଏଭଳି କଟକର ବିଭିନ୍ନ ସ୍ଥାନରୁ ଚୋରି କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। କନ୍ଧମାଳର ଅମଲାପଡ଼ାର ମାନସ, ଉମାକାନ୍ତ ଓ ବୃଷଭାନୁ ସହଯୋଗରେ କନ୍ଧମାଳରେ ଏହି ଚୋରା ବାଇକ୍ ବିକ୍ରି କରୁଥିଲେ। ରାଜା ଗ୍ୟାଙ୍ଗ ସହିତ କନ୍ଧମାଳର ଆଉ ଏକ ଅପରାଧୀକ ଗ୍ୟାଙ୍ଗ୍ ଗଲା ୫ ବର୍ଷ ହେବ ହାତ ମିଳାଇଥିଲା। ପୁଲିସ ଏହି କୁଖ୍ୟାତ ବାଇକ୍ ଲୁଟେରା ଗ୍ୟାଙ୍ଗ୍ ନିକଟରୁ ଟିଭିଏସ୍ ଆପାଚି(ଓଡି ୦୫ ଏସି-୧୭୨୬), ହୋଣ୍ଡା ସିବି ୟୁନିକର୍ଣ୍ଣ(ଓଆର୍ ୦୫ ଏଏଲ୍ ୫୧୪୧), ୟାମା ଏଫଜେଡ୍(ଓଡି ୦୫ କେ ୪୨୩୦), ନମ୍ବର ପ୍ଲେଟ୍ ବିହୀନ ୟାମା ଫାସିନୋ ସ୍କୁଟି ଓ ହିରୋ ସ୍ପେ୍ଲଣ୍ଡର ଆଇ ସ୍ମାର୍ଟ ବାଇକ୍ ପୁଲିସ ଜବତ କରିଛି।