କଟକ-ମହାନଦୀବିହାର, ୭।୯(ଇମିସ): ଦୁଇ ବର୍ଷ ପରେ ଖୁଦୁରୁକୁଣୀ ଭସାଣିକୁ ନେଇ ଦୁଲୁକିଲା ଚାଉଳିଆଗଂଜ। ତିନି ଦିନର ବିଭିନ୍ନ କାର୍ଯ୍ୟକ୍ରମ ପରେ ଆଜି ଜାକଜମକରେ ଚାଉଳିଆଗଂଜ ଅଞ୍ଚଳରେ ଖୁଦୁରୁକୁଣୀ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଛି। ଅଞ୍ଚଳର ୧୭ଟି ପୂଜା ମଣ୍ଡପରେ ପୂଜା ପାଉଥିବା ଖୁଦୁରୁକୁଣୀଙ୍କୁ ଭସାଣି ଶୋଭାଯାତ୍ରାରେ ନେଇ ବିସର୍ଜନ କରାଯାଇଛି। ଆଜି ଦିନ ଗୋଟାଏ ସୁଦ୍ଧା ଅଞ୍ଚଳର ଥଟ୍ଟାରି ସାହି, ସାହୁ ଲେନ, ମହାନ୍ତି ସାହି, ଭାଗବତ ସାହି, ଆର୍ତ୍ତତ୍ରାଣ ଲେନ, ବାଘମୁଣ୍ଡା ସାହି, ମଙ୍ଗଳା ସାହି, ତଳସାହି (୧), ତଳସାହି (୨), ରାଧାକୃଷ୍ଣ ଲେନ, ଅପର୍ଣ୍ଣା ନଗର, ତଳଘର ସାହି, ମଠ ପାଟଣା, କୁଞ୍ଜବିହାରୀ ଲେନ, ପାତ୍ର ଲେନ, ରାଧାମୋହନ ଲେନ, ପୃଷ୍ଟି ଲେନର ମେଢ଼ ଚାଉଳିଆଗଞ୍ଜ ଖେଳ ପଡିଆରେ ପହଞ୍ଚିବା ପରେ ନମ୍ବର ଅନୁଯାୟୀ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଚାଉଳିଆଗଞ୍ଜ ଖେଳ ପଡିଆରୁ ସବୁ ମେଢ଼ ବାହାରି ମଠ ସାହି, ସାହି ଛକ, ଥଟ୍ଟାରି ସାହି, ନିଳାଦ୍ରୀ ବିହାର, କୈବଲ୍ୟ ବିହାର, ଅପର୍ଣ୍ଣାନଗର, ଦୁର୍ଗାଛକ, ତଳ ସାହିରେ ପହଁଚିବା ପରେ କୃତ୍ରିମ ପୋଖରୀରେ ବିସର୍ଜିତ ହୋଇଥିଲେ।
ଭସାଣି ସମୟରେ ଆଜି  ଜୋନ୍‌-୧ ଏସିପି ଅରୁଣ କୁମାର ସ୍ୱାଇଁ, ଏସିପି ଅଜୟ କୁମାର ଦାସ, ଏସିପି ତାପସ ଚନ୍ଦ୍ର ପ୍ରଧାନ, ଆଇଆଇସି ଶଶୀକାନ୍ତ ରାଉତ, ଥାନା ଏସଆଇ ନିଳାଞ୍ଚଳ ଜେନା, ଥାନା ସ୍କ୍ବାଡ୍ ବିଶ୍ୱଜିତ ସାମନ୍ତରାୟ, ନିଲୁ ନାୟକ, ଅନିଲ କୁମାର ନାଥ, ଅବିନାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷା କରିଥିଲେ। ଚାଉଳିଆଗଞ୍ଜରେ ଖୁଦୁରୁକୁଣୀ ମେଳଣ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବାରୁ ପୂଜା କମିଟି ସମ୍ପାଦକ ନିରଞ୍ଜନ ସାହୁ (ଶିବ) ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Advertisment

ଭସାଣି ବେଳେ ବିଦ୍ୟୁତ୍ କାଟ୍‌କୁ ନେଇ ପ୍ରତିକ୍ରିୟା

ଚାଉଳିଆଗଂଜ ଅଞ୍ଚଳରେ ଆଜି ମେଢ ‌ଭସାଣି ଶୋଭାଯାତ୍ରା ଚାଲିଥିବା ସମୟରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ୍ ହୋଇଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୂର୍ବରୁ ଭସାଣି ସମୟରେ ବିଦ୍ୟୁତ ବିଭାଗ ସହଯୋଗ କରି ଆସୁଥିବା ବେଳେ ଏଥର ଏଭଳି ବିଦ୍ୟୁତ୍ କାଟ୍ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଥିଲା। ମେଢ ଯାଉଥିବାରୁ ସୁରକ୍ଷା ଦୃଷ୍ଟିରୁ ମେଢ କାଳେ ତାରରେ ବାଜିବ, ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଥିଲା। କିନ୍ତୁ ଏଭଳି ଘଟଣା ପୂର୍ବରୁ କେବେ ଘଟି ନଥିଲା ବୋଲି କହିଛନ୍ତି ପୂର୍ବତନ କର୍ପୋରେଟର ଚିରଂଜୟ ସାହୁ। ଶ୍ରୀ ସାହୁ କହିଛନ୍ତି ଯେ ବର୍ଷ ବର୍ଷ ଧରି ଚାଉଳିଆଗଂଜର ଖୁଦୁରୁକୁଣୀ ମେଳଣ ପାଳିତ ହୋଇ ଆସୁଥିବା ବେଳେ ଏଠି ହଜାର ହଜାର ଲୋକଙ୍କ ସମାଗମ ହୁଏ। ଉପରେ ଏବେ ବିଦ୍ୟୁତ ତାର କେବୁଲ୍ ବ୍ୟବସ୍ଥା କରାଯାଇଛି। ଏଭଳି ସ୍ଥିତିରେ ସାମନ୍ୟ ସତର୍କତାମୂଳକ ନଜରରେ ବି ଭସାଣିରେ କୌଣସି ସମସ୍ୟା ହେବାର ନାହିଁ। କିନ୍ତୁ ତାହା ନକରି ଅଞ୍ଚଳରେ ବିଦ୍ୟୁତ କାଟ କରିବା ସଂପୂର୍ଣ୍ଣ ଅସଂଗତ ତଥା ଅବାସ୍ତବ ବୋଲି ଶ୍ରୀ ସାହୁ କହିଛନ୍ତି। ଦଶହରା ଭସାଣି ସମୟରେ ସାରା ସହରକୁ କ’ଣ ବିଦ୍ୟୁତ ବିଭାଗ ଅନ୍ଧାର କରି ଦେବ କି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।