ଓଡ଼ିଶାରେ କ୍ରିପ୍ଟୋ ମୁଦ୍ରା ଠକେଇ, ପୋଛି ନେଇଛନ୍ତି ୫ କୋଟିରୁ ଅଧିକ ଟଙ୍କା

ଫସିଛନ୍ତି ୧ ହଜାର ଛାତ୍ରଛାତ୍ରୀ; କ୍ରାଇମ୍‌ବ୍ରାଞ୍ଚର ଦ୍ବାରସ୍ଥ, ପ୍ରଥମେ ଟଙ୍କା ଉଠାଣ ବନ୍ଦ, ଏବେ ୱେବ୍‌ସାଇଟ୍ ଅଚଳ

କଟକ: କ୍ରିପ୍ଟୋ ମୁଦ୍ରାରେ ପୁଞ୍ଜି ଲଗାଇଲେ ଟଙ୍କା ୪୦ରୁ ୪୫ ଦିନରେ ଦୁଇ ଗୁଣ ହେବାର ଥୋପ ପକାଇ ଓଡ଼ିଶାରେ ୧ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ସାଇବର୍ ଅପରାଧୀମାନେ ଠକିଛନ୍ତି। ବିଟ୍ ଟୋକେନ୍ କ୍ଲବ ନାଁରେ ଠକ ସଂସ୍ଥା ଓଡ଼ିଶାରେ ୪ଟି ହ୍ବାଟସଆପ୍ ଗ୍ରୁପ ଖୋଲି ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛି। ଠକେଇର ଶିକାର ହୋଇଥିବା ଛାତ୍ରଛାତ୍ରୀମାନେ ଏବେ କ୍ରାଇମବ୍ରାଞ୍ଚ ସାଇବର୍ ସେଲର ଫେରାଦ ହୋଇଛି। ବିଦେଶୀ ସାଇବର୍ ଅପରାଧୀଙ୍କ ଏଭଳି ଠକେଇରେ ସିଧାସଳଖ ସମ୍ପୃକ୍ତି ଥିବାରୁ ଟଙ୍କା ଫେରସ୍ତ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନିଶ୍ଚିତତା ଦେଖା ଦେଇଛି। ସେୟାର ବଜାରରେ ପୁଞ୍ଜି ନିବେଶ କରି ଜମାକାରୀ ଯେଭଳି ଅର୍ଥ ରୋଜଗାର କରୁଛନ୍ତି ସେହିଭଳି କ୍ରିପ୍ଟୋ ମୁଦ୍ରାରେ ପୁଞ୍ଜି ଲଗାଇ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ବଜାରକୁ ଆସିଥିବା ଠକ ସଂସ୍ଥା ବିଟ୍ ଟୋକେନ୍ କ୍ଲବ https://btytoken.club/ ନାଁରେ ଏକ ଓ୍ବେବସାଇଟ୍ ଖୋଲି ଯୁବ ଛାତ୍ରଛାତ୍ରୀଙ୍କୁ ଠକି ଦେଇଛି। ଭୁବନେଶ୍ବରର ଏକ ଆଇଟି କମ୍ପାନିର ଜଣେ କର୍ମଚାରୀଙ୍କ ମାଧ୍ୟମରେ ଗଲା ମାର୍ଚ୍ଚରେ ଏହି କମ୍ପାନି ଓଡ଼ିଶାରେ ୪ଟି ହ୍ବାଟସଆପ୍ ଗ୍ରୁପ କରି ଜମାକାରୀଙ୍କ ନେଟଓ୍ବାର୍କ ବଢ଼ାଇ ଥିଲା। ବର୍ତ୍ତମାନ ଓଡ଼ିଶାରେ ବିଟିଓ୍ବା କ୍ଲବ୍, ବିଟଫୁରି କ୍ଲବ୍, ବିଟିଆଇ ଟୋକେନ୍ କ୍ଲବ ଇତ୍ୟାଦି ନାଁରେ ହ୍ବାଟସଆପ୍ ଗ୍ରୁପରେ ୧ ହଜାର ପାଖାପାଖି ଜମାକାରୀ ସଦସ୍ୟ ଅଛନ୍ତି। ସମସ୍ତେ ଏହି ଓ୍ବେବସାଇଟରେ ନିଜ ମୋବାଇଲ୍ ନମ୍ବର ଦେଇ ଆକାଉଣ୍ଟ ଖୋଲିବା ପରେ ଟଙ୍କା ଦୁଇ ଗୁଣ ହେବାର ଲୋଭରେ ଟଙ୍କା ଲଗାଇଛନ୍ତି। ସେୟାର ବଜାରରେ ସେୟାର କିଣିଲା ଭଳି ଏଥିରେ ୫୮୦ ଟଙ୍କାରୁ ଆରମ୍ଭ କରି ୨ ହଜାର ୫୦୦, ୮ ହଜାର ୫୦୦, ୧୩ ହଜାର ୮୦୦, ୨୯ ହଜାର ୫୦୦, ୫୮ ହଜାର ୮୦୦, ୯୭ ହଜାର ୭୦୦, ୧ ଲକ୍ଷ ୬୯ ହଜାର, ୩ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସେୟାର କିଣିଛନ୍ତି ଜମାକାରୀ। ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଲୋଭରେ ପ୍ରତି ଜମାକାରୀ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ନିବେଶ କରିଛନ୍ତି। ଠକ ସଂସ୍ଥା ଛାତ୍ରଛାତ୍ରୀଙ୍କ ନିକଟରୁ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛି। ଯେଉଁ ଟଙ୍କା ଲଗାଯାଇଛି, ଏହା ପ୍ରତି ୪୦ରୁ ୪୫ ଦିନରେ ଭିତରେ ଦୁଇ ଗୁଣ କିମ୍ବା ଅଧିକ ହେବାର ଲୋଭ ଦେଖାଇଥିଲା ସଂସ୍ଥା। ଏହା ସହିତ ଦୈନିକ ୨୩ ଟଙ୍କା ଲେଖାଏ ଜମାକାରୀଙ୍କ ଆକାଉଣ୍ଟ ଓ୍ବାଲେଟକୁ ଆସିବା ନେଇ ବି ପ୍ରତିଶ୍ରୁତି ଥିଲା। ଟଙ୍କା ଲୋଭରେ ଜମାକାରୀ ଗଲା ମାର୍ଚ୍ଚରୁ ଜୁନ ଯାଏ ଟଙ୍କା ଲଗାଇଥିଲେ। ଟଙ୍କା ଯେତେବେଳେ ଓ୍ବାଲେଟରୁ ଉଠାଣ କରି ନିଜ ବ୍ୟାଙ୍କ ଆକାଉଣ୍ଟକୁ ଜମାକାରୀ ଆଣିବାକୁ ଚାହୁଁଥିଲେ ୨୪ ଘଣ୍ଟା ଭିତରେ ଏହି ଟଙ୍କା ଆସୁଥିଲା। କିନ୍ତୁ ଗଲା ୧ ତାରିଖରୁ ନିୟମ ବଦଳି ୭୨ ଘଣ୍ଟା କରି ଦିଆଗଲା।

୧୦ ତାରିଖ ଯାଏ ୭୨ ଘଣ୍ଟା ପରେ ଓ୍ବାଲେଟରୁ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା। ପରେ ଓ୍ବାଲେଟରୁ ଟଙ୍କା ଉଠାଣ ପ୍ରକ୍ରିୟା କମ୍ପାନି ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା। ଗଲା ରବିବାର ରାତିରେ ଉପରୋକ୍ତ ଓ୍ବେବସାଇଟ୍ ସମ୍ପୂର୍ଣ୍ଣ ଅଚଳ କରି ଦିଆଯାଇଛି। ଠକେଇର ଶିକାର ଛାତ୍ରଛାତ୍ରୀ କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ପରିବାର ସଦସ୍ୟଙ୍କ ଅଗୋଚରରେ ଟଙ୍କା ଲଗାଇ ଠକେଇର ଶିକାର ହୋଇଥିବାରୁ ସାମନାକୁ ଆସିବାକୁ ସେମାନେ ଭୟ କରୁଛନ୍ତି। ଭୁବନେଶ୍ବରର ଜମାକାରୀ ପ୍ରଦୀପ କୁମାରଙ୍କ କହିବା ଅନୁଯାୟୀ, ଏହି ଓ୍ବେବସାଇଟର ଓ୍ବାଲେଟରୁ ଯେତେବେଳେ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିଲା ସେତେବେଳେ ନିର୍ଦ୍ଦିଷ୍ଟ ଭାବେ କମ୍ପାନି ଆକାଉଣ୍ଟରୁ ନଆସି ଏକାଧିକ ଆକାଉଣ୍ଟରୁ ଆସୁଥିଲା। ଟଙ୍କା ଯେତେବେଳେ ଜମାକାରୀ ଏହି ଓ୍ବେବସାଇଟରେ ଜମା କରୁଥିଲେ, ସେତେବେଳେ ବି ଏକାଧିକ ଆକାଉଣ୍ଟକୁ ଟଙ୍କା ଯାଉଥିଲା। ଠକ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲି ଟଙ୍କା ହଡ଼ପ୍ କରିଥିବା ସନ୍ଦେହ କରାଯାଉଛି। ଓଡ଼ିଶା ଭଳି ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆସାମରେ ମଧ୍ୟ ଏଭଳି ଠକେଇ ହୋଇଥିବା ପ୍ରଦୀପ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର