ଯୋଗ ସାଧନାର ଅନନ୍ୟ ପ୍ରତିଭା, ବାଳକ ଯୋଗଗୁରୁ ବଦ୍ରିନାଥ

ବାଙ୍କୀ: ବାଙ୍କୀର ବିସ୍ମୟ ବାଳକ ବଦ୍ରିନାଥ। ମାତ୍ର ୯ ବର୍ଷ ବୟସରେ ସେ ଯୋଗ ସାଧନାରେ ଅନନ୍ୟ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି। ସାଙ୍ଗସାଥୀଙ୍କ ମେଳରେ ଖେଳକୁଦ କରିବା ବଦଳରେ ବିଶ୍ବକୁ ନିରୋଗ ରଖିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି ବଦ୍ରିନାଥ। ପିତାମାତାଙ୍କ ପ୍ରେରଣା ତଥା ପିତାଙ୍କ ଠାରୁ ପ୍ରାରମ୍ଭିକ ଯୋଗାଭ୍ୟାସ ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ସେ। ଯୋଗ ହିଁ ଜୀବନର ସବୁକିଛି ବୋଲି କୁହନ୍ତି ବଦ୍ରିନାଥ। ବାଙ୍କୀ ଏନ୍‌ଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ଶ୍ରୀଚନ୍ଦନପୁରର ରୁଦ୍ରନାରାୟଣ ପଣ୍ଡାଙ୍କ ଏକମାତ୍ର ପୁଅ ବଦ୍ରିନାଥ। ଶ୍ରୀଶ୍ରୀ ରବିଶଙ୍କର ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଥିଲା ବେଳେ ଯୋଗଶିକ୍ଷା ପାଇଥିଲେ ବାପା ରୁଦ୍ରନାରାୟଣ। ନିଜ ଘରେ ବାପାଙ୍କୁ ଯୋଗାଭ୍ୟାସ କରୁଥିବା ଦେଖି ୫ବର୍ଷ ବୟସରୁ ବଦ୍ରିନାଥ ଯୋଗ କରିବା ଆରମ୍ଭ କରିଥିଲେ। ଯୋଗ ପ୍ରତି ପୁଅ ବଦ୍ରିର ଆଗ୍ରହ ଦେଖି ଯୋଗଶିକ୍ଷା ପ୍ରଦାନ କରିଥିଲେ ବାପା। ଆଶ୍ଚର୍ଯ୍ୟଜନକ ଭାବେ ୯ବର୍ଷ ବୟସରେ ହିଁ ଯୋଗର ୧୦୦ରୁ ଅଧିକ ଜଟିଳ ଆସନ ସେ ଅନାୟାସରେ କରି ପାରୁଛନ୍ତି।

Sambad

ଖାଲି ଏତିକି ନୁହେଁ, ନିଜେ ଯୋଗାଭ୍ୟାସ କରି ନିରୋଗ ରହିବା ସହ ଅନ୍ୟମାନଙ୍କୁ ଯୋଗଶିକ୍ଷା ପ୍ରଦାନ ପାଇଁ ପିତାଙ୍କ ସହାୟତା କରୁଥିବା ସେ ପ୍ରକାଶ କରିଛନ୍ତି। ଏଥିସହ ରୁଦ୍ରନାରାୟଣଙ୍କ ଦ୍ବାରା ପରିଚାଳିତ ଆନ୍ତର୍ଜାତିକ ଜେଡ୍‌ଏଫ୍‌ ଫାଉଣ୍ଡେସନ୍‌ର ବାଙ୍କୀ ଶାଖାରେ ପ୍ରତ୍ୟହ ଯୋଗ ପ୍ରଶିକ୍ଷଣ ଦେଉଛନ୍ତି ବାଳକ ବଦ୍ରି। ତାଙ୍କର ଯୋଗ କରିବାର ଅଭିନବ ତଥା ସରଳ କୌଶଳରେ ଅନୁପ୍ରାଣିତ ହୋଇ ବାଙ୍କୀର ଶତାଧିକ ବ୍ୟକ୍ତି ଯୋଗଶିକ୍ଷା ପ୍ରତି ଆକୃଷ୍ଟ ହୋଇଛନ୍ତି। ଏହାସହ ସାମାଜିକ ଗଣମାଧ୍ୟମ ଦ୍ବାରା ତାଙ୍କ ଯୋଗର ସିଧା ପ୍ରସାରଣ କାନାଡ଼ା, ବ୍ରାଜିଲ୍‌, ଫିଲିପାଇନ୍‌ସ୍‌, ଚୀନ୍‌ ଆଦି ଦେଶରେ ଥିବା ଫାଉଣ୍ଡେସନ୍‌ର ବିଭିନ୍ନ ଶାଖାରେ ପ୍ରଦର୍ଶିତ ହୋଇଛି ବୋଲି ପିତା ରୁଦ୍ରନାରାୟଣ ସୂଚନା ଦେଇଛନ୍ତି। ଅଧିକ ସୁଯୋଗ ଓ ପ୍ରୋତ୍ସାହନ ମିଳିଲେ ଜାତୀୟ ଓ ଅନ୍ତର୍ଜାତୀୟ ଯୋଗ ଚାମ୍ପିଅନ୍‌ ହେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କୁହନ୍ତି ବଦ୍ରି।

ସମ୍ବନ୍ଧିତ ଖବର