ଗୋପାଳପୁର-ବାଲିକୁଦା ରାସ୍ତା ବ୍ଲାକ୍‌ ସ୍ପଟ୍, ଅଢେଇ କିଲୋମିଟର ପାର୍ ହେବାକୁ ଘଣ୍ଟାଏ

କଟକ: କଟକ-ଭୁବନେଶ୍ବର ଦେଶର ଅନ୍ୟତମ ବ୍ୟସ୍ତବହୁଳ ଜାତୀୟ ରାଜପଥ। କିନ୍ତୁ ଏହି ରାଜପଥର ଗୋପାଳପୁରରୁ ବାଲିକୁଦା ଯାଏ ଅଞ୍ଚଳ ଏବେ ପାଲଟିଛି ବ୍ଲାକ ସ୍ପଟ୍। ଏହା କେବଳ ଦୁର୍ଘଟଣା ପ୍ରବଣ ନୁହେଁ, ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବାରୁ ଏବେ କଟକରୁ ଭୁବନେଶ୍ବର ଦିଗରେ ପ୍ରେସଛକରୁ ବାଲିକୁଦା ଯାଏ ଅଢେଇ କିଲୋମିଟର ରାସ୍ତା ପାର ହେବାକୁ ଲାଗି ଯାଉଛି ଘଣ୍ଟାଏରୁ ଅଧିକ ସମୟ। ବାଲିକୁଦା ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ବାଇପାସ୍‌ ରାସ୍ତାରେ ଗାଡି ମଟର ଚଳପ୍ରଚଳ କରୁଛି। ମାତ୍ର ଲଗାଣବର୍ଷାରେ ବାଇପାସ୍ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ରାସ୍ତା‌ରେ ବଡ ବଡ ଖାଲଖମା ହେବା ସହିତ ପାଣି ଜମି ରହିବାରୁ ଶହ ଶହ ସଂଖ୍ୟା‌େର ଗାଡି ମଟର ଏଠି ଘଣ୍ଟା ଘଣ୍ଟା ଧରି ଫସି ରହୁଛି। ପୂର୍ବରୁ ଏହି ସମସ୍ୟା ଥିବା ବେଳେ ଗତ ଲଗାଣ ବର୍ଷାରେ ଏହା ଅଧିକ ଜଟିଳ ହୋଇଛି। ରାସ୍ତା ମରାମତି ପାଇଁ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କ ନିକଟରେ ଦାବି ହୋଇଥିଲେ ବି ଏ ଦିଗରେ କୌଣସି ସୁଫଳ ମିଳୁ ନଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ବ୍ୟବସାୟୀ। ବାଲିକୁଦା ଛକରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଫ୍ଲାଏ ଓଭର ବ୍ରିଜର ନିର୍ମାଣ ଚାଲିଛି। ଓଭର ବ୍ରିଜ କାମ ୯ ମାସ ତଳେ ଆରମ୍ଭ ହୋଇଥିବା ବେଳେ ଏହା ନିକଟରେ ଏକ ବାଇପାସ୍‌ ରାସ୍ତାରେ କଟକରୁ ଭୁବନେଶ୍ବରକୁ ଗାଡି ଯାଉଛି। ବାଇପାସ୍‌ ରାସ୍ତା ନିର୍ମାଣ କାମ ଅତି ନିମ୍ନମାନର ହୋଇ ଥିବାରୁ ଟିକିଏ ବର୍ଷାରେ ରାସ୍ତା ଦବିବା ସହିତ ଖାଲ ହୋଇ ଏଠାରେ ପାଣି ଜମୁଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବଡ ଓ ଛୋଟ ଗାଡି ଏହି ବାଟରେ ଯାଉଥିବା ବେଳେ ଏନ୍‌ଏଚ୍‌ଏଆଇ ଅଧିକାରୀ ଏହାର ମରାମତି ଦିଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ନିର୍ମାଣ ଚାଲିଥିବା ଓଭର ବ୍ରିଜ୍‌କୁ ସଂଯୋଗ କରିବାକୁ ଥିବା ରାସ୍ତାକୁ ଲାଲି ମୋରମ୍‌ ମାଟିରେ ଉଚ୍ଚା କରାଯାଉଛି। ତେବେ ଟିକିଏ ବର୍ଷାରେ ଏହା ଧୋଇହୋଇ ବାଇପାସ୍‌ ରାସ୍ତାରେ ଗଦା ହେବା ସହିତ ନିକଟରେ ଥିବା ଡ୍ରେନକୁ ପୋତି ଦେଇଛି। ବର୍ଷା ପାଣି ନିଷ୍କାସନ ନହୋଇ ଜମି ରହିବାରୁ ପିଚୁ ରାସ୍ତା ଦବିବା ସହିତ ବଡ ବଡ ଖାଲ ସୃଷ୍ଟି ହୋଇଛି।

Sambad

ବାଇପାସ୍‌ରେ ୫ଶହ ମିଟର ରାସ୍ତାରେ ଖାଲଖମା ହୋଇ ପାଣି ଜମି ରହିବାରୁ ବଡରୁ ଛୋଟ ଗାଡି ଅତି ବିପଦଜନକ ଅବସ୍ଥାରେ ଯାଉଛି। ବି‌େଶଷ ଭାବେ ସକାଳ ୮ରୁ ଦିନ ୧୨ଟା ଓ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତି ପ୍ରବଳ ଟ୍ରାଫିକ୍‌ ଜାମ୍‌ ଅଧିକ ହେବା ସହ ଶହ ଶହ ସଂଖ୍ୟାରେ ଯାତ୍ରୀ ଦୀର୍ଘ ସମୟ ଏଥିରେ ଫସି ରହୁଛନ୍ତି। ୯ମାସ ତଳେ ନିର୍ମାଣ ହୋଇଥିବା ବାଇପାସ୍‌ ରାସ୍ତାର ଅବସ୍ଥା ଅତି ଖରାପ ହୋଇଯାଇଛି। ଏହାର ମରାମତି ପାଇଁ ଦାବି ହେଉଥିଲେ ବି ଏନ୍‌ଏଚ୍‌ଏଆଇ ଅଧିକାରୀ ଶୁଣୁ ନଥିବା କହନ୍ତି ସ୍ଥାନୀୟ ବ୍ୟବସାୟୀ ପ୍ରମୋ‌ଦ ବେହେରା। ରାସ୍ତାରେ ପାଣି ଜମି ରହିବାରୁ ଏପରି ସମସ୍ୟା ହେଉଛି। ରାସ୍ତା ନିକଟରେ ପୋତି ହୋଇ ଯାଇଥିବା ଡ୍ରେନକୁ ବୁଧବାର ରାତିରେ ସଫା କରାଯାଇ ପାଣି ନିଷ୍କାସନ କରାଯିବ। ଏହାପରେ ଖାଲରାସ୍ତାକୁ ମରାମତି କରାଯିବ ବୋଲି ଏନ୍‌ଏଚ୍‌ଏଆଇର ଡେପୁଟି ମ୍ୟାନେଜର ପଙ୍କଜ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର