ମେଲୋଡି ବେଳେ ଥାନା ନିକଟରେ ବୋମାମାଡ଼

୭୪ ଦିନରେ ସାତ ଥର: ଏନ୍‌କାଉଣ୍ଟର ପରେ ପୁଲିସ୍‌କୁ ଚାଲେଞ୍ଜ୍‌

କଟକ : ଅପରାଧୀମାନେ କମିସନରେଟ୍‌ ପୁଲିସ୍‌କୁ ଦେଇଛନ୍ତି ଖୋଲା ଚାଲେଞ୍ଜ। ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ପଛରେ ସମ୍ପୃକ୍ତ ଜଣେ ଅପରାଧୀକୁ ପୁଲିସ୍‌ ଏନ୍‌କାଉଣ୍ଟର୍‌ କରି ସଫଳତା ହାସଲ କରିଥିବା କହିବା ବେଳେ ଦଶହରା ରାତିରେ ବାଦାମବାଡ଼ି ଥାନା ନିକଟରେ ପୁଣି ବୋମା ମାଡ଼ କରିଛନ୍ତି ଅପରାଧୀ। ବାଦାମବାଡି ଥାନାଠାରୁ ମାତ୍ର କେତେ ହାତ ଦୂରରେ ଦଶହରା ରାତିରେ ମେଲୋଡି ଚାଲିଥିବା ବେଳେ ଦୁର୍ବୃତ୍ତମାନେ ମେଲେଡି ମଞ୍ଚ ନିକଟକୁ ବୋମା ଫିଙ୍ଗିଛନ୍ତି। କାଲି ରାତି ପ୍ରାୟ ୧୦ଟା ପାଖାପାଖି ସମୟରେ ଦୁର୍ବୃତ୍ତମାନେ ମେଲୋଡି ମଞ୍ଚ ନିକଟକୁ ବୋମା ଫିଙ୍ଗି ଥିବା ବେଳେ ସେଥିରେ ଗୋଟିଏ ଅଟୋ ଭାଙ୍ଗି ଚୁରମାର୍‌ ହୋଇଯାଇଛି। ଜଣେ ମହିଳାଙ୍କ ସମେତ ଦୁଇ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି। ଗଲା ୭୪ ଦିନ ଭିତରେ ଏହା ହେଉଛି ବାଦାମବାଡ଼ି ରାସ୍ତାରେ ସପ୍ତମ ବୋମା ମାଡ଼। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିିଛି ।

ସୂଚନା ଅନୁଯାୟୀ, ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ପଛରେ ସମ୍ପୃକ୍ତ ଅପରାଧୀ ଶଙ୍କରପୁର ଅଞ୍ଚଳର କାଳନ୍ଦୀ ଖୁଣ୍ଟିଆ ଗଲା ସେପ୍ଟେମ୍ବର ୨୫ ତାରିଖରେ ରାଜବଗିଚା ସୁଇପର କଲୋନି ସାମନା କାଠଯୋଡ଼ି ନଦୀ ପଠାରେ ବାଦାମବାଡ଼ି ଥାନା ପୁଲିସ ସହିତ ଗୁଳି ବିନିମୟ ହୋଇଥିଲା । ପୁଲିସର ପାଲଟା ଗୁଳି ମାଡ଼ରେ କାଳନ୍ଦୀର ଡାହାଣ ଗୋଡ଼ାରେ ଗୁଳି ବାଜିଥିଲା । ଏହି ଘଟଣାରେ ଅନ୍ୟ ଦୁଇ ଫେରାର ସହଯୋଗୀଙ୍କ ମଧ୍ୟରୁ ୨୮ ତାରିଖରେ ଶଙ୍କରପୁର ଅଞ୍ଚଳର ବିଷ୍ଣୁ ଚରଣ ସ୍ୱାଇଁଙ୍କୁ ପୁଲିସ ଗିରଫ କରିଥିଲା । କିନ୍ତୁ ପୁଲିସର ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଦୁର୍ବୃତ୍ତମାନେ ଗଲାକାଲି ରାତିରେ ସପ୍ତମ ଥର ପାଇଁ ନିର୍ଭୟରେ ବୋମା ଫିଙ୍ଗିବା ଘଟଣା ଆତଙ୍କ ସୃଷ୍ଟି କରିଛି । ଶଙ୍କରପୁର-ବାଦାମବାଡ଼ି ପୂଜା କମିଟି ପକ୍ଷରୁ ବାଦାମବାଡ଼ି ଥାନା ପାର୍ଶ୍ୱରେ ଦୁର୍ଗାପୂଜା ଅବସରରେ ଗଲାକାଲି ମେଲୋଡି କାର୍ଯ୍ୟକ୍ରମ ହେଉଥିଲା । ଦୁଇ ଦୁର୍ବୃତ୍ତ ପୂଜା କମିଟି ଛାତ ଉପରୁ ଚଢ଼ି ଏକ ବୋମା ରାତି ପ୍ରାୟ ୯ଟା ୪୦ ସମୟରେ ମେଲୋଡି ଚାଲିଥିବା ଷ୍ଟେଜ୍‌ ସାମ୍‌ନା ରାସ୍ତାକୁ ଫିଙ୍ଗିଥିଲେ ।

ଏହି ସମୟରେ ସ୍ଥାନୀୟ ଶ୍ରୀରାମ ନଗର ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ଦୁଇ ପିଲାଙ୍କ ସହିତ ଏକ ଅଟୋରେ ଦୁର୍ଗାପୂଜା ଦେଖିବାକୁ ସହର ଭିତରକୁ ଯାଉଥିଲେ । ବୋମାଟି ଠିକ୍‌ ଅଟୋ ଉପରେ ପଡ଼ିବାରୁ ପ୍ରଚଣ୍ଡ ଶବ୍ଦ କରି ଫାଟିବା ସହିତ ମହିଳାଙ୍କ ଦେହରେ ବାଜିଥିଲା । ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ସୌଭାଗ୍ୟବଶତଃ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ । ବୋମା ମାଡ଼ରେ ଅଟୋଟି କ୍ଷତିଗ୍ରସ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ଆହତ ମହିଳାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରି ଚିକିତ୍ସା କରାଇଥିଲା । ବାଦାମବାଡ଼ି ଥାନାର ଛାତରେ ଖଞ୍ଜାହୋଇଥିବା ସିସି କ୍ୟାମେରା ଏବଂ ପୂଜା ମଣ୍ଡପ ପକ୍ଷରୁ ରାସ୍ତା ମଝିରେ ଖଞ୍ଜାହୋଇଥିବା ସିସି କ୍ୟାମେରା ଆଧାରରେ ପୁଲିସ ଦୁଇ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଥିବା ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି କହିଛନ୍ତି । ଦୁର୍ବୃତ୍ତମାନେ ପୂଜା କମିଟି ଛାତ ଉପରୁ ବୋମା ଫିଙ୍ଗିଥିବା ଶ୍ରୀ ପତି କହିଛନ୍ତି । ଅନ୍ୟପଟେ ଆହତ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଦଫା ୩୦୭ ଏବଂ ୩ ଓ ୪ ଏକ୍ସପ୍ଲୋସିଭ୍‌ ସବ୍‌ଷ୍ଟାନ୍ସ ଆକ୍ଟରେ ମାମଲା(କେସ୍‌ ନଂ ୨୪୩) ରୁଜୁ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ବାଦାମବାଡ଼ି ଥାନା ଅରୁଣୋଦୟ ମାର୍କେଟ୍‌ ନିକଟରେ ଥିବା ଡେପୁଟି ମେୟରଙ୍କ ଘର ସାମ୍‌ନାରେ ଗଲା ଜୁଲାଇ ୧୯ ତାରିଖରେ ପ୍ରଥମେ ବୋମା ମାଡ଼ ହୋଇଥିଲା । ପୁଲିସ ଅଭିଯୁକ୍ତଙ୍କୁ ଧରିବା ପୂର୍ବରୁ ବାଦାମବାଡ଼ିର ସିଲ୍‌ଭର ସିଟି ହୋଟେଲ୍‌ ସାମ୍‌ନାରେ ଦ୍ୱିତୀୟ ଥର ବୋମା ମାଡ଼ ହୋଇଥିଲା ଅଗଷ୍ଟ ୧୩ ତାରିଖ ରାତି ପ୍ରାୟ ୯ଟା ୩୦ ବେଳେ। ମାତ୍ର ଆଠ ଦିନ ବ୍ୟବଧାନରେ ଅଗଷ୍ଟ ୨୦ ତାରିଖରେ ବିଶାଲ୍‌ ହୋଟେଲ୍‌ ସାମନାରେ ରାତି ପ୍ରାୟ ୧୦ଟା ୩୦ ବେଳେ ତୃତୀୟ ବୋମା ମାଡ଼ ହୋଇଥିଲା । ପୁଣି ଅଗଷ୍ଟ ୨୮ ତାରିଖ ରାତି ପ୍ରାୟ ୯ଟା ୪୫ ମିନିଟ ପାଖାପାଖି ସମୟରେ ବାଦାମବାଡ଼ି ଜୟଶ୍ରୀ ସିନେମା ହଲ୍‌ ନିକଟରେ ଥିବା ଫୁଟପାଥ ଦୋକାନ ସାମନାରେ ଚତୁର୍ଥ ଥର ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ସେପ୍ଟେମ୍ବର ୫ ତାରିଖ ରାତି ପ୍ରାୟ ୧୧ଟା ପାଖାପାଖି ସମୟରେ ଜୟଶ୍ରୀ ସିନେମା ହଲ୍‌ ଓ ଫୁଟ୍‌ ଓଭରବ୍ରିଜ ମଝିଆମଝି ସ୍ଥାନରେ ପଞ୍ଚମ ଥର ପାଇଁ ବୋମା ମାଡ଼ ହୋଇଥିଲା । ସେହିପରି ଷଷ୍ଠ ଥର ପାଇଁ ସେପ୍ଟେମ୍ବର ୧୨ ତାରିିଖରେ ଜୟଶ୍ରୀ ସିନେମା ହଲ୍‌ ନିକଟରେ ଦିନ ପ୍ରାୟ ୨ଟା ୨୨ ମିନିଟ୍‌ ସମୟରେ ଦୁର୍ବୃତ୍ତମାନେ ବୋମା ଫିଙ୍ଗିଥିଲେ।

ସମ୍ବନ୍ଧିତ ଖବର