ଆଖି ବୁଜିଲେ ପାଟଦେଈ
କଟକ: ପିଲାଦିନୁ କଟକ ପ୍ରେମରେ ପଡ଼ିଥିଲେ
ବୀଣାପାଣି ମହାନ୍ତିଙ୍କ ପୈତୃକ ଘର କେନ୍ଦ୍ରାପଡ଼ାରେ। ବାପା ଚତୁର୍ଭୁଜ ମହାନ୍ତି ବ୍ରହ୍ମପୁରରେ ଚାକିରି କରିଥିଲେ। ସେଇଠି ବୀଣାପାଣିଙ୍କ ଜନ୍ମ। ବୀଣାପାଣି ୫ମରେ ପଢ଼ୁଥିବା ବେଳେ ବାପା ସର୍କଲ ଇନ୍ସପେକ୍ଟର୍ ଭାବେ କଟକ ବଦଳି ହୋଇଆସିଲେ। କଟକର ସେଲଟର୍ ଗାର୍ଲସ ସ୍କୁଲର ୫ମ ଶ୍ରେଣୀରେ ନାମ ଲେଖାଇଲେ। ସେହିଦିନୁ କଟକ ପ୍ରେମରେ ପଡ଼ିଥିଲେ ସେ। ତାଙ୍କ ପାଇଁ ଶିକ୍ଷା, ଅଧ୍ୟାପନା ବୃତ୍ତି, ସାରସ୍ବତ ସାଧନାର ପୀଠ କଟକ ସହର। ସେ ନିଜେ କହନ୍ତି, ଭାଗ୍ୟରେ ଥିଲେ ଜୁଟେ କଟକ। ଆଉ କଟକ ମୋତେ ସବୁ ଦେଇଛି। ଶେଷରେ କଟକ ମା’ କୋଳରେ ଚିରନିଦ୍ରାରେ ଶୋଇଗଲେ ସେ। କଟକରେ ଶେଷନିଶ୍ବାସ ତ୍ୟାଗ କରିବା ପ୍ରମାଣିତ କରୁଛି ସେ କଟକକୁ ଓ କଟକ ତାଙ୍କୁ ଭଲ ପାଇଥିଲା। ତାଙ୍କ ଭାଷାରେ କଟକ ତାଙ୍କ ସ୍ବପ୍ନର ସହର।
Sambad is now on WhatsApp
Join and get latest news updates delivered to you via WhatsApp
ସମସ୍ତଙ୍କ ଦାୟିତ୍ବ ବୁଝି ନିଜେ ଅବିବାହିତ
ସେ ସମୟରେ ଝିଅଟିଏ ପାଠପଢ଼ିବା ଏତେ ସହଜ ନଥିଲା। ପୁଣି ଲେଖିକା ହେବା ଆହୁରି କଷ୍ଟ। କିନ୍ତୁ ବୀଣାପାଣି ମହାନ୍ତି ଥିଲେ ବ୍ୟତିକ୍ରମ। ପ୍ରତିବନ୍ଧକରେ ଦବି ନଯାଇ ସଂଘର୍ଷ କରି ନିଜ ଗୋଡରେ ଠିଆ ହୋଇଥିଲେ। ଏଥିରେ ତାଙ୍କୁ ସହଯୋଗ, ସମର୍ଥନ କରିଥିଲେ ବଡ଼ ଭଉଣୀ ନିରୂପମା ରଥ ଓ ଭିଣୋଇ ଗଙ୍ଗାଧର ରଥ। ତାଙ୍କରି ଘରେ ରହି ପଢ଼ିଥିଲେ ଓ ବଢ଼ିଥିଲେ। ବଡ଼ଉଉଣୀ ନିରୂପମାଙ୍କ ପ୍ରେରଣାରେ ଲେଖିକା ଭାବେ ଆଗକୁ ବଢ଼ିଥିଲେ। ବାଲେଶ୍ବର ମହିଳା କଲେଜର ଅର୍ଥନୀତି ଅଧ୍ୟାପିକା ଭାବେ କର୍ମ ଜୀବନ ଆରମ୍ଭ ହୋଇଥିଲା ତାଙ୍କର। ବିଭିନ୍ନ କଲେଜରେ ସେ ମହିଳା ହଷ୍ଟେଲ ଅଧୀକ୍ଷକ ଥିଲେ। ହଷ୍ଟେଲରେ ଝିଅମାନଙ୍କ ଦାୟିତ୍ବ ବୁଝୁ ବୁଝୁ ନିଜ କଥା ଭୁଲିଯାଇଥିଲେ ସେ। ଆଜୀବନ କୁମାରୀ ରହିଗଲେ ବୀଣାପାଣି।
ବିଳମ୍ବରେ ମିଳିଲା ପଦ୍ମଶ୍ରୀ
ବୀଣାପାଣି ମହାନ୍ତି ପାଇଁ ପାଠକପାଠିକା ଥିଲେ ସବୁକିଛି। ସେଥିପାଇଁ ସେ ଲେଖୁଥିଲେ। ପ୍ରଥମ କବିତା, ପରେ କ୍ଷୁଦ୍ରଗଳ୍ପ, ଉପନ୍ୟାସ, ଅନୁବାଦ ସାହିତ୍ୟ ଭଳି ଅନେକ କିଛି। ପାଠକ ମଧ୍ୟ ତାଙ୍କ ଲେଖାକୁ ବେଶ୍ ପସନ୍ଦ କରୁଥିଲେ। ୨୦୨୦ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ଚୟନ କରିଥିଲେ। ସମ୍ମାନ ପାଇଁ ସେ ଦିଲ୍ଲୀ ଯାଇ ନଥିଲେ। ସରକାରଙ୍କ ପକ୍ଷରୁ ବାଦାମବାଡ଼ି ଗ୍ଲାସ୍ ପ୍ୟାଲେସ୍ ଗଳିରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥଲା। କିନ୍ତୁ ବିଳମ୍ବରେ ପଦ୍ମଶ୍ରୀ ମିଳିଥିବାରୁ ତାଙ୍କ ପାଠକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ବୃତ୍ତି ଅଧ୍ୟାପନା, ପ୍ରବୃତ୍ତି ସାହିତ୍ୟ ସାଧନା
ବୀଣାପାଣି ମହାନ୍ତି ବୃତ୍ତିରେ ଥିଲେ ଅର୍ଥନୀତି ପ୍ରାଧ୍ୟାପିକା। କିନ୍ତୁ ପ୍ରବୃତ୍ତି ଥିଲା କିନ୍ତୁ ସାରସ୍ବତ ସାଧନା। ପ୍ରଥମେ କବିତା ଲେଖିଥିଲେ। ପରେ କବିତା ସହ କ୍ଷୁଦ୍ରଗଳ୍ପ, ଉପନ୍ୟାସ ଲେଖିଲେ। ଏପରିକି ଅନେକ ପୁସ୍ତକ ସେ ଅନୁଦିତ କରିଛନ୍ତି। ତାଙ୍କର ଅନେକ ସାରସ୍ବତ କୃତି ବହୁ ବିଦେଶୀ ଭାଷାରେ ଅନୁଦିତ ହୋଇଛି। ସେ କହନ୍ତି, ‘ମୁଁ ଲେଖିଚାଲିଛି, ମୋ ଲେଖାର ସମୀକ୍ଷା ମୁଁ କରିନାହିଁ କି ମୋ ଲେଖାକୁ ଅନ୍ୟ ଲେଖକଙ୍କ ଲେଖା ସହିତ ତଉଲାଇନାହିଁ।’
ଆମିଷ ଭଲ ପାଉଥିଲେ, ବିଳମ୍ବରେ ଉଠୁଥିଲେ
ବୀଣାପାଣି ମହାନ୍ତି ଥିଲେ ଆମିଷ ପ୍ରିୟ। ମଟନ୍, ଚିକେନ୍, ମାଛ ଖାଇବାକୁ ଭଲ ପାଆନ୍ତି। ଏପରିକି ପ୍ରତିଦିନ ଆମିଷ ଖାଆନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲେଖାପଢ଼ା କରନ୍ତି। ଏବେ ଅସୁସ୍ଥତା ହେତୁ ଦୁଇମାସ ହେଲା ଲେଖାଲେଖି କରୁ ନଥିଲେ। ଶୀଘ୍ର ଶୋଇଯାଉଥିଲେ। ପରିବାର ଲୋକଙ୍କୁ ଭାରି ଭଲ ପାଉଥିଲେ। କିନ୍ତୁ ସେମାନଙ୍କ ସହ ସାହିତ୍ୟ ଆଲୋଚନା କରୁ ନଥିଲେ।
ଗତବର୍ଷ ମେ’ରେ ହାର୍ଟ ଷ୍ଟ୍ରୋକ୍ ହୋଇଥିଲା
୨୦୨୧ ମେ’ ମାସରେ ତାଙ୍କର ହାର୍ଟଆଟାକ୍(ଫାଷ୍ଟ ଷ୍ଟ୍ରୋକ୍) ହୋଇଥିଲା। ଚିକିତ୍ସା ପରେ ସୁସ୍ଥ ଥିଲେ। ସେହିବର୍ଷ ଡିସେମ୍ବରରେ ଦ୍ବିତୀୟଥର ପାଇଁ ହାର୍ଟ ଆଟାକ୍ ହେଲା। ସେଥିରୁ ବି ସୁସ୍ଥ ହୋଇଥିଲେ। ଆଜି ରାତି ଭୋଜନ ପରେ ତାଙ୍କର ତୃତୀୟ ଷ୍ଟ୍ରୋକ୍ ହୋଇଥିଲା।
ଆଜି ସତୀଚଉରାରେ ଶେଷକୃତ୍ୟ
ଆଜି ସତୀଚଉରା ଶ୍ମଶାନ୍ତରେ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ। ସଚ୍ଚିରାଉତରାୟଙ୍କଠାରୁ ଆରମ୍ଭ କରି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ସାହିତ୍ୟିକଙ୍କ ଶେଷକୃତ୍ୟ ସତୀଚଉରାରେ ସଂପନ୍ନ ହୋଇଥିବାରୁ ବୀଣାପାଣି ମହାନ୍ତିଙ୍କ ଅନ୍ତିମ ସଂସ୍କାର ସେହିଠାରେ କରାଯିବାକୁ ପରିବାର ପକ୍ଷରୁ ସ୍ଥିର ହୋଇଛି।