ଏସ୍‌ସିବିରେ ଦୁଇ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ

ଇଏନ୍‌ଟି ବିଭାଗରେ ‌ଖୋଲିଲା ୩୦ ଶଯ୍ୟା ବିଶିଷ୍ଟ ୱାର୍ଡ

କଟକ: ଏସ୍‌ସିବିରେ ବ୍ଲାକ୍‌ ଫଙ୍ଗସ୍‌ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ବତନ୍ତ୍ର ଭାବେ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ  ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଛି। ଅନ୍ୟପଟେ ଏସ୍‌ସିବିରେ ଚିକିତ୍ସା ପାଇଁ  ଭର୍ତ୍ତି କରାଯାଇଥିବା ଦୁଇ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଦୁଇ ଆକ୍ରାନ୍ତ କରୋନା ସଂକ୍ରମିତ ହେବାପରେ ହୋମ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିଲେ। ତେବେ ରକ୍ତଶର୍କରା ନିୟନ୍ତ୍ରଣରେ ଆସି ନଥିଲା। ସେମାନଙ୍କର ଆଖି ଓ ଶରୀରର ବିଭିନ୍ନ ସ୍ଥାନରେ ବ୍ଲାକ୍‌ ଫଙ୍ଗସ୍‌ର ଲକ୍ଷଣ ଥିବା ଜଣାପଡିଛି। ସେଥିରୁ ଜଣେ ମହିଳା ଓ ଜଣେ ପୁରୁଷ  ରହିଛନ୍ତି।  ଅନ୍ୟପଟେ ଏସ୍‌ସିବି ଇଏନ୍‌ଟି ବିଭାଗରେ  ମ୍ୟୁକରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀପାଇଁ ୩୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ୱାର୍ଡ ‌‌ଖୋଲାଯାଇଛି।

ଇଏନ୍‌ଟି ଓ ଚକ୍ଷୁ ବିଭାଗ ଓଟିକୁ ଅସ୍ତ୍ରୋପଚାର ପାଇଁ ବ୍ୟବହାର କରାଯିବା ନିମନ୍ତେ ଏସ୍‌ସିବି ଅଧୀକ୍ଷକ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଇଏନ୍‌ଟି ବିଭାଗୀୟ ମୁଖ୍ୟ ସୁବ୍ରତ ବେହେରା, ଚକ୍ଷୁ ବିଭାଗ ଆସୋସିଏଟ୍‌ ପ୍ରଫେସର ସୁରେଶ ସ୍ବାଇଁ, ଆସିଷ୍ଟାଣ୍ଟ୍ ପ୍ରଫେସର ମେଡିସିନ୍‌ ଡାକ୍ତର ଆଦିତ୍ୟ ନାରାୟଣ ସାହୁଙ୍କୁ ନେଇ ଏକ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଅନ୍ୟପଟେ ଯେଉଁମାନେ କରୋନା ପଜିଟିଭ୍‌ ଥାଇ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ସେମାନଙ୍କ ଚିକିତ୍ସା ପାଇଁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲର-୨ର ୪ର୍ଥ ମହଲାରେ ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀ ଯଦି ଚିକିତ୍ସା ପାଇଁ ଆସନ୍ତି ସେମାନଙ୍କ ତଥ୍ୟ ସବୁ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦେବା ପାଇଁ ଏସ୍‌ସିବି ଅଧୀକ୍ଷକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର