ବକ୍ସ ଡ୍ରେନ୍ ଭେଳିକି; ବର୍ଷକୁ ୩ ମାସ କାମ ବନ୍ଦ; କାମ ସରିଯିବ ୧୧ ମାସରେ?

ପ୍ରକଳ୍ପ ତଦାରଖ ପାଇଁ ବି ନାହାନ୍ତି ଆବଶ୍ୟକ ଅଧିକାରୀ କି ଇଂଜିନିୟର; ପ୍ରକଳ୍ପ ନିର୍ଦ୍ଦେଶକ ପଦବିରେ ବର୍ଷେ ହେଲା ପ୍ରଶାସକ

କଟକ: ବନ୍ଦ ହୋଇ ପଡିଥିବା ସହରର ବହୁ ପ୍ରତୀକ୍ଷିତ ବକ୍ସ ଡ୍ରେନ୍ କାମ ପାଇଁ ସରକାର ୪୫୦ କୋଟି ୪୪ ଲକ୍ଷ ଟଙ୍କା ମଂଜୁର କରିବା ଏବଂ ଜୁଲାଇରୁ କାମ ଆରମ୍ଭ କରି ୨୦୨୨ ଡିସେମ୍ବର ସୁଦ୍ଧା ଶେଷ କରିବେ ବୋଲି ଘୋଷଣା କରିବା ଘଟଣାକୁ ସ୍ବାଗତ କରାଯାଉଛି। କିନ୍ତୁ ଦୀର୍ଘ ୮ବର୍ଷ ଧରି ପଡି ରହିଥିବା ବକ୍ସ ଡ୍ରେନ ପାଇଁ ଏଭଳି ଅବାସ୍ତବ ସମୟସୀମା କାହିଁକି ଧାର୍ଯ୍ୟ କରାଯାଇଛି ବୋଲି ଏବେ ପ୍ରଶ୍ନ ଉଠୁଛି। ଏହି ମୁଖ୍ୟ ଡ୍ରେନ୍ ଉପରେ ସହରର ଜଳ ନିଷ୍କାସନ ବ୍ୟବସ୍ଥା ନିର୍ଭରଶୀଳ। ତେଣୁ ଡ୍ରେନ୍ ଅବରୋଧ କରି ବର୍ଷା ସମୟରେ ପାଖାପାଖି ୩ ମାସ କାମ କରିବାର ଅନୁମତି ନଥାଏ। ଅର୍ଥାତ ସାଧାରଣ ଭାବେ ଜୁନ୍ ଦ୍ବିତୀୟ ସପ୍ତାହରୁ ଅକ୍ଟୋବର ପର୍ଯ୍ୟନ୍ତ ଏହି ଡ୍ରେନ ଅବରୋଧ ପାଇଁ ସିଏମସିର ଅନୁମତି ନଥାଏ। ଚଳିତ ବର୍ଷର ୩ ମାସ ଆଉ ଆସନ୍ତା ବର୍ଷର ୩ ମାସ ସମୟକୁ ବାଦ ଦେଲେ ସ୍ବାଭାବିକ ସମୟ ରହୁଛି ୧୧ ମାସ। ଅର୍ଥାତ ସେହି ୧୧ ମାସ ସ୍ବାଭାବିକ ସମୟ ଭିତରେ କାମ କରି ଶେଷ କରି ଦିଆଯିବ ୩ କିଲୋମିଟର ୪୦୦ ମିଟର ଦୀର୍ଘ ବକ୍ସ ଡ୍ରେନ୍? ୮ ବର୍ଷ ଭିତରେ ମାତ୍ର ୬୦୦ ମିଟର ବକ୍ସ ଡ୍ରେନ୍ କାମ ହୋଇ ପଡି ରହିଛି।

ଏବେ ଏଭଳି ଅବାସ୍ତବ ଘୋଷଣାକୁ ନେଇ ଏବେ ପ୍ରଶ୍ନ ଉଠୁଥିବା ବେଳେ ସେପଟେ ପ୍ରକଳ୍ପ କାମର ତଦାରଖ କରିବାକୁ ଆବଶ୍ୟକ ଇଂଜିନିୟର କି ଅଧିକାରୀ ନାହାନ୍ତି। ସହରର ୭୫ ପ୍ରତିଶତ ଜଳ ନିଷ୍କାସନ ହେଉଥିବା ଏମ୍‌ଏସ୍‌ଡବ୍ଲୁ ଡ୍ରେନ-୧ ଉପରେ ଏହି ବକ୍ସ ଡ୍ରେନ୍ ନିର୍ମାଣ ଯୋଜନା ରହିଛି। ଏଥିପାଇଁ ଗ୍ଳୋବାଲ ଟେଣ୍ଡର ଜରିଆରେ ଘରୋଇ ସଂସ୍ଥାକୁ ଅନୁମତି ମିଳିଛି ସତ ହେଲେ ଓଡ଼ିଶା ଜଳଯୋଗାଣ ଓ ପରିମଳ ପରିଷଦର ଇଂଜିନିୟର ଓ ଅଧିକାରୀ କାମର ତଦାରଖ ଦାୟିତ୍ବରେ ଅଛନ୍ତି। ସହର ମଧ୍ୟରେ ଚାଲିଥିବା ଜାଇକା ପ୍ରକଳ୍ପକୁ ମଧ୍ୟ ରାଜ୍ୟ ସରକାରଙ୍କ ଏହି ଅଧିକାରୀ ଓ ଇଂଜିନିୟର ତଦାରଖ କରୁଛନ୍ତି। ହେଲେ ପ୍ରକଳ୍ପର ତଦାରଖ କରିବା ପାଇଁ ଏବେ ଆବଶ୍ୟକ ସଂଖ୍ୟାର ଇଂଜିନିୟର କିମ୍ବା ଅଧିକାରୀ ନାହାନ୍ତି। ଏପରିକି ୨୦୨୦ ‌େମ’ରୁ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ସିଏମ୍‌ସିର କମିସନର ଦାୟିତ୍ବ ତୁଲାଉଛନ୍ତି।

ଉକ୍ତ ପଦବିଟି ଟେକ୍‌ନିକାଲ୍‌ ପଦବି ହୋଇଥିବା ବେଳେ ଏଥିରେ ଜଣେ ପ୍ରଶାସକଙ୍କୁ ଏକ ବର୍ଷରୁ ଅଧିକ ଦିନ ଧରି ସରକାର ବସାଇଛନ୍ତି। ସେହିପରି ପ୍ରକଳ୍ପରେ ଏକାଧିକ ପ୍ରୋଜେକ୍ଟ ଇଂଜିନିୟର, ଡେପୁଟି ‌େପ୍ରାଜେକ୍ଟ ଇଂଜିନିୟର ପରି ଅନେକ ପଦବି ଖାଲି ପଡିଛି। ଆଗକୁ ବର୍ଷା ଆସୁଥିବାରୁ ଆସନ୍ତା ତିନି ମାସ ପାଇଁ ଏମ୍‌ଏସ୍‌ଡବ୍ଲୁ ଡ୍ରେନରେ କାମ ନକରିବାକୁ ସିଏମ୍‌ସି ପକ୍ଷରୁ ଚିଠି କରାଯାଇଛି। ନିଗମ ପକ୍ଷରୁ ଅନୁମତି ମିଳିଲେ ଅକ୍ଟୋବର କିମ୍ବା ନଭେମ୍ବରରେ କାମ ଆରମ୍ଭ ହେବ ବୋଲି ପ୍ରକଳ୍ପ ଇଂଜିନିୟର ବିକ୍ରମ ମିଶ୍ର କହିଛନ୍ତି। ବକ୍ସ ଡ୍ରେନ କାମ ଆରମ୍ଭ ହେଲେ ସରକାର ଆବଶ୍ୟକ ସଂଖ୍ୟାର ଇଂଜିନିୟର ଓ ଅଧିକାରୀଙ୍କୁ ନିଯୁକ୍ତି ଦେବେ‌ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର