ଅନୁମତି ଥାଇ ବି ରାସ୍ତାରେ ଗଡ଼ି ପାରୁନି ଅଧା ବସ୍

୪ ମାସର ୮୪ କୋଟି ଟିକସ ଛାଡ଼ କରି ହାତ ଝାଡ଼ି ଦେଇଛନ୍ତି ସରକାର; ଆଉ ୩ ମାସ ଟିକସ ଛାଡ଼, ସହଜ ଋଣ ପ୍ୟାକେଜ୍ ପାଇଁ ବସ୍ ମାଲିକ ସଂଘର ଦାବି

କଟକ: କରୋନା ମହାମାରୀ ‌ପରିସ୍ଥିତିରୁ ମୁକୁଳି ଅଣ୍ଟା ସଳଖି ଛିଡା ହେବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି ଘରୋଇ ବସ୍ ମାଲିକ। ୨୦୨୦ ରେ ୮ ମାସ ଏବଂ ୨୦୨୧ ଏପ୍ରିଲରୁ ଗଲା ସୋମବାର ଯାଏ ରାସ୍ତାରେ ଗାଡ଼ି ଛିଡ଼ା ହୋଇଛି। ଏବେ ବସ୍ ଚଳାଚଳ ପାଇଁ ସଂପୂର୍ଣ୍ଣ ଅନୁମତି ଦିଆଯାଇଥିଲେ ବି ଅଧା ବସ୍ କିନ୍ତୁ ରାସ୍ତାରେ ଚାଲି ପାରି ନାହାନ୍ତି। ଅନେକ ବସ୍‌ ପଡ଼ି ରହି ରାସ୍ତାରେ ଗଡିବା ସ୍ଥିତିରେ ନାହାନ୍ତି। ସଜାଡିବାକୁ ବହୁ ମାଲିକଙ୍କ ପାଖରେ ଟଙ୍କା ନାହିଁ। ୧୪ ହଜାର ବସ ମାଲିକ ଓ ଏହି ଶିଳ୍ପ ଉପ‌ରେ ପ୍ରତ୍ୟକ୍ଷ ତଥା ପରୋକ୍ଷ‌ରେ ନିର୍ଭର କରୁଥିବା ୫୭ ହଜାର କର୍ମଚାରୀଙ୍କ ପାଇଁ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଅନେକ ପ୍ରସ୍ତାବ ରଖିଛି। ଦାବି ଅନୁଯାୟୀ ସରକାର ଅଫ୍‌ରୋଡ୍‌ (ରାସ୍ତାରେ ଗଡୁ ନଥିବା) ବସ୍‌ଗୁଡ଼ିକର ୪ ମାସର ରୋଡ୍‌ ଟ୍ୟାକ୍ସ୍‌ ଛାଡ଼ କରିଛନ୍ତି। କିନ୍ତୁ ଏହାକୁ ବସ୍‌ ମାଲିକମାନେ ସହାୟତା ବୋଲି ବିଚାର କରୁ ନାହାନ୍ତି। ବରଂ ଏହା ତାଙ୍କର ପ୍ରାପ୍ୟ ବୋଲି ସେମାନେ କହିଛନ୍ତି। ରାସ୍ତାରେ ବସ୍‌ ଗଡ଼ୁ ନ ଥିଲେ ଏବଂ ସେ ସଂପର୍କରେ ପରିବହନ ବିଭାଗକୁ ସୂଚନା ଦିଆଗଲେ ରୋଡ୍‌ଟ୍ୟାକ୍ସ୍‌ ଛାଡ଼ ‌ହେବାର ନିୟମ ରହିଛି। ତେଣୁ ସରକାର ଅଫ୍‌ରୋଡ୍‌ ବସ୍‌ଗୁଡିକର ରୋଡ୍‌ ଟ୍ୟାକ୍ସ୍‌ ଛାଡ଼ କରି ସାବାସି ନେବାର କୌଣସି ଅର୍ଥ ନାହିଁ ବୋଲି ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଉଛି। ବସ୍ ପରିବହନ ଶିଳ୍ପକୁ ପୁଣି ଥରେ ସକ୍ରିୟ କରିବା ପାଇଁ ବଡ଼ ପ୍ୟାକେଜ୍‌ର ଆବଶ୍ୟକତା ରହିଥିବା କହିଛନ୍ତି ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତା।

କିନ୍ତୁ ରାଜ୍ୟ ସରକାର ୪ ମାସର ରୋଡ୍‌ ଟ୍ୟାକ୍ସ୍‌ ଛାଡ଼ କରିବା ଘଟଣାରେ ରାଜକୋଷକୁ ପାଖାପାଖି ୮୪ କୋଟି ଟଙ୍କାର କ୍ଷତି ପହଞ୍ଚିଛି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଗୋଟିଏ ବସ୍‌ ପିଛା ମାସକୁ ୧୫ରୁ ୧୮ହଜାର ଟଙ୍କା ରୋଡ୍‌ ଟ୍ୟାକ୍ସ୍‌ ଦେବାକୁ ପଡ଼ିଥାଏ। ଏହାକୁ ଯଦି ହାରାହାରି ୧୫ ହଜାର ଟଙ୍କା ଧରାଯାଏ ତେବେ ମାସକୁ ୨୧ କୋଟି ହିସାବ‌ରେ ସରକାର ୮୪ କୋଟି ଟଙ୍କାର ରୋଡ୍‌ ଟ୍ୟାକ୍ସ୍‌ ଛାଡ଼ କରିଛନ୍ତି। ଏପ୍ରିଲ, ମେ’, ଜୁନ୍‌ ଓ ଜୁଲାଇ ମାସର ରୋଡ୍‌ ଟ୍ୟାକ୍ସ ଛାଡ଼ କରାଯାଇଛି। ଏପ୍ରିଲ ମାସର ଟ୍ୟାକ୍ସ ମାଲିକମାନେ ପୂର୍ବରୁ ଦେଇଥିବାରୁ ଏହାକୁ ପରେ ଆଡଜଷ୍ଟ୍‌ (ଭରଣା) କରାଯିବ ବୋଲି ମଧ୍ୟ କୁହାଯାଇଛି। ସରକାର ଅଗଷ୍ଟରୁ ଅକ୍ଟୋବର ଯା‌ଏ ତିନିମାସର ରୋଡ୍‌ ଟ୍ୟାକ୍ସ୍‌ ଛାଡ଼ କରିବାକୁ ବସ ମାଲିକ ସଂଘ ଦାବି ଜଣାଇଛି। ମାତ୍ର ସରକାର ଏ ଦିଗରେ ଏଯାବତ୍‌ କିଛି ପଦକ୍ଷେପ ନେଇ ନାହାନ୍ତି। ଅନ୍ୟ କେତେକ ରାଜ୍ୟରେ ବସ୍‌ ଦୀର୍ଘଦିନ ଧରି ଛିଡ଼ା ହୋଇଥିବାରୁ