ହାଇକୋର୍ଟ ବୁଲିଲେ ଦୁଷ୍ଟିବାଧିତ ବିଦ୍ୟାର୍ଥୀ, ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା କଲେ, ବିଚାର ପ୍ରକ୍ରିୟା ନେଇ ଅବଗତ ହେଲେ

କଟକ: ଆଜି ଏକ ଐତିହାସିକ ଘଟଣାକ୍ରମରେ ଦିବ୍ୟାଙ୍ଗ ଦୃଷ୍ଟିବାଧିତ ଛାତ୍ରୀମାନେ ଓଡ଼ିଶା ହାଇକୋର୍ଟ ପରିସର ବୁଲିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଆଇନଜୀବୀଙ୍କ ସହିତ ଆଲୋଚନା କରିବା ସହିତ ରାଜ୍ୟର ନ୍ୟାୟିକ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ହୋଇଛନ୍ତି। ୨୦୨୧ ଶିଶୁ ଦିବସ ଦିନଠାରୁ ହାଇକୋର୍ଟ ପରିସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ଯାଇଥିବା ବେଳେ ଆଜି ଭୁବନେଶ୍ବରସ୍ଥିତ ଓଡ଼ିଶା ଆସୋସିଏସନ୍ ଅଫ୍ ବ୍ଲାଇଣ୍ଡ୍‌ର ଛାତ୍ରୀମାନେ ହାଇକୋର୍ଟ ଆସିଥିଲେ। ପିଲାମାନେ ହାଇକୋର୍ଟ, ଆଇନସେବା ଭବନ, ଓଡ଼ିଶା ଜୁଡିସିଆଲ୍‌ ଏକାଡେମି ବୁଲିଥିଲେ। ବିଚାରବିଭାଗର କାର୍ଯ୍ୟ, ଆଇନଜୀବୀ ଓ ବିଚାରପତିଙ୍କ ଜୀବନ ସଂକ୍ରାନ୍ତରେ ପିଲାମାନେ ଅବଗତ ହୋଇଥିଲେ।‌ ହେରିଟେଜ୍‌ ବିଲ୍‌ଡିଂ ଓ ନୂଆ କୋଠାରେ ଥିବା ମୁଖ୍ୟ ବିଚାରପତିଙ୍କ କୋର୍ଟ ଓ ଚାମ୍ବର୍‌ ବୁଲିବା ସହିତ ପିଲାମାନେ ପୂର୍ବତନ ମୁଖ୍ୟ ବିଚାରପତି ଓ ବିଚାରପତିଙ୍କ ସଂକ୍ରାନ୍ତରେ ଜାଣିବାକୁ ପା‌ଇଥିଲେ। ହାଇକୋର୍ଟ କନଫରେନ୍ସ ହଲ୍‌ରେ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ ଓ ମାମଲା ଶୁଣାଣିର ଅଡିଓ କ୍ଲିପ୍ ପିଲାମାନଙ୍କ ପାଇଁ ପ୍ରଦର୍ଶନ କରାଯାଇଥିଲା। ଆଇନସେବା ଭବନ ଓ ଓଡ଼ିଶା ଜୁଡିସିଆଲ୍‌ ଏକାଡେମି ପରିଦର୍ଶନ ସମୟରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଓ ଗିରବଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ଏହାର ଅବଦାନ ପ୍ରସଂଗରେ ପିଲାମାନଙ୍କୁ ଅବଗତ କରାଯାଇଥିଲା। ଜୁଡିସିଆଲ୍‌ ଏକାଡେମିରେ ପିଲାମାନେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧରଙ୍କ ସହିତ ଭାବ ବିନିମୟ କରିଥିଲେ। ଏହି ଅବସରରେ ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ନିଜକୁ ଦେଶର ସଫଳ ଆଇନଜୀବୀ ଭାବେ ପରିଚିତ କରିଥିବା ବ୍ୟକ୍ତିବିଶେଷଙ୍କ ସଂପର୍କରେ ମୁଖ୍ୟ ବିଚାରପତି ପିଲାମାନଙ୍କୁ କହିଥିଲେ। ଗିରବ ଓ ଅବହେଳିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଇନଜୀବୀ ଓ ବିଚାରପତି ହେବା ପାଇଁ ପିଲାମାନଙ୍କୁ ମୁଖ୍ୟ ବିଚାରପତି ଉତ୍ସାହିତ କରିଥିଲେ। ପିଲାମାନେ ନିଜ ସମସ୍ୟା ସଂକ୍ରାନ୍ତରେ ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା କରିଥିଲେ। ଦୃଷ୍ଟିବାଧିତ ଓ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ଆଇନ‌ ବ୍ୟବସ୍ଥା କିପରି ଅନୁକୂଳ ହୋଇ ପାରିବ ସେଥିପା‌ଇଁ ଯଥା ସମ୍ଭବ ପଦକ୍ଷେପ ନିଆଯିବ।

ଆଇନ ବିଷୟ ଉପରେ ଅଡିଓ ବୁକ୍ ସବୁ ପ୍ରସ୍ତୁତ କରାଯାଇ ପିଲାମାନଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟ ବିଚାରପତି କହିଥିଲେ। ପିଲାମାନେ ବିଚାରପତିଙ୍କୁ ନିଜ ଟ୍ରେନିଂ ସେଣ୍ଟର୍‌ରେ ଥିବା ସମସ୍ତ ଅସୁବିଧା ସମ୍ପର୍କରେ ଅବଗତ କରିବା ସହ ଯେପରି ସାଧାରଣ ପିଲାଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ବ୍ୟବସ୍ଥା କରାଯାଇଛି ସେହିପରି ସେମାନଙ୍କ ପାଇଁ ସମାନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ। ଛାତ୍ରୀ ଏମ୍‌. ରେଣୁ କହିଥିଲେ ଯେ, ହାଇକୋର୍ଟ ବୁଲିବା ସ୍ବପ୍ନ‌ ସତରେ ପୂରଣ ହୋଇଛି। ଆଇନ ବିଷୟରେ ଜାଣିଲି। ପାଖରୁ ସମସ୍ତ ଜିନିଷ ସ୍ପର୍ଶ କରି ଅନୁଭୂତି ସାଉଁଟିଛି। ଅଧିକ ଖୁସିର ମୁହୂର୍ତ୍ତ ଥିଲା ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନାର ସମୟ ବୋଲି ସେ କହିଥିଲେ। ଛାତ୍ରୀ ୟୁ. ଲକ୍ଷ୍ମୀ କହିଥିଲେ ଯେ ଆଇନ ସମ୍ପର୍କରେ ଆଜି ବହୁ କିଛି ଜାଣିବାକୁ ପାଇଛି। ଦେଖି ନ ପାରିଲେ ବି ସମସ୍ତ ଜିନିଷ ଛୁଇଁକି ଜାଣିପାରିଲୁ। ଆମର ସମସ୍ତ ସମସ୍ୟା ବି‌ଷୟରେ ମୁଖ୍ୟ ବିଚାରପତିଙ୍କୁ ଜଣାଇବା ମ‌ାତ୍ରେ ହିଁ ଏହି ଦିଗରେ ତୁରନ୍ତ ସମାଧାନ କରାଯିବା ନେଇ ପ୍ରତିଶ୍ରୃତି ମିଳିଛି। ମୁଖ୍ୟ ବିଚାରପତିଙ୍କ ପାଖରେ ବସି ସସମ୍ତ ସମସ୍ୟା ଜଣାଇଛୁ। ହାଇକୋର୍ଟ ପରିଦର୍ଶନ କରି ଆଜି ଗର୍ବ ଅନୁଭବ ହେଉଛି ବୋଲି ଛାତ୍ରୀ ଏସ୍‌. ପୁଷ୍ପା କହିଥିଲେ। ଏହି ଅବସରରେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ, ପିଲାମାନଙ୍କ ପ୍ରଶିକ୍ଷକ ଓ ହାଇକୋର୍ଟ ରେଜିଷ୍ଟ୍ରିର ଅଧିକାରୀ ଉପସ୍ଥିତ ରହି ପିଲାମାନଙ୍କୁ ବିଭିନ୍ନ ପ୍ରସଂଗରେ ଅବଗତ କରିଥିଲେ।

ସମ୍ବନ୍ଧିତ ଖବର