ଜମି ଦେବା ଆଳରେ କୋଟିଏ ୩୭ ଲକ୍ଷ ଠକେଇ, ଫସିଛନ୍ତି ସ୍ପେସାଲ୍‌ ବ୍ରାଞ୍ଚ ଅଧିକାରୀଙ୍କ ପତ୍ନୀ

ବିଲ୍‌ଡର୍‌ ଗିରଫ; ମଦ, ଯୁବତୀରେ ଉଡ଼ାଇଛି ଟଙ୍କା

କଟକ/ଜଗତପୁର: କଟକରେ ଏକ ବଡ଼ ଧରଣର ଜମି କେଳେଙ୍କାରୀ ମାମଲାରେ ଠକ ବିଲଡର ପ୍ରଶାନ୍ତ ବେହେରାକୁ ଜଗତପୁର ଥାନା ପୁଲିସ ଗିରଫ କରିଛି। ମଙ୍ଗଳାବାଗ ଥାନା ଯୋବ୍ରା ଓଏସଇବି କଲୋନିରେ ରହୁଥିବା ପ୍ରଶାନ୍ତ ଜମି କେଳେଙ୍କାରୀରେ ଓଡ଼ିଶା ପୁଲିସର ସ୍ପେସାଲ ବ୍ରାଞ୍ଚ ଅଧିକାରୀ, ବିଦ୍ୟୁତ ବିଭାଗର କର୍ମଚାରୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ପ୍ରତିଷ୍ଠିତ ବ୍ୟବସାୟୀ ଫସିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପ୍ରଶାନ୍ତ ବର୍ତ୍ତମାନ ସୁଦ୍ଧା ୧ କୋଟି ୩୭ ଲକ୍ଷ ଟଙ୍କାର କେଳେଙ୍କାରୀ କରିଥିବାର ପ୍ରମାଣ ପୁଲିସକୁ ମିଳିଛି। ସୂଚନ ଅନୁଯାୟୀ, ୨୦୧୪ରୁ ପ୍ରଶାନ୍ତ ଜୟ ମାତାଦି କନଷ୍ଟ୍ରକ୍ସନ୍ ଏଣ୍ଡ ଡେଭଲପର ପ୍ରାଇଭେଟ ଲିମିଟେଡ ନାଁରେ ବିଲଡର ସଂସ୍ଥା ଖୋଲିଥିଲା। ଜଗତପୁର ତରୋଳ ଅଞ୍ଚଳରେ ଜମି ଯୋଗାଇ ଦେବାକୁ କହି ସହରର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନିକଟରୁ ମୋଟ ଅଙ୍କର ଟଙ୍କା ନେଇ ଠକି ଆସୁଥିଲା। ଗଲା ଜୁଲାଇ ୧୨ ଓ ୧୩ ତାରିଖରେ ଠକ ପ୍ରଶାନ୍ତ ବିରୋଧରେ ୪ଟି ଜମି ଠକେଇ ମାମଲା ହୋଇଥିଲା। ୧୨ ତାରିଖରେ ଜଗତପୁରର ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ଦୀପକ କୁମାର ନାୟକଙ୍କ ନିକଟରୁ ୧୪ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଥିଲା। ସେହିଭଳି ଜଗତପୁର ଇଲେକ୍ଟ୍ରି ଅଫିସରେ କାର୍ଯ୍ୟରତ ଦିଲ୍ଲୀପ କୁମାର ସାହୁଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଓ ଓଏମପି ଷଷ୍ଠ ବାଟାଲିୟନରେ ରହୁଥିବା ସ୍ପେଶାଲ ବ୍ରାଞ୍ଚର ଜଣେ ଏଏସଆଇଙ୍କ ପତ୍ନୀ ମିନତି ସାହୁଙ୍କ ନିକଟରୁ ୨୪ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଥିଲା। ୧୩ ତାରିଖରେ ଶିଖରପୁର ଉପରସାହି ଅଞ୍ଚଳର ଅଶେଷ ସେଠୀଙ୍କ ନିକଟରୁ ୭୮ ଲକ୍ଷ ଟଙ୍କା ଠକିଥିବା ଚତୁର୍ଥ ଅଭିଯୋଗ ହୋଇଥିଲା। ଅଶେଷଙ୍କୁ ବାଣପୁର ମୌଜାରେ ୩୮ ଡିସିମିଲ୍ ଜମି ଯୋଗାଇବାକୁ ୨୦୧୮ ଜାନୁଆରି ୧୫ ତାରିଖରେ ଏକ ଚୁକ୍ତି ହୋଇଥିଲା। ଜମିର ମୂଲ୍ୟ ୭୮ ଲକ୍ଷ ଟଙ୍କା ଥିଲା। ଅଶେଷ ଅଗ୍ରୀମ ୫୦ ଲକ୍ଷ ଟଙ୍କା ପୈଠ କରିଥିଲେ। ପରେ ପୁଣି ୨୮ ଲକ୍ଷ ଟଙ୍କା ଦେଇଥିଲେ।

କିନ୍ତୁ ପ୍ରଶାନ୍ତ ଜମି ହସ୍ତାନ୍ତର କଲା ନାହିଁ। ଅଶେଷ ଟଙ୍କା ମାଗିବାରୁ ପ୍ରଶାନ୍ତ କୋଟାକ୍ ବ୍ୟାଙ୍କର ଏକ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲା। କିନ୍ତୁ ପ୍ରଶାନ୍ତର ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ଉକ୍ତ ଚେକ୍ ବାଉନ୍ସ ହୋଇଯାଇଥିଲା। ଠକାମୀର ଶିକାର ହୋଇଥିବା ଜାଣି ଚେକ୍ ବାଉନ୍ସକୁ ନେଇ ଅଶେଷ ଅଦାଲତର ଦ୍ବାରସ୍ଥ ବି ହୋଇଥିଲେ। ଜଗତପୁର ଥାନା ପୁଲିସ ଉପରୋକ୍ତ ୪ ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ମୋଟ ୪ଟି ମାମଲା ରୁଜୁ କରିଥିବା ବେଳେ ଗୁରୁବାର ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଠକ ପ୍ରଶାନ୍ତ ଜମି ଯୋଗାଇ ଦେବା ଆଳରେ ଆଣିଥିବା ଟଙ୍କାରେ ମଦ, ଯୁବତୀ ଓ ବିଳାସପୂର୍ଣ୍ଣ ସାମଗ୍ରୀ କିଣିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଯେଉଁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପ୍ରଶାନ୍ତ କିଣିଛି, ସେ ନେଇ ଅଧିକ ତଦନ୍ତ ପାଇଁ ୩ ଦିନିଆ ରିମାଣ୍ଡରେ ଜଗତପୁର ଥାନା ପୁଲିସ ପ୍ରଶାନ୍ତକୁ ଆଣିବାକୁ ଅଦାଲରେ ଆବେଦନ କରିବାକୁ ଯାଉଛି। ସେ ତରୋଳ ସମେତ ଯୋବ୍ରା ଓ ମହାନଦୀବିହାରରେ ପର୍ଯ୍ୟାୟକ୍ରମେ ଅଫିସ ଖୋଲି ଲୋକଙ୍କୁ ଠକି ଆସୁଥିଲା। ଯେଉଁ ସ୍ଥାନରେ ସେ ଅଫିସ ଖୋଲିଥିବା ପ୍ରମାଣ ମିଳିଛି, ଉକ୍ତ ସ୍ଥାନରେ ପୁଲିସ ଚଢ଼ଉ କରି ଜମି କିଣାବିକା ବାବଦ ଚୁକ୍ତିପତ୍ର ଜବତ କରିଛି। ରିମାଣ୍ଡରେ ଆସିଲେ ଠକେଇର ଶିକାର ହୋଇଥିବା ଆହୁରି ଅଭିଯୋଗକାରୀଙ୍କ ନାଁ ସାମନାକୁ ଆସିବ ବୋଲି ଥାନା ଆଇଆଇସି ରବିନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର