ରେଭେନ୍ସା ହେବ ‘ବ୍ଲାଇଣ୍ଡ୍ ଫ୍ରେଣ୍ଡ୍ଲି କ୍ୟାମ୍ପସ୍’
ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହେବ ଶବ୍ଦ କରୁଥିବା ଫୁଟ୍ପାଥ୍, ‘ଟାକ୍ଟାଇଲ୍ ପାଭିଂ’ରେ ପ୍ରସ୍ତୁତ ହେବ ରାସ୍ତା
କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ହେବ ‘ବ୍ଲାଇଣ୍ଡ୍ ଫ୍ରେଣ୍ଡ୍ଲି କ୍ୟାମ୍ପସ୍’। ବିଶ୍ବବିଦ୍ୟାଳୟରେ ପଢୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଏକ ସ୍ବତନ୍ତ୍ର ଯୋଜନା। ବିଶେଷ ଭାବେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦେଖି ରେଭେନ୍ସା ପରିସରରେ ନିର୍ମାଣ ହେବ ଶବ୍ଦ କରୁଥିବା ରାସ୍ତା। ‘ଟାକ୍ଟାଇଲ୍’ରେ ନିର୍ମାଣ ହେବାକୁ ଥିବା ଉକ୍ତ ରାସ୍ତାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ସେମାନଙ୍କୁ ପ୍ରଦାନ କରାଯାଇଥିବା ସ୍ବତନ୍ତ୍ର ବାଡ଼ି ସାହାଯ୍ୟରେ ରାସ୍ତା ଜାଣିପାରିବେ। ଏଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ପୂର୍ତ୍ତ ବିଭାଗକୁ ରାସ୍ତା ନିର୍ମାଣ ଓ ବଜେଟ୍ ଉପରେ କାମ ଆରମ୍ଭ ପାଇଁ ଚିଠି କରାଯାଇଛି। ରେଭେନ୍ସାର ୟୁଜି, ପିଜି ପରି ବିଭିନ୍ନ ପାଠ୍ୟକ୍ରମରେ ୧୨୦ରୁ ଅଧିକ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏବେ ପଢୁଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ସେମାନଙ୍କ ଗମନାଗମନ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନଥିବାରୁ ସେମାନଙ୍କୁ କ୍ଲାସ ରୁମ୍, ପାଠାଗାର, ପ୍ରାଶାସନିକ କାର୍ଯ୍ୟାଳୟ ପରି ବିଭିନ୍ନ ସ୍ଥାନକୁ ଯିବାରେ ପ୍ରତିଦିନ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।
ବିଶ୍ବବିଦ୍ୟାଳୟର ବିଭିନ୍ନ ସ୍ଥାନକୁ, ଏପରି କି ଶ୍ରେଣୀ ଗୃହକୁ ଯିବା ପାଇଁ ସେମାନଙ୍କୁ ଅନ୍ୟ ଛାତ୍ରଛତ୍ରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ସେମାନଙ୍କ ଏହି ସମସ୍ୟାର ସମାଧାନ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ଶବ୍ଦ କରୁଥିବା ଫୁଟ୍ପାଥ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ସମସ୍ତ ରାସ୍ତାର ଗୋଟିଏପାର୍ଶ୍ବରେ ଏଥିପାଇଁ ୩ ଫୁଟ୍ର ଫୁଟ୍ପାଥ୍ ନିର୍ମାଣ ହେବ। ଉକ୍ତ ୩ ଫୁଟ୍ ମଝିରେ ଏକ ଫୁଟ୍ର ‘ଟାକ୍ଟାଇଲ୍ ପାଭିଂ’ ବିଛାଯିବ। ଏହି ଟାଇଲ୍କୁ ସ୍ବତନ୍ତ୍ର ଭାବେ ଧଳା ରଙ୍ଗରେ ନିର୍ମାଣ କରାଯାଇଛି। ଯାହା ଉପରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମିଳିଥିବା ସ୍ବତନ୍ତ୍ର ବାଡି ଧୀରେ ଧୀରେ ପିଟିଲେ ଏକ ଭିନ୍ନ ପ୍ରକାର ଶବ୍ଦ ବାହାରିବ। ଏଥି ସହିତ ଏହି ଟାଇଲ୍ରେ ଧାର ଧାର କରି ଗାର ପଡ଼ିଥିବ। ଯାହାକୁ ଉକ୍ତ ବାଡ଼ିରେ ଘସିଲେ ରାସ୍ତା ବିଷୟରେ ସୂଚନା ମିଳି ପାରିବ। ରେଭେନ୍ସାର ବିଭିନ୍ନ ବିଭାଗ, ହଷ୍ଟେଲ, ପାଠାଗାର, କାର୍ଯ୍ୟାଳୟ ଆଦି ସ୍ଥାନକୁ ଏହି ସ୍ବତନ୍ତ୍ର ଫୁଟ୍ପାଥ୍ ଦ୍ବାରା ସଂଯୋଗ କରାଯିବ। ଏହାସହ ଦୃଷ୍ଟିବାଧିତ ଓ ଅନ୍ୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ରାମ୍ପ୍ର ବ୍ୟବସ୍ଥା କରାଯିବ ସହ ଆବଶ୍ୟକ ସ୍ଥାନରେ ସ୍ବତନ୍ତ୍ର ରେଲିଂ ଲଗାଯିବ। ଏପରିକି ରେଭେନ୍ସା ପରିସରରେ ଥିବା ବିଭିନ୍ନ ମଞ୍ଚକୁ ଚଢ଼ିବା ପାଇଁ ମଧ୍ୟ ରାମ୍ପ୍ ଓ ରେଲିଂର ବ୍ୟବସ୍ଥା ହେବ। ରେଭେନ୍ସାରେ ପଢୁଥିବା ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ହେବ। ଏଥିପାଇଁ ପୂର୍ତ୍ତ ବିଭାଗକୁ ଚିଠି କରାଯାଇଛି ବୋଲି ବିଶ୍ବବିଦ୍ୟାଳୟ କୁଳସଚିବ ଡକ୍ଟର୍ ଭକ୍ତଚରଣ ପ୍ରଧାନ କହିଛନ୍ତି।