ସାଂସଦଙ୍କୁ ବିରୋଧ ପରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

କିଶନନଗର : କଟକ ସଦର ବିଜେଡିରେ ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଛି। ଗତକାଲି ୪୨ମୌଜାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ତଥାକଥିତ ସମର୍ଥକ ବିରୋଧ କରିଥିଲେ। ଆଜି ଏହାର ପ୍ରତିବାଦରେ ସାଂସଦଙ୍କ ସମର୍ଥକ କୁହାଯାଉଥିବା କେତେକ ବ୍ୟକ୍ତି ସୋମପୁର ଛକରେ ଚନ୍ଦ୍ରସାରଥୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏହି ଘଟଣା ସଦର ବିଜେଡିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ସାଧାରଣ ନିର୍ବାଚନକୁ ଆଉ କିଛିମାସ ବାକି ଥିବା ବେଳେ ଏଭଳି ଗୋଷ୍ଠୀ କନ୍ଦଳ ସଦର ରାଜନୀତିକୁ ସରଗରମ କରିଛି।

ଗତକାଲି ୪୨ମୌଜା କୂଳସରିଚୁଆଁ ପଞ୍ଚାୟତ ପକ୍ଷରୁ ସାଂସଦ ଭର୍ତ୍ତୃହରିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦଳରୁ ନିଲମ୍ବିତ ପୂର୍ବତନ ସଦର ବ୍ଲକ୍‌ ଅଧ୍ୟକ୍ଷ ସତ୍ୟ ଜେନାଙ୍କ ଯୋଗଦାନକୁ ନେଇ ବିବାଦ ଦେଖାଦେଇଥିଲା। ସାଂସଦଙ୍କ ଗାଡ଼ିରୁ ଉଭୟ ଭର୍ତ୍ତୃହରି ଓ ସତ୍ୟ ଓହ୍ଲାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଚନ୍ଦ୍ରସାରଥୀଙ୍କ କେତେକ ସମର୍ଥକ ଏବଂ ସଦର ଯୁବ ଛାତ୍ର ବିଜେଡିର କର୍ମକର୍ତ୍ତା ସତ୍ୟଙ୍କ ବିରୋଧରେ ନାରାବାଜି କରିଥିଲେ। ଦଳବିରୋଧୀ କାର୍ଯ୍ୟ ପାଇଁ ସୁପ୍ରିମୋଙ୍କ ଦ୍ୱାରା ନିଲମ୍ବିତ ସତ୍ୟ ଜେନାଙ୍କୁ ସାଙ୍ଗରେ ଧରି ବୁଲିବାର ଯଥାର୍ଥତା ନେଇ ମଧ୍ୟ ସେମାନେ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ଘଟଣା ପ୍ରତିବାଦରେ ଆଜି ସୋମପୁର ସରପଞ୍ଚଙ୍କ ପ୍ରତିନିଧି ଶକ୍ତିପ୍ରସାଦ ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ସାଂସଦ ଓ ସତ୍ୟଙ୍କ ସମର୍ଥକ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। ସେମାନେ ସୋମପୁର ଯାତ୍ରା ପଡ଼ିଆରୁ ଶୋଭାଯାତ୍ରାରେ ବାହାରି କଟକ-ପାରାଦୀପ ରାସ୍ତାର ସୋମପୁର ଛକରେ ପହଞ୍ଚି ଥିଲେ। ସେଠାରେ ସେମାନେ ଚନ୍ଦ୍ରସାରଥୀଙ୍କ ବିପକ୍ଷରେ ନାରାବାଜି କରିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ସାହୁ, ଶିବନାରାୟଣ ସାହୁ, ଫିରଦୌସ ହୁସୈନ, ବିପ୍ରଚରଣ ବାରିକ, ବାବୁଲି ବେହେରା, ଅଶୋକ ଭୋଇ, ଅଭୟ କୁମାର ସାହୁ, ଦିବ୍ୟଜ୍ୟୋତି ସାହୁ, ବିବେକାନନ୍ଦ ପରିଡ଼ା, ଧୀରେନ୍ଦ୍ର ବାରିକ ପ୍ରମୁଖ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର