କଟକ/ ନିଆଳି: ଅଙ୍ଗନବାଡ଼ି କର୍ମୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟକୁ ବରୋଧ କରି ଭାରତୀୟ ଜନତା ପାର୍ଟି (ବିଜେପି) ଯୁବମୋର୍ଚ୍ଚା ପକ୍ଷରୁ ଶନିବାର କଳାପତାକା ପ୍ରଦର୍ଶନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ଜଲାଲପୁର ଠାରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କୁ ଭାଜପା ଯୁବମୋର୍ଚ୍ଚାର କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି । ମନ୍ତ୍ରୀ ଦାମୋଦର ରାଉତ ଜଲାଲପୁର ଅଞ୍ଚଳରେ ଆୟୋଜିତ ଗୋ-ଶିବିର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।
ଅଙ୍ଗନବାଡ଼ି କର୍ମୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଶୁକ୍ରବାର ଦାମ ରାଉତଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇ ଥିଲା। ଦାମଙ୍କ ଘର ସାମ୍ନା ରାସ୍ତାରେ ପୁଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇ ଥିଲା। ଶିଶୁଭବନ ଛକ-କ୍ୟାପିଟାଲ ହସ୍ପିଟାଲ ରାସ୍ତାରେ ପୁଲିସ ଜଗି ରହି ଥିଲା।
ସେହିଭଳି ମନ୍ତ୍ରୀ ଦାମୋଦର ରାଉତଙ୍କ ବିବାଦୀୟ ବୟାନକୁ ନେଇ ଅଙ୍ଗନବାଡ଼ି କର୍ମୀମାନେ ଅପରାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଦାମଙ୍କ ପୋଷ୍ଟର ପୋଡ଼ିବା ସହିତ ରାସ୍ତାରୋକ କରିଥିଲେ।
ଯାଜପୁର ଜିଲ୍ଲାରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କିଛି ଆକ୍ଷେପ ଭରା ମନ୍ତବ୍ୟ ଦେଇ ବିବାଦ ଠିଆ କରାଇଥିଲେ। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ସଙ୍କେତ କରି ଦାମବାବୁ ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ବୋଲି ମନ୍ତବ୍ୟ ଦେବା ଘଟଣା ବିଜେପିକୁ ତତେଇ ଦେଇଛି। ବିଜେପି ଗୁରୁବାର ଏହାର ପ୍ରତିିବାଦ କରି ଗର୍ଜନ ତର୍ଜନ ଆରମ୍ଭ କରିଛି। ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀ କରି ଦାମବାବୁଙ୍କୁ ୨୪ ଘଣ୍ଟା ମହଲତ ଦେଇଛନ୍ତି। ଅନ୍ୟଥା ସାରା ରାଜ୍ୟରେ ବିଜେପି ବିକ୍ଷୋଭ କରିବ ବୋଲି ଧମକ ଦେଇଛନ୍ତି। ଶ୍ରୀମତୀ ପରିଡ଼ା ଏକଥା ବି ଆକ୍ଷେପ କରିଛନ୍ତି ଯେ ଦାମବାବୁ ପାଗଳ ହୋଇଯାଇଛନ୍ତି।
ଅନ୍ୟପଟେ ଦାମ ବାବୁ ଏହି ପ୍ରସଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସଚିବାଳୟ ପୋର୍ଟିକୋରେ ଡାକ୍ତର ରାଉତଙ୍କୁ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏ ପ୍ରସଙ୍ଗରେ ପଚାରିବାରେ ସେ ତାଙ୍କର ସବୁ ଅସନ୍ତୋଷ ଗଣମାଧ୍ୟମ ଉପରେ ଅଜାଡ଼ି ଦେଇଥିଲେ। ସେ ନିଜକୁ ଭଦ୍ର ଲୋକ ବୋଲି ବର୍ଣ୍ଣନା କରିଥିଲେ ହେଁ, ବିଜେପିର ଅଭିଯୋଗକୁ ଟାଳି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/dama.jpg)