ଆରମ୍ଭ ହେଲା ମାଗଣା ବୁଷ୍ଟର୍‌ ଡୋଜ୍‌, ୫ ହଜାର ଟିକା ନେଲେ

କଟକରେ ସଂକ୍ରମଣ ୨୦୦ ପାର୍‌; ୬ ଏସ୍‌ସିବିରେ ଭର୍ତ୍ତି

କଟକ: ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଛି ମାଗଣା ବୁଷ୍ଟର୍‌ ଡୋଜ୍‌ ବା ପ୍ରିକସନ୍‌ ଡୋଜ୍ ବ୍ୟବସ୍ଥା। ପ୍ରଥମ ଦିନରେ କଟକ ଜିଲ୍ଲାରେ ୫ହଜାର ଟିକା ଦିଆଯାଇଛି। କଟକ ବଡ଼ଡାକ୍ତରଖାନା, ସିଟି ହସ୍ପିଟାଲ୍‌, ଚାଉଳିଆଗଞ୍ଜ ଓ ସିଡିଏ ଅର୍ବାନ୍‌ ସିଏଚ୍‌ସି ସମେତ ୧୪ଟି ବ୍ଲକ୍‌ରେ କୋଭାକ୍ସିନ୍‌ ଓ କୋଭିସିଲଡ୍ ଟିକା ପ୍ରଦାନ କରାଯାଇଛି। ସବୁଠି ଅନ୍‌ଲାଇନ୍‌ ମାଧ୍ୟମରେ ଟିକା ପ୍ରଦାନ କରାଯାଇଥିଲା। ତେବେ ଜିଲ୍ଲାରେ ଟିକା ଅଭାବ ରହିଥିବା ବେଳେ, ଆସିଥିବା ୧୦ ହଜାର ଟିକାକୁ ଭାଗବାଣ୍ଟି ସବୁ ସ୍ଥାନକୁ ପଠାଯାଇଛି। ଆସନ୍ତକାଲିଠାରୁ ସିଏମ୍‌ସିରେ ଟିକାଦାନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବା ସହ ପର୍ଯ୍ୟାୟ କ୍ରମେ ଗ୍ରାମାଞ୍ଚଳରେ ମଧ୍ୟ ଏହାର ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରିଥିବା ବେଳେ ଖୁବ୍‌ ଶୀଘ୍ର ପ୍ରିକସନ୍‌ ଡୋଜ୍‌ ଟିକା ଜିଲ୍ଲାକୁ ରାଜ୍ୟରୁ ଆସିବ ବୋଲି ଜଣାପଡିଛି। ଅନ୍ୟପଟେ କଟକରେ ୨ଶହ ଟପିଛି ସଂକ୍ରମିତଙ୍କ ସଂଖ୍ୟା।

ଗତକାଲି ୨୪ଘଣ୍ଟାରେ କଟକରୁ ୨୦୫ଜଣ ଚିହ୍ନଟ ହୋଇଛନ୍ତି। ୧୮୫୪ ନମୁନା ପରୀକ୍ଷାରୁ ୨୦୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୭୩୫ ରହିଥିବା ବେଳେ ଟିପିଆର୍‌ ରେଟ୍‌ ୯.୦୯ ରହିଥିବା ସ୍ବାସ୍ଥ୍ୟ ବିଭାଗ କୋଭିଡ୍‌ ଡାଟାବେସ୍‌ରୁ ଜଣାପଡ଼ିଛି। ଅନ୍ୟପଟେ ଏସ୍‌ସିବିରେ ୬ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ବାକି ସମସ୍ତ ରୋଗୀ ଗୃହ ସଙ୍ଗରୋଧରେ ଚିକିତ୍ସିତ ହେଉଛନ୍ତି। କଟକ ସହରରୁ ୧୨୫ ଓ ଗ୍ରାମାଞ୍ଚଳରୁ ୭୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ଜଣ ଅନ୍ୟ ଜିଲ୍ଲାର ବୋଲି ଜଣାପଡିଛି। ଗ୍ରାମାଞ୍ଚଳର କଣ୍ଟାପଡ଼ାରୁ ସର୍ବାଧିକ ୧୬ଜଣ ଓ ନିଆଳିରୁ ୧୦ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର