ବିଦ୍ୟାଧରପୁର-ବେଲେଶ୍ୱର ପୀଠ ସଂଯୋଗ ପୋଲ, ତାଳଦଣ୍ଡା କେନାଲରେ ୧୫ ଫୁଟ୍‌ ଖୋଳିଲା ପରେ ବି ପାଣିଝର ନ ପାଇ ଯନ୍ତ୍ରୀ ଚକିତ

ଜାଗର ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା କାମ

ବିଦ୍ୟାଧରପୁର,: କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୫୧ ବେଲେଶ୍ୱର ଗ୍ରାମରେ ରହିଛି ପ୍ରସିଦ୍ଧ ଶୈବପୀଠ ବେଲେଶ୍ୱର ମହାଦେବଙ୍କ ମନ୍ଦିର। ଏହି ପୀଠର ମହିମା ସର୍ବଜନ ବିଦିତ। କିମ୍ବଦନ୍ତୀ ଅନୁସାରେ ଏହି ଶୈବପୀଠ ତିନି ଶହରୁ ଚାରି ଶହ ବର୍ଷ ପୁରୁଣା। ଏଠାରେ ପୂର୍ବରୁ ବେଲବଣ ଥିଲା। ବେଲବଣ କାଟି ହଳ କରିବା ସମୟରେ ଲଙ୍ଗଳ ମୁନରେ ଶିବଲିଙ୍ଗ ବାଜି ଥିଲା। ଚାରି ଆଡ଼େ ପ୍ରଚାରିତ ହେବା ପରେ ଲୋକମାନେ ମାଟି ବାହାର କରି ଏହି ପାତାଳ ଫୁଟା ମହାଦେବଙ୍କ ସନ୍ଧାନ ପାଇଥିଲେ। କୈଣସି ଶଗଡ଼ିଆ କୋଣାର୍କ ଭଗ୍ନ ସୂର୍ଯ୍ୟ ମନ୍ଦିରରୁ ବୃଷଭ ଆଣି ଏଠାରେ ସ୍ଥାପନ କରିଥିବା ଲୋକମୁଖରେ ଶୁଣାଯାଏ। ମନ୍ଦିର ଭିତରେ ବସିଲେ ପାତାଳରୁ ଏବେ ବି ପାଦୁକା ଦେହରେ ପଡେ ବୋଲି ମୁଖ୍ୟ ପୂଜକ ପ୍ରଦୀପ କୁମାର ପଣ୍ଡା କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଏହି ପ୍ରସିଦ୍ଧ ଶୈବପୀଠକୁ ଭକ୍ତଙ୍କ ଯିବା ଆସିବା କରିବା ପାଇଁ ବିଦ୍ୟାଧରପୁରଠାରୁ ବେଲେଶ୍ୱର ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ ଉପରେ ପୋଲ ନିର୍ମାଣ କରିବା ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ତାଳଦଣ୍ଡା କେନାଲ ଉପରେ ପୋଲ ନିର୍ମାଣ ଚାଲିଛି।

କିନ୍ତୁ ତଳ ବେସ୍ କରିବା ପାଇଁ ଖୋଳିବା ବେଳେ ଅତ୍ୟଧିକ ପାଣି ଝରିବା ଏବଂ ପାଣି ନିଷ୍କାସନ ସମସ୍ୟା ଯୋଗୁଁ ପୂର୍ତ୍ତବିଭାଗ-୧ ଇଞ୍ଜିନିୟର ମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଠି ବି ସେଭଳି ସମସ୍ୟା ଆଶଙ୍କା କରାଯାଉଥିଲା। କିନ୍ତୁ ପୋଲ କାମ ଆରମ୍ଭ ପୂର୍ବରୁ ବେଲେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା କରାଗଲା। ମାର୍ଚ୍ଚ ୧ ତାରିଖ ଜାଗର ଯାତ୍ରା ଦିନ ପ୍ରଭୁଙ୍କ ପୂଜା ପରେ ପୋଲକାମ ଆରମ୍ଭ ହେଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି ତାଳଦଣ୍ଡା କେନାଲ ପାଣି ଅଟକାଇ ମାଟି ଖୋଳିବା ପରେ ୧୫ ଫୁଟ ଯାଏ ଖୋଳିବା ପରେ କେବଳ ବାଲି ବାହାରିଲା। କିନ୍ତୁ ଏଠି ବାଲିରେ ଝର ନାହିଁ। ବାଲି ସଂପୂର୍ଣ୍ଣ ଶୁଷ୍କ। ବିନା ବାଧା ବିଘ୍ନରେ ମଜଭୁତ ବେସ୍ ତିଆରି କରି ପୋଲ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଉ ମାସକରେ ପୋଲ ନିର୍ମାଣ ସରିଯିବ ବୋଲି ଯନ୍ତ୍ରୀ ଶ୍ରୀ ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର