ସଙ୍କଟରେ ହଜାର ହଜାର ମତ୍ସ୍ୟଜୀବୀ ପରିବାର; ପୁନରୁଦ୍ଧାର ଯୋଜନା ନାହିଁ, ବିରୂପା ପାଲଟିବ ମୃତ ନଈ!

କଟକ/ଜଗତପୁର: ମହାନଦୀର ଶାଖା ନଦୀ ବିରୂପା, ଜଗତପୁର ନିକଟରୁ ଆରମ୍ଭ ହୋଇ ଚୌଦ୍ୱାର ମଧ୍ୟ ଦେଇ ଦୀର୍ଘ ୨୪ କିଲୋମିଟର ପ୍ରବାହିତ ହୋଇ ଯାଜପୁର, କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି l ଏହି ନଦୀ ଉପରେ ନିର୍ଭର କରି ହଜାର ହଜାର ମସ୍ୟଜୀବୀ ପରିବାର ଜୀବିକ ନିର୍ବାହ କରି ଆସୁଥିଲେ। କିନ୍ତୁ କାଳକ୍ରମେ ଏବେ ବିରୂପା ନଦୀର ଶଯ୍ୟା ପୋତି ହେବାରେ ଲାଗିଛି l ବ୍ୟାରେଜର ଉପର ମୁଣ୍ଡରେ ଗଭୀର ଜଳ ଥିବାବେଳେ ତଳଭାଗ ଶୁଖିଲା ପଡ଼ିଛି l ବ୍ୟାରେଜ୍‌ର ତଳଭାଗ ବିରୂପା ଗର୍ଭ ଗଦାଗଦା ବାଲିରେ ପୋତି ହୋଇ ନଦୀର ପ୍ରଖର ସ୍ରୋତ ହ୍ରାସ ପାଇବା ସହିତ ନଦୀର ମୁଖ୍ୟ ସ୍ରୋତ ଦୁଇଟି କ୍ଷୀଣ ଧାରରେ ପ୍ରବାହିତ ହେଉଛି। ଏପରି ସମସ୍ୟା ଲାଗି ରହିଲେ ପୁରୀ ଜିଲ୍ଲାର ପ୍ରାଚୀ ନଦୀ ପରି ବିରୂପା ବି ଏକ ମୃତ ନଦୀରେ ପରିଣତ ହେବ। ପ୍ରତିବର୍ଷ ନଦୀରୁ ମାଛ ଧରିବା ପାଇଁ ସରକାରଙ୍କ ପକ୍ଷରୁ ନିଲାମ କରାଯାଉଥିଲେ ମଧ୍ୟ ନଦୀଶଯ୍ୟା ପୋତି ହୋଇ ଶୁଷ୍କ ହୋଇ ଯାଇଥିବାରୁ ମସ୍ୟଜୀବୀ ପରିବାର ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କଲା ଭଳି ସରକାର କୌଣସି ଯୋଜନା କରୁ ନାହାନ୍ତି।

ନିଜର ବୃତ୍ତି ବଞ୍ଚାଇବାକୁ ନିଲାମ ଧରୁଥିବା ମସ୍ୟଜୀବୀ ସର୍ବନିମ୍ନ ଆୟ ଜୁଟାଇ ପାରୁ ନାହାନ୍ତି।
ଚୌଦ୍ୱାର ମସ୍ୟଜୀବୀ ସମବାୟ ସମିତିର ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ ସମିତିର କାର୍ଯ୍ୟଧାରା ଆଗଭଳି ଚାଲୁ ନାହିଁ। ବିରୂପା ନଦୀ ପ୍ରତି ସରକାରଙ୍କ ଅଣଦେଖା ଯୋଗୁଁ ନଈ ଧୀରେ ଧୀରେ କେନାଲର ରୂପ ନେଲାଣି। ସରକାର ଏହାର ଉନ୍ନତିକରଣ ପାଇଁ ଯୋଜନା ପ୍ରସ୍ତୁତ କରି ବିରୂପା ଗର୍ଭରୁ ବାଲି ଉତ୍ତୋଳନ କଲେ ହୁଏତ ନଦୀ ପୂର୍ବ ପରି ଚିରସ୍ରୋତା ହୋଇପାରିବ। ହଜାର ହଜାର ମସ୍ୟଜୀବୀ ପରିବାର ଏହାର ସୁଫଳ ପାଇବେ। ଜଗତପୁର ଖର୍ଦ୍ଦାସାହି ବାସିନ୍ଦା ତଥା ମସ୍ୟଜୀବି ସମ୍ପ୍ରଦାୟ ମୁରଲୀଧର ତରାଇ, ରସାନନ୍ଦ ମଲିକ, ଡଙ୍ଗା ଚାଳକ ବାବୁରାମ ବେହେରା, ଚୌଦ୍ୱାର ବଡ଼ବଜାର ବାସିନ୍ଦା ତଥା ମସ୍ୟଜୀବି ଅକ୍ଷୟ ନାୟକ ମଧ୍ୟ ଅନୁରୂପ ମନ୍ତବ୍ୟ  ଦେଇ ବିରୂପା ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି l କଟକ ଗଣ୍ଡରପୁରସ୍ଥିତ ବ୍ୟାରେଜ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାହୁ କହିବା ଅନୁଯାୟୀ ବିରୂପା ଖନନ ପାଇଁ ବର୍ତ୍ତମାନ ସେଭଳି କୌଣସି ଯୋଜନା ହୋଇ ନାହିଁ। କିନ୍ତୁ ନଦୀ ମଧ୍ୟରେ ଜମି ରହୁଥିବା ଗଦାଗଦା ବାଲିକୁ ତଡ଼ାଯାଇ ପାରିଲେ ନିଶ୍ଚିତ ଭାବେ ବିରୂପାର ପୂର୍ବ ସ୍ଥିତି ଫେରି ଆସିବ। କିନ୍ତୁ ସରକାରୀସ୍ତରରେ ଯୋଜନା ପ୍ରସ୍ତୁତ ହେଲେ ଯାଇ ତାହାକୁ ଏଠି କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର