ବୈଜୟନ୍ତ ଉଖାରିଲେ ମାଡ଼ତତ୍ତ୍ୱ, ସ୍ୱାଗତ କାର୍ଯ୍ୟକ୍ରମରେ ବିଜେପି, କଂଗ୍ରେସ କର୍ମୀ
କଟକ/ନିଶ୍ଚିନ୍ତକୋଇଲି : ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସାଂସଦ ବୈଜୟନ୍ତ ପଣ୍ଡା ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକଙ୍କ ଛକାପଞ୍ଝା ଭିତରେ ଉଦ୍ଘାଟିତ ହୋଇଛି ନିଶ୍ଚିନ୍ତକୋଇଲି ବ୍ଲକ୍ ବୁହାଳୋ ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପ। ୨୪ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ଏହି ପ୍ରକଳ୍ପକୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ନିରୂପମା ଓଝା ଉଦ୍ଘାଟନ କରିଥିଲେ।
ଏହି ପାଣି ଟାଙ୍କି ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମ କିନ୍ତୁ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏହି କାର୍ଯ୍ୟକ୍ରମ ସଙ୍କେତ ଦେଇଛି ଯେ ବିଜୁ ଜନତା ଦଳର ରଣକୌଶଳ ବଦଳିଗଲାଣି। କାରଣ ଗତ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମକୁ ନେଇ ହଟଚମଟ ଜାରି ରହିଥିଲା। ସ୍ଥାନୀୟ ବିଜେଡି ନେତାମାନେ ଏହି କାର୍ଯ୍ୟକ୍ରମକୁ ବାତିଲ୍ କରିବା ଲାଗି ପ୍ରଶାସନର ହସ୍ତକ୍ଷେପ ଲୋଡ଼ିବା ପରେ ଚର୍ଚ୍ଚା ଜୋର ଧରିଥିଲା। ଆଶଙ୍କା ପ୍ରକାଶ ପାଉଥିଲା, ଆଜି ଏଠାରେ ରକ୍ତାକ୍ତ ସଂଘର୍ଷ ହୋଇପାରେ। ଏପରିକି ପ୍ରଶାସନ ୧୪୪ ଧାରା ଜାରି କରିବା କଥା ବି ଚର୍ଚ୍ଚା ଭିତରେ ଥିଲା। ପ୍ରତିହିଂସା ଓ ଆକ୍ରମଣାତ୍ମକ ପଦକ୍ଷେପ ବଦଳରେ ସ୍ଥାନୀୟ ବିଜେଡି ନେତାମାନେ ଆଜି ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ ଜଣାଇଥିଲେ। ବିଜେଡି ନେତ୍ରୀ ସୌଭାଗିନୀ ସେନାପତିଙ୍କ ନେତୃତ୍ୱରେ ମହିଳା କର୍ମୀ ନିଶ୍ଚିନ୍ତକୋଇଲି ବଜାରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସାମ୍ନାରେ କଳାପଟି ବାନ୍ଧି ପ୍ଲାକାର୍ଡ ଧରି ନିରବ ପ୍ରତିବାଦ ଜଣାଇଥିଲେ।
ଏହା ସତ୍ତ୍ୱେ ଉଭୟ ସ୍ଥାନୀୟ ନେତା ଏବଂ ତୃତୀୟ ମହଲାକୁ ଅତ୍ୟନ୍ତ ଶାଣିତ ଢଙ୍ଗରେ ପ୍ରତି ଆକ୍ରମଣ କରିଥିଲେ ସାଂସଦ ବୈଜୟନ୍ତ ପଣ୍ଡା। ଉଦ୍ଘାଟନ କାର୍ଯ୍ୟକ୍ରମ ଶେଷରେ ପ୍ରତିକ୍ରିୟା ରଖି ସାଂସଦ ତୃତୀୟ ମହଲାର ଅଧିକାରୀଙ୍କ ପ୍ରତି ଆକ୍ଷେପ କରିଥିଲେ। କହିଥିଲେ, ଯେଉଁ ଅଫିସର ଲକ୍ଷ୍ମଣ ରେଖା ଭୁଲି ରାଜନୀତି କରନ୍ତି, ସେଭଳି ଅଫିସରଙ୍କୁ ସମ୍ମାନ ଦେବା ଦରକାର ନାହିଁ। ବରଂ ବିଜୁବାବୁ ଏଭଳି ଅଫିସରଙ୍କୁ ଉପଯୁକ୍ତ ଜବାବ୍ ଦେବାକୁ କହିଥିଲେ ବୋଲି ସୂଚାଇ ମାଡ଼ ପ୍ରସଙ୍ଗ ଉଠାଇଥିଲେ। ବୈଜୟନ୍ତ ଆହୁରି କହିଥିଲେ ଯେ ତାଙ୍କୁ ଏବେ ଯିଏ ବିରୋଧ କରୁଛନ୍ତି, ସେମାନେ ତାଙ୍କ ଠାରୁ ୫୦ ହଜାର ଭୋଟ୍ କମ୍ ପାଇଥିଲେ। ଆଗକୁ ଲୋକେ ସେମାନଙ୍କୁ ଜବାବ୍ ଦେବେ। ମାହାଙ୍ଗାର ଲୋକ ସ୍ୱାଭିମାନୀ। କେନ୍ଦ୍ରାପଡା ରେଳ ସଂଯୋଗୀକରଣ ଓ କଟକ-ଚାନ୍ଦବାଲି ରାସ୍ତାର ଦୋହରୀକରଣ କାମ ଖୁବଶୀଘ୍ର ସରିବ ବୋଲି ଏହି ଅବସରରେ ବୈଜୟନ୍ତ ସୂଚନା ଦେଇଥିଲେ।
ଉଲ୍ଲେଖନୀୟ କଥା ଥିଲା, ସାଂସଦଙ୍କୁ ସ୍ୱାଗତ କରୁଥିବା ଲୋକଙ୍କ ମଧ୍ୟରେ ସ୍ଥାନୀୟ ବିଜେଡି ନେତାଙ୍କ ସମେତ ବିଜେପି ଓ କଂଗ୍ରେସର କିଛି ନେତାଙ୍କୁ ମଧ୍ୟ ଦେଖିବାକୁ ମିିଳିଥିଲା।
ଆଜି ସାଂସଦଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମ ସମୟରେ ବ୍ଲକ୍ ଅଧ୍ୟକ୍ଷା ସବିତା ଓଝା, ବ୍ଲକ୍ ଉପାଧ୍ୟକ୍ଷା ସବିତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପଣ୍ଡା, ସଭ୍ୟା ସବିତା ସାମଲଙ୍କ ସମେତ ଅନେକ ବିଜେଡି ମହିଳା କର୍ମୀ ନିଶ୍ଚିନ୍ତକୋଇଲି ବଜାରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ମୁହଁରେ କଳାପଟି ବାନ୍ଧି ପ୍ଲାକାର୍ଡ ଧରି ନିରବ ପ୍ରତିବାଦ କରିଥିଲେ। ମହିଳା ମୋର୍ଚ୍ଚା କର୍ମୀ ପ୍ଲାକାର୍ଡ ମାଧ୍ୟମରେ ୪ବର୍ଷରେ ୪କୋଟି ମିଳିବା କଥା ୨୨ଲକ୍ଷ ଟଙ୍କା କଣ ପାଇଁ, ବିଜେଡିରୁ ଜିତି ବିଜେପି ପ୍ରୀତିି କ’ଣ ପାଇଁ, ମାହାଙ୍ଗା ନିର୍ବାଚନମଣ୍ଡଳୀରେ କେଉଁ ପଞ୍ଚାୟତ ପାଇଁ କ’ଣ କରିଛ, ଏମିତି ସ୍ଲୋଗାନ ଲେଖି ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନିରବ ପ୍ରତିବାଦ କରିଥିଲେ।
ଅନ୍ୟପକ୍ଷରେ ସାଂସଦ ଶ୍ରୀ ପଣ୍ଡା ବୁହାଳ ପଞ୍ଚାୟତ ଅଫିସ୍ ନିକଟରେ ହେଲିକପ୍ଟରରେ ଅବତରଣ କରିବା ପରେ ବୁହାଳୋ ପଞ୍ଚାୟତ ସରପଞ୍ଚ ସରୋଜିନୀ ଦାସ ଓ ତାଙ୍କର ସମର୍ଥକ ରୁକ୍ମଣୀ ସାହୁ, ମନମୋହନ ସେଠୀ, କ୍ଷିରୋଦ କୁମାର ପରିଡା, କାଙ୍ଗାଳୀ ଚରଣ ମହାନ୍ତି, କ୍ଷିରୋଦ ଦାସ, ସୁରେନ୍ଦ୍ର କର, ନିଗମ ପ୍ରସାଦ ଭଟ୍ଟ ଓ ମାହାଙ୍ଗା ସାଂସଦଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ ତାଙ୍କୁ ଶୋଭାଯାତ୍ରାରେ ଉଦ୍ଘାଟନ ସ୍ଥଳକୁ ନେଇଥିଲେ। ସେଠାରେ ଶ୍ରୀ ପଣ୍ଡା ପାନୀୟ ଜଳ ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ୫୭ଟି ଓଭରହେଡ୍ ଟ୍ୟାଙ୍କ ନିର୍ମାଣ କରିବାର ଯୋଜନା ରହିଛି ଏବଂ ଏହା ତାଙ୍କର ୧୨ନମ୍ବର ପ୍ରକଳ୍ପ ବୋଲି କହିଥିଲେ। ସାଂସଦଙ୍କୁ ସ୍ଥାନୀୟ ଅଞ୍ଚଳରୁ ତାଙ୍କ ସମର୍ଥକଙ୍କ ସହ ବିଜେପି ଜିଲ୍ଲା ପରିଷଦ ସଭ୍ୟ ସେକ୍ ଜାହିର ମହମ୍ମଦ, ପୂର୍ବତନ ସମିତିସଭ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ଷ୍ଟାଲିନ୍ ରାଉତ, ଯତିନ୍ଦ୍ର ନାଥ ଜେନାଙ୍କ ସମେତ କେତେକ କଂଗ୍ରେସ ଓ ବିଜେପିର ସ୍ଥାନୀୟ ଲୋକପ୍ରତିନିଧି ପାଛୋଟି ଆଣିଥିଲେ।
ପୂର୍ବରୁ ଗୋଟିଏ ଘଟଣାରେ ସାଂସଦଙ୍କୁ ଅଣ୍ଡା ମାଡ଼ ହୋଇଥିବାରୁ ଆଜି କୌଣସି ପ୍ରକାର ଅଘଟଣ ଏଡାଇବାକୁ ଏସ୍ପି ମାଧବ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନ୍ୟ ବରିଷ୍ଠ ଅଧିକାରୀ ଓ ୫ ପ୍ଲାଟୁନ୍ ଫୋର୍ସ ଘଟଣାସ୍ଥଳରେ ସଜାଗ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/cuttack-f.jpg)