ଶିକ୍ଷକ ଏବେ ସୁପରଭାଇଜର୍‌ ! ଗଛ କାଟୁଛନ୍ତି, ଇଟା ବୁହାଉଛନ୍ତି କର୍ମଚାରୀ; ବୋର୍ଡ ଅଧିକାରୀଙ୍କ ନିର୍ଦ୍ଦେଶ…!

କଟକ: କରୋନା ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଶିକ୍ଷାଦାନ କରାଯିବ, ‌‌ସେଥିପାଇଁ ଚିନ୍ତା ନାହିଁ। ଶିକ୍ଷକମାନଙ୍କୁ ନିର୍ମାଣ କାର୍ଯ୍ୟର ସୁପରଭାଇଜର ଭାବେ ଦାୟିତ୍ବ ଦିଆଯାଉଛି। କିଛି ଅସ୍ଥାୟୀ କର୍ମଚାରୀଙ୍କୁ ଗଛ କାଟିବା, କଟା ଗଛକୁ ବୋହିବା କାମ ଦିଆଯାଉଛି। ଏମିତିକି କିଛି ଅସ୍ଥାୟୀ କର୍ମଚାରୀଙ୍କୁ ଇଟା ବୁହା କାର୍ଯ୍ୟରେ ବି ନିୟୋଜିତ କରାଯାଉଛି। ଶିକ୍ଷକଙ୍କୁ ଲାଇବ୍ରେରି ଦାୟିତ୍ବରେ ରଖା ଯାଇଛି। ଏକଦା ସାରା ରାଜ୍ୟରେ ଗର୍ବ ଆଉ ଗୌରବର ସହ ମୁଣ୍ଡ ଟେକି ଛିଡ଼ା ହୋଇଥିବା ମାଧ୍ୟମିକ ଶିକ୍ଷା ପରିଷଦ(ବ‌ୋର୍ଡ) ଦ୍ବାରା ପରିଚାଳିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ଇଏ ହେଉଛି ବର୍ତ୍ତମାନର ସ୍ଥିତି। ଏହାକୁ ନେଇ ଶିକ୍ଷକ, କର୍ମଚାରୀ ମହଲରେ ଅସନ୍ତୋଷ ବଢି ଚାଲିଥିବା ବେଳେ ଚାକିରି ବଂଚାଇବା ଭୟରେ କେହି ମୁହଁ ଖୋଲିବାକୁ ସାହସ କୁଳାଇ ପାରୁ ନାହାନ୍ତି। ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଅଧିକାଂଶ ସମୟରେ ସ୍କୁଲକୁ ଆସି ଶିକ୍ଷକ ତଥା କର୍ମଚାରୀଙ୍କୁ ଏପରି କାର୍ଯ୍ୟରେ ‌ନିୟୋଜନ କରିବାକୁ ବାଧ୍ୟ କରୁ ଥିବା ଅନେକ ଶିକ୍ଷକ ନିଜର ନାମ ଗୋପନ ରଖି ଅଭିଯୋଗ କରିଛନ୍ତି। ସ୍କୁଲ ପରିସର, ବୋର୍ଡ ଅଫିସ ପରିସରରୁ ମନଇଚ୍ଛା ଗଛ କାଟିବା, ଶିକ୍ଷକ କର୍ମଚାରୀଙ୍କୁ ପାଠପଢା ଭିନ୍ନ ଏଭଳି କାର୍ଯ୍ୟରେ ନିୟୋଜନ କରିବାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବୋର୍ଡ ସଭାପତି ଓ ଅନ୍ୟ ଅଧିକାରୀଙ୍କ ନିରବତା ଏ କ୍ଷେତ୍ରରେ ସନ୍ଦେହଜନକ ସ୍ଥିତି ସୃଷ୍ଟି କରିଛି।

