ଢେଙ୍କାନାଳ ଯୁବତୀଙ୍କୁ କଟକରେ ଦୁଷ୍କର୍ମ; ଫଟୋ ଭାଇରାଲ୍ ଧମକ ଦେଇ ୪ ବର୍ଷ ହେଲା ଶୋଷଣ

କଟକ: ଢେଙ୍କାନାଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ କଟକରେ ବାରମ୍ବାର ଦୁଷ୍କର୍ମ କରାଯାଇଛି। ମହତାବ ରୋଡ ଅଞ୍ଚଳର ଜଣେ ମେଡିସିନ୍‌ ଦୋକାନୀ ଏଭଳି କାଣ୍ତ ଘଟାଇଥିବା ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ଜେରା କରୁଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ଜଣେ ୨୧ ବର୍ଷିୟା ଯୁବତୀ ବାଦାମବାଡ଼ି ଥାନା ଅନ୍ତର୍ଗତ ମହତାବ ରୋଡ ଅଞ୍ଚଳରେ ତାଙ୍କ ବାପାଙ୍କ ପାଖରେ ରୁହନ୍ତି। ତାଙ୍କ ବାପା ଛତ୍ରବଜାରରେ କାମ କରୁଥିବା ବେଳେ ଯୁବତୀ ଜଣକ ୨୦୧୬ରୁ କଟକ ଯିବାଆସିବା କରିଆସୁଥିଲେ। ତାଙ୍କ ବାପା ମହତାବ ରୋଡ ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରୁ ନିୟମିତ ଔଷଧ କିଣୁଥିଲେ।

୨୦୧୬ ଜୁନ ମାସରେ ମହତାବ ରୋଡ଼ରେ ଥିବା ଉକ୍ତ ଔଷଧ ଦୋକାନକୁ ଯୁବତୀ ଜଣକ ଔଷଧ କିଣିବାକୁ ଯାଇଥିବା ବେଳେ ଦୋକାନୀର ତାଙ୍କ ପରିବାର ସହିତ ପୂର୍ବ ପରିଚୟ ଥିବାରୁ ସେ ତାଙ୍କୁ କୋଲଡ୍ରିଙ୍କସ୍‌ ପିଇବାକୁ ଡାକି ଦୋକାନରେ ଥିବା ଡାକ୍ତର ଚାମ୍ବରକୁ ନେଇଯାଇଥିଲେ। କୋଲଡ୍ରିଙ୍କସ୍‌ ପିଇ ଯୁବତୀ ଜଣକ ଅଚେତ ହୋଇଯାଇଥିଲେ। ସଂପୃକ୍ତ ଦୋକାନୀ ସେଠି ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲା। ତାହାର ଫଟୋ ବି ଉଠାଇ ନେଇଥିଲା। ପରେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବୁଝାସୁଝା କରିଥିଲା। ସେତେବେଳେ ଯୁବତୀଙ୍କ ବୟସ ୧୮ ବର୍ଷ ହୋଇ ନଥିବାରୁ ପ୍ରାପ୍ତ ବୟସ ହେଲେ ବିବାହ କରିବାକୁ କଥା ଦେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉଠାଇ ଥିବା ଫଟୋ ଭାଇରାଲ୍‌ କରିଦେବାର ଧମକ ଦେଇ ଯୁବକ ଜଣକ ସଂପୃକ୍ତ ଯୁବତୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରି ଆସୁଥିଲା। କିନ୍ତୁ ଏଭଳି ଘଟଣାରେ ଅତିଷ୍ଠ ହୋଇ ଯୁବତୀ ଜଣକ ଗଲା ୨ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କୁ ଆଇନଗତ ସହାୟତା ଯୋଗାଇବା ପାଇଁ ଫେରାଦ୍‌ ହେବା ପରେ ଆଜି ପ୍ରାଧିକରଣ ପକ୍ଷରୁ ଆଇନଜୀବୀ ବିପିନ କୁମାର ଚୌଧୁରୀ, ପ୍ରଦୀପ ପଟ୍ଟନାୟକ, କଲ୍ୟାଣୀ ସାହାଣୀ, ମିତାଲି ଭଞ୍ଜ, କୁଳମଣୀ ବେହେରା ବାଦାମବାଡ଼ି ଥାନାରେ ପହଞ୍ଚି ପୀଡ଼ିତାଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା। ବାଦାମବାଡ଼ି ଥାନା ଆଇଆଇସି ରଶ୍ମି ରଞ୍ଜନ ମହାପାତ୍ରଙ୍କ କହିବା ଅନୁଯାୟୀ, ଉଭୟ ପକ୍ଷଙ୍କ ସହିତ ଆଲୋଚନା ଚାଲିଥିବା ବେଳେ ଏତଲା ରୁଜୁ ହୋଇନାହିଁ।

ସମ୍ବନ୍ଧିତ ଖବର