ପାର୍ଲର‌ରେ ଯୌନ ଶୋଷଣ; ଥାନାରେ ଅଭିଯୋଗ କଲା ପୀଡ଼ିତ ନାବାଳକ

କଟକ: ସିିଡିଏର ଏକ ପାର୍ଲର‌୍‌ ଭିତରେ ନାବାଳକ କର୍ମଚାରୀଙ୍କୁ ଯୌନ ଶୋଷଣ କରାଯାଇଛି। ନିଜକୁ ଆଇନଜୀବୀ ପରିଚୟ ଦେଉଥିବା ଜଣେ ଗ୍ରାହକ ପାର୍ଲର କର୍ମଚାରୀଙ୍କ ସହିତ ଏଭଳି କାଣ୍ତ ଘଟାଇବା ଘଟଣାର ଭିିଡିଓ ଭାଇରାଲ୍‌ ହୋଇଛି। ଘଟଣା ସ˚କ୍ରାନ୍ତରେ ଆଜି ରାତିରେ ପୀଡ଼ିତଙ୍କ ପକ୍ଷରୁ ମର୍କତନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ନୟାଗଡ଼ ଓଡ଼ଗାଁ ସୁନାମୁହିଁର ଜଣେ ବ୍ୟକ୍ତି ସିଡିଏ ସେକ୍ଟର ୯ରେ ଏକ ପାର୍ଲର‌୍‌ରେ କାମ କରନ୍ତି। ଲକ୍‌ ଡାଉନ୍‌ ପରଠାରୁ ତାଙ୍କ ସାନ ଭାଇ ମଧ୍ୟ ଉକ୍ତ ପାର୍ଲର‌୍‌ରେ କାମ ଶିଖୁଥିଲେ। ଜାନୁଆରି ମାସରୁ ଜଣେ ବ୍ୟକ୍ତି ତାଙ୍କ ପାର୍ଲରକୁ ନିୟମିତ ଚୁଟି କାଟିବାକୁ ଆସୁଥିଲେ।

ତାଙ୍କ ସାନ ଭାଇଙ୍କଠାରୁ ମୋବାଇଲ୍‌ ନମ୍ବର ନେଇ ରାତିରେ ହ୍ବାଟସ୍‌ଆପ୍‌ରେ ଅଶ୍ଳୀଳ ମେସେଜ୍‌ ପଠାଇଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବି ପ୍ରସ୍ତାବ ଦେଇଥିଲେ ଆଇନଜୀବୀ ପରିଚୟ ଦେଉଥିବା ସମ୍ପୃକ୍ତ ଗ୍ରାହକ। ଏକଥା ନାବାଳକର ବଡ଼ ଭାଇ ଜାଣିବା ପରେ ସମ୍ପୃକ୍ତ ଗ୍ରାହକଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ଗ୍ରାହକ ଜଣକ ତାଙ୍କ ସାନ ଭାଇକୁ ଦୋକାନ ବାହାରକୁ ଡାକି ଘଟଣା ପ୍ରଘଟ ନକରିବାକୁ ଚେତାବନୀ ଦେଇଥିଲେ। ତଥାପି ସୋମବାର ସମ୍ପୃକ୍ତ ବ୍ୟକ୍ତି ପାର୍ଲର‌୍‌କୁ ଆସି ରବୀନ୍ଦ୍ରଙ୍କ ଭାଇଙ୍କ ଦ୍ବାରା ଚୁଟି କଟାଇବାକୁ ଜିଦି କରିଥିଲେ।

ଚୁଟି କଟାଇବା ସମୟରେ ଗ୍ରାହକ ଜଣକ ପୂର୍ବ ଭଳି ନାବାଳକ ସହ ଅସଦାଚରଣ କରିଥିଲେ। ଏକଥାକୁ ନାବାଳକର ଭାଇ ପାର୍ଲରରେ ଅନ୍ୟ ଗ୍ରାହକଙ୍କ ଉପସ୍ଥିତିରେ ବିରୋଧ କରିଥିଲେ। କିନ୍ତୁ ତାଙ୍କୁ ସମ୍ପୃକ୍ତ ବ୍ୟକ୍ତି ଧମକାଇଥିବା ଅଭିଯୋଗରେ ଦର୍ଶାଯାଇଛି। ପାର୍ଲର‌୍‌ ଭିତରେ ନିୟମିତ ଚାଲିଥିବା ଏଭଳି କାଣ୍ତର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ବେଳେ ମର୍କତନଗର ଥାନା ପୁଲିସକୁ ଅଭିଯୋଗକାରୀ ଭିଡିଓ ଜିମା ଦେଇଛନ୍ତି। ମର୍କତନଗର ଥାନା ଆଇଆଇସି ପ୍ରଦୀପ୍ତ କୁମାର ନାୟକଙ୍କ କହିବା ଅନୁଯାୟୀ, ଜଣେ ୧୭ ବର୍ଷିୟ ନାବାଳକଙ୍କୁ ଜେଣ୍ଟସ୍‌ ପାର୍ଲର ଭିତରେ ଆଇନଜୀବୀ ପରିଚୟ ଦେଉଥିବା ଗ୍ରାହକ ଖରାପ ସମ୍ପର୍କ ରଖିଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର