ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ପ୍ରତିଦିନ କଟକ ଆସୁଛନ୍ତି ୩୦୦: ପ୍ରମାଣପତ୍ର ପାଇଁ ଦୌଡ଼ିଦୌଡ଼ି ନୟାନ୍ତ, ଖର୍ଚ୍ଚାନ୍ତ

କଟକ: ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ପ୍ରତିଦିନ ୩୦୦ ଲୋକ କଟକ ଆସୁଛନ୍ତି। ବାଲେଶ୍ବରରୁ ବଲାଙ୍ଗୀର, ମାଲକାନଗିରିରୁ ପୁରୀ; ଯାହାର ବି କଟକ ବଡ଼ ଡାକ୍ତରଖାନା ବା କଟକର କୌଣସି ଘରୋଇ ମେଡିକାଲ/ନର୍ସିଂହୋମ୍‌ରେ ମୃତ୍ୟୁ ହେଉଛି ଅଥବା ଶିଶୁ ଜନ୍ମ ହେଉଛି, ସେମାନଙ୍କ ସଂପର୍କୀୟଙ୍କୁ ମୃତ୍ୟୁ ଓ ଜନ୍ମ ପ୍ରମାଣପତ୍ର ପାଇଁ କଟକ ଆସିବାକୁ ପଡୁଛି। ଆବେଦନ କରିବାକୁ ଆସୁଥିବା ବ୍ୟକ୍ତି ଏଥିପାଇଁ ବାରମ୍ବାର ଆସି ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। କଟକ ମହାନଗର ନିଗମ କାର୍ଯ୍ୟାଳୟରେ ଏ ନେଇ ଆବେଦନ କରୁଛନ୍ତି। ଏହି ବ୍ୟବସ୍ଥା ଭିତରେ ଏସସିବିରେ ‘ଡେଥ୍ ରିପୋର୍ଟ’ରେ ଅନେକ ସମୟରେ ତ୍ରୁଟିପୂର୍ଣ୍ଣ ତଥ୍ୟ ରହୁଥିବାରୁ ସଂଶୋଧନ ପାଇଁ ଏକାଧିକ ଥର କଟକ ଆସିବାକୁ ପଡୁଛି। ସମଗ୍ର ରାଜ୍ୟରୁ ପ୍ରମାଣପତ୍ରଟିଏ ନେବାକୁ ଗସ୍ତରେ ଜଣେ ବ୍ୟକ୍ତିଙ୍କୁ ୩ ରୁ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ସରକାର ଏ ନେଇ ଅନ୍‌ଲାଇନ୍‌ ବ୍ୟବସ୍ଥା କରିଥିଲେ ବି ସଚେତନତା ଅଭାବରୁ ଲୋକଙ୍କର ତାହା ଉପରେ ଭରସା ପାଉ ନାହିଁ। ତା’ଛଡ଼ା, ଅନ୍‌ଲାଇନ୍‌ରେ ମିଳୁଥିବା ସାର୍ଟିଫିକେଟ୍‌ରେ କିଛି ତ୍ରୁଟି ରହିଲେ ଅଧିକ ଭୋଗିବାକୁ ପଡ଼ିବା ଆଶଙ୍କାରେ ଲୋକେ କଟକ ଆସି ପ୍ରମାଣପତ୍ର ନେବାକୁ ଅଧିକ ଉଚିତ୍‌ ମଣୁଛନ୍ତି। ସରକାର ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କଲେ କଟକରେ ଚିକିତ୍ସିତ ରୋଗୀଙ୍କ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ପାଇଁ କଟକ ଆସିବାକୁ ପଡନ୍ତା ନ‌ାହିଁ ବୋଲି ଏଠାକୁ ଆବେଦନ ପାଇଁ ଆସିଥିବ‌ା ଲୋକେ ମତ ରଖିଛନ୍ତି।
ତଥ୍ୟ ମୁତାବକ, କଟକ ବଡ଼ଡାକ୍ତରଖାନା (ଏସ୍‌ସିବି) ରାଜ୍ୟର ସର୍ବବୃହତ ରେଫେରାଲ୍‌ ମେଡିକାଲ ହୋଇଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁସଂଖ୍ୟକ ରୋଗୀ ଏଠାକୁ ଆସନ୍ତି। ସନ୍ତାନ ପ୍ରସବ ପାଇଁ ପ୍ରସୂତିମାନେ ଆସିଥା’ନ୍ତି। ଚିକିତ୍ସ‌ା ପାଇଁ ଗୁରୁତର ରୋଗୀ ଏଠାକୁ ଆସିଥା’ନ୍ତି। ଏଥି ସହିତ ଏଠାରେ ଥିବା ଘ‌ରୋଇ ନର୍ସିଂହୋମ ଓ ମେଡିକାଲରେ ସନ୍ତାନ ଜନ୍ମ ନେଇଥାଆନ୍ତି।

କଟକ ବଡଡ‌ାକ୍ତରଖାନା, ସିଟି ହସ୍ପିଟାଲ ଓ ସମସ୍ତ ଘରୋଇ ମେଡିକାଲମାନଙ୍କରୁ ପ୍ରତିଦିନ ହାରାହାରି ୨ଶହରୁ ଅଧିକ ସନ୍ତାନ ଜନ୍ମ ନେଇ ଥାଆନ୍ତି। ତଥ୍ୟ ମୁତାବକ, କଟକ ମହାନଗର ନିଗମ ଅଞ୍ଚଳରେ ଥିବା ମେଡିକ‌ାଲମାନଙ୍କରେ ହେଉଥିବା ଜନ୍ମ ଓ ମୃତ୍ୟୁକୁ ମିଶାଇ ପ୍ରତିଦିନ ୩୦୦ ଆବେଦନ ‌ହେଉଛି। ସେଥରୁ ୨୦୦ ଅଫ୍‌ଲାଇନ୍‌ ଆବେଦନ ହେଉଥିବା ବେଳେ ମାତ୍ର ୧୦୦ଟି ଦରଖାସ୍ତ ଅନ‌୍‌ଲାଇନ‌୍‌ରେ ଆସୁଛି। ଅନ୍‌ଲାଇନ୍‌ ଆବେଦନରେ ଭୁଲ ରିପୋର୍ଟ ଥିଲେ ସେମାନଙ୍କ ପରିବାର ଲୋକ ସଂଶୋଧନ ପାଇଁ ଆସିବାକୁ ପଡୁଛି। ଅନ୍‌ଲାଇନ୍‌ ଆବେଦନ କରୁଥିବ‌ା ବ୍ୟକ୍ତିଙ୍କୁ ଆଧାରକାର୍ଡ ଓ ଡିସଚାର୍ଜ ରିପୋର୍ଟ ଅପଲୋଡ୍‌ କରି ଆବେଦନ କରିବାକୁ ପଡିଥାଏ। ପରେ ସେମାନଙ୍କ ମୋବାଇଲକୁ ଏକ ଭେରିଫିକେସନ୍‌ କୋଡ୍‌ ଯାଇଥାଏ। ଅଧିକାଂଶ ଲୋକ ଏହାକୁ ମଧ୍ୟ ଦେଖିପାରି ନଥା’ନ୍ତି। ବିଶେଷ କରି ସାଧାରଣ ମୋବାଇଲ ବ୍ୟବହାର କରୁଥିବା ଲୋକ ଏହି ଅନ୍‌ଲାଇନ୍‌ ଆବେଦନର ଲାଭ ନେଇ ପାରି ନଥା’ନ୍ତି। ପ୍ରତିଦିନ ୩୦୦ ଲୋକଙ୍କୁ ପ୍ରମାଣପତ୍ର ପାଇଁ କଲବଲ ହେବାକୁ ପଡୁଛି। କଟକ ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ, ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ‌ରୋଗୀ ଆସୁଛନ୍ତି। ସରକାର ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା, କଟକରେ ଜନ୍ମ ହେଉଥିବା ନବଜାତକଙ୍କ ଜନ୍ମ ପ୍ରମାଣପତ୍ର ସେମାନଙ୍କ ତହସିଲରୁ ପ୍ରଦାନ କରିବା, ଡିସଚାର୍ଜ ରିପୋର୍ଟଗୁଡିକ କଟକରୁ ଜିଲ୍ଲାସ୍ତରକୁ ପଠାଇବାରେ ବ୍ୟବସ୍ଥା କରାଗଲେ ଲୋକଙ୍କୁ ଏ ସମସ୍ୟା ଭ‌ୋଗିବାକୁ ପଡନ୍ତା ନାହିଁ ବୋଲି ବୁଦ୍ଧିଜୀବୀ ମତ ରଖୁଛନ୍ତି। ୫-ଟି ଅଧୀନରେ ଏହାକୁ ବ୍ୟବସ୍ଥିତ କରାଯାଇ ଲୋକଙ୍କୁ ସୁବିଧା ଦେବାକୁ ସାଧାରଣ‌ରେ ଦାବି ହୋଇଛି।

ସମ୍ବନ୍ଧିତ ଖବର