ଅପରାଧୀ ବୀର ପାଲ୍ ମୃତ୍ୟୁ ଘଟଣା: ହତ୍ୟାକାଣ୍ଡ କାହାଣୀ ଦ୍ବନ୍ଦ୍ବରୁ ମୁକୁଳି ପାରୁନି ପୁଲିସ!

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ବୀର ପାଲ୍‌ର ମୃତ୍ୟୁକୁ ନେଇ ଏବେ ବଡ଼ ଧରଣର ଦ୍ବନ୍ଦ୍ବ ସୃଷ୍ଟି ହେଲାଣି। ଆରମ୍ଭରୁ ମୃତ୍ୟୁ ପଛରେ ବୀର ପାଲ୍‌ର ବଡ଼ଭାଇଙ୍କୁ ନେଇ ଯେଉଁ ସନ୍ଦେହ କରାଯାଉଥିଲା, ପୁରୀଘାଟ ଥାନା ପୁଲିସ ଏବେ ତାଙ୍କୁ କ୍ଲିନ୍ ଚିଟ୍ ଦେଇଛି। ବଡ଼ଭାଇଙ୍କ ଶାରୀରିକ ଅସୁସ୍ଥତା ଥିବାରୁ ସେ ବୀରକୁ ଯେ ହତ୍ୟା କରିଥିବେ ଏହାକୁ ଗ୍ରହଣ କରିପାରୁନାହିଁ ପୁଲିସ। ଯଦିଓ ପାରିବାରିକ ବିବାଦ ଲାଗି ରହିଥିଲା, କିନ୍ତୁ ପରିବାରର କୌଣସି ସଦସ୍ୟ ଯେ ଏଭଳି ଜଘନ୍ୟ କାଣ୍ଡ ମହାନଦୀ ପଠାରେ ଘଟାଇଥିବେ-ଏହାକୁ ବର୍ତ୍ତମାନ ସୁଦ୍ଧା ପୁଲିସ ସହଜରେ ଗ୍ରହଣ କରିପାରୁନାହିଁ। ତେଲେଙ୍ଗାବଜାର ଅଞ୍ଚଳରେ ଯଦିଓ ବୀର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ଉତ୍ପାତ କରୁଥିଲା, କିନ୍ତୁ ତାକୁ ମହାନଦୀ ପଠାରେ କେହି ସ୍ଥାନୀୟ ଲୋକ ହତ୍ୟା କରିବା ଘଟଣାକୁ ବି ପୁଲିସ ସନ୍ଦେହ କରୁଛି। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ବୀର ମହାନଦୀ ପଠାରେ ନିଆଁରେ ଜଳିଲା କେମିତି? ବୀର ଜଳିଲା ପରେ ତା’ ମୁଣ୍ଡକୁ ବାଲିରେ ପୋତିଲା କିଏ?
ସୂଚନା ଅନୁଯାୟୀ, ତେଲେଙ୍ଗାବଜାର ଅଞ୍ଚଳର ୫୦ ବର୍ଷୀୟ ବୀର ପାଲ୍ ୨୦୨୦ ସେପ୍ଟେମ୍ବରରେ ନିଜ ବଡ଼ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ସେ ଘଟଣା ଏଭଳି ଥିଲା ଯେ ବଡ଼ଭାଇ ମେଡିକାଲରେ ପ୍ରାୟ ୩ ମାସ କାଳ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ବୀର ଏହି ମାମଲାରେ ଚଳିତବର୍ଷ ଏପ୍ରିଲରେ ଗିରଫ ହୋଇ ଜେଲ୍ ଯାଇଥିଲା। ୬୦ ବର୍ଷୀୟ ବଡ଼ଭାଇ କିନ୍ତୁ ଆଜି ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଠିକରେ ଚଲାବୁଲା ବି କରିପାରୁ ନାହାନ୍ତି। ଶନିବାର ବୀରର ଶବ ମହାନଦୀ ପଠାରୁ ମିଳିବା ପରେ ବଡ଼ଭାଇ ଯୋଜନାବଦ୍ଧ ଭାବେ ବୀରକୁ ହତ୍ୟା କରିଥିବା ଚର୍ଚ୍ଚା ଜୋରସୋର୍‌ ହେଉଥିଲା। କିନ୍ତୁ ପୁଲିସ ତାଙ୍କୁ ପଚରାଉଚରା ପରେ ସେଭଳି ସମ୍ପୃକ୍ତି ପ୍ରାଥମିକ ଭାବେ ନଥିବା ଜଣାପଡ଼ିଛି।

ବୀରର ପରିବାର ସଦସ୍ୟଙ୍କୁ ପୁଲିସ ଶୁକ୍ରବାର ରାତିର ଘଟଣା ସମ୍ପର୍କରେ ପଚରାଉଚରା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିଛି। ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ବୀର ଘରୁ ସାଇକଲ୍ ଧରି ବାହାରକୁ ଆସିଥିଲା। କିନ୍ତୁ କେଉଁଆଡ଼େ ଯାଉଛି, ସେ ସମ୍ପର୍କରେ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇ ନଥିବା କୁହାଯାଉଛି। ପୁଲିସ ଶନିବାର ଦିନ ପ୍ରାୟ ୧୦ଟା ବେଳେ ଶବ ଦେଖିବାକୁ ପାଇଥିଲା। ବୀର ଦେହରେ ରାତି ପ୍ରାୟ ୧୨ଟାରୁ ୨ଟା ଭିତରେ ନିଆଁ ଲାଗିଥିବା କୁହାଯାଉଛି। କିନ୍ତୁ ବଡ଼ ମେଡିକାଲ୍ ଡାକ୍ତରଙ୍କ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଶବରେ କୌଣସି ପ୍ରକାର କ୍ଷତ ଚିହ୍ନ ନାହିଁ। କୌଣସି କାରଣରୁ ଗଳା ଚିପି ହେଲେ କାନରୁ ରକ୍ତ ବାହାରିବା ସମ୍ଭାବନା ଥିବା ବେଳେ ଅନ୍ୟ ଏକ କାରଣ ଯୋଗୁଁ ବି କାନରୁ ରକ୍ତ ବାହାରିବାର ସମ୍ଭାବନା ଥିବା ଡାକ୍ତର ମତ ରଖୁଛନ୍ତି। କୌଣସି କାରଣରୁ ଯଦି ଜଣେ ବ୍ୟକ୍ତିର ଶରୀରରେ ନିଆଁ ଲାଗିଯାଏ ତେବେ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୋଇଥାଏ। ଏହି ଗ୍ୟାସର ପ୍ରଭାବ ଯୋଗୁଁ କାନରୁ ବି ରକ୍ତ ବାହାରିବା ସମ୍ଭାବନା ରହିଛି। ଜଣେ ବ୍ୟକ୍ତିର ଗଳା ଚିପାଯାଇ ନଥିଲେ ବି ଶରୀରରେ ନିଆଁ ଲାଗିବା ହେତୁ ଏଭଳି କାନରୁ ରକ୍ତ ବାହାରିବାର ସମ୍ଭାବନା ଥିବା ଡାକ୍ତର ମତ ରଖୁଛନ୍ତି। ଗୋଟିଏ ପଟେ ବୀରର ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ନଥିବା କୁହାଯାଉଥିବା ବେଳେ କାନରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଥିବାରୁ ପୁଲିସ ପାଇଁ ଏହି ଘଟଣା ଦ୍ବନ୍ଦ୍ବ ସୃଷ୍ଟି କଲାଣି।

ଆଜି ସୁଦ୍ଧା ବୀରର ଶବ ବ୍ୟବଚ୍ଛେଦ ରିପୋର୍ଟ ବଡ଼ ଡାକ୍ତରଖାନାରୁ ହସ୍ତଗତ ହୋଇନାହିଁ। ବୀର ଆଦୌ ମୋବାଇଲ୍ ବ୍ୟବହାର କରୁ ନଥିବାରୁ ଶୁକ୍ରବାର ବି ବୀର କୌଣସି ଫୋନ୍ ସାଙ୍ଗରେ ନେଇ ନଥିଲା। ତେବେ ପରିବାର ଲୋକଙ୍କ ଭିତରେ ଶୁକ୍ରବାର ରାତିରେ ହୋଇଥିବା କଥାବାର୍ତ୍ତାକୁ ପୁଲିସ ଶୁଣିବାକୁ ଉଦ୍ୟମ ଚଳାଇଛି। ଅନ୍ୟପଟେ ବୀରର ଶବରୁ ବଡ଼ ଡାକ୍ତରଖାନା ପକ୍ଷରୁ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇଛି। ପ୍ରକୃତରେ ଏହି ଶବର ବୀରର ବୋଲି ପୁଲିସ ପ୍ରମାଣ ସଂଗ୍ରହ କରିବାକୁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଯିବାକୁ ଯୋଜନା କରାଯାଉଛି। ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ବୀର ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠନ କରାଯାଇଛି। ଏଥିରେ ଏସିପି ଶୁଭନାରାୟଣ ମୁଦୁଲି ନେତୃତ୍ବ ନେଉଥିବା ବେଳେ ପୁରୀଘାଟ ଥାନା ଓ ସ୍ପେସାଲ ସ୍କ୍ବାଡ୍‌ର ଦୁଇଟି ଟିମ୍ କାମ କରୁଛି। ଏହି ଟିମ୍ ଆଜି ବୀରର ସମସ୍ତ ପରିବାର ସଦସ୍ୟଙ୍କ ସିଡିଆର୍ ଆଣି ଅନୁଧ୍ୟାନ କରୁଛି।

ସମ୍ବନ୍ଧିତ ଖବର