Sambad

ସୂଚନା ଅନୁଯାୟୀ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ୩୮ ଲକ୍ଷ ଟଙ୍କା ଆସି ଥିବା ବେଳେ ଆର୍‌ ଆଣ୍ଡ୍ ବି ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ନିର୍ମାଣ କାର୍ଯ୍ୟ ଘରୋଇ ଠିକାଦାରଙ୍କୁ ଦିଆଯାଇଛି। କିନ୍ତୁ ବିଦ୍ୟାଳୟର ପାଇଖାନା, ପରିସ୍ରାଗାର ମରାମତି ଆଦି କାର୍ଯ୍ୟ ଦେଖାଶୁଣା କରିବାକୁ ବୋର୍ଡର ସଂପୃକ୍ତ ଅଧିକାରୀ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକମାନେ ଏଥିରେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଭୟରେ କାର୍ଯ୍ୟର ସୁପରଭାଇଜର ଭାବେ ଛିଡ଼ା ହେଉଛନ୍ତି। ବୋର୍ଡ ସ୍କୁଲରେ ଲାଇବ୍ରେରି ଶିକ୍ଷକ ନଥିବାରୁ ଜଣେ ଶିକ୍ଷକଙ୍କୁ ଲାଇବ୍ରେରି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୋର୍ଡ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ବୋର୍ଡ ସ୍କୁଲ ସମେତ ଥୋରିଆସାହି ବାଳିକା ହାଇସ୍କୁଲ‌ର ପ୍ରଧାନଶିକ୍ଷକ ଦାୟିତ୍ବ ଦିଆଯାଇଥିବାରୁ ଏବେ ସେ କେଉଁ ସ୍କୁଲରେ ବି ସଂପୂର୍ଣ୍ଣ ସମୟ ‌ଦେଇପାରୁ ନାହାନ୍ତି। ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ସ୍କୁଲ ପିଲାଙ୍କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିବା ଓ ବିଦ୍ୟାଳୟର ଶୈକ୍ଷିକ ବିକାଶ କରିବା ବଦଳରେ ସଂପୃକ୍ତ ଅଧିକାରୀ ବୋର୍ଡ ସ୍କୁଲର ବରିଷ୍ଠ ତଥା ଅଭିଜ୍ଞ ଶିକ୍ଷକମାନଙ୍କୁ ଏପରି ଭିନ୍ନ କାମରେ ଲଗାଉଥିବାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ବୋର୍ଡ ସ୍କୁଲର ଜଣେ ଶିକ୍ଷକ କହିବା ଅନୁସାରେ, ବୋର୍ଡର ସଂପୃକ୍ତ ଅଧିକାରୀ ଅଧିକାଂଶ ସମୟରେ ‌ସ୍କୁଲକୁ ଆସି ଏଭଳି ବିଭିନ୍ନ କାମରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ‌ଦେଉଛନ୍ତି। ଅନ୍ୟପଟେ ବିଦ୍ୟାଳୟ ମଧ୍ୟରେ ଓ ବୋର୍ଡ ପରିସରରେ ବିଭିନ୍ନ ଗଛକଟାକୁ ନେଇ ବୋର୍ଡର କର୍ମଚାରୀମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ‌ଜଣେ କର୍ମଚାରୀ କହିଛନ୍ତି, ବୋର୍ଡ କାର୍ଯ୍ୟାଳୟର ମୁଖ୍ୟ ପାଠକ ପାଖରେ ଥିବା ଏକ ପୁରୁଣା ଚମ୍ପା ଗଛକୁ କଟାଯାଇଛି। ନୂଆ ଗଛ ଲଗାଇବା ବଦଳରେ ସଂପୃକ୍ତ ଅଧିକାରୀ କ’ଣ ପାଇଁ ପୁରୁଣା ଗଛ ସମେତ କିଛି ଗଛର ବଡ଼ ବଡ଼ ଡାଳ କାଟି ଦେଇଛନ୍ତି, ତାହା ବୁଝି ହେଉନାହିଁ ବୋଲି ‌ସଂପୃକ୍ତ କର୍ମଚାରୀ ଅଭିଯୋଗ କରିଛନ୍ତି। ମାଟ୍ରିକ୍ ପରୀକ୍ଷା ଭଳି ଗୁରୁଦାୟିତ୍ବ ମୁଣ୍ଡ ଉପରେ ରହିଥିବା ବେଳେ ସଂପୃକ୍ତ ଅଧିକାରୀ ସେ ବିଷୟରେ ‌ଧ୍ୟାନ ‌ନ ଦେଇ ଏଭଳି କାମରେ ବ୍ୟସ୍ତ ରହିବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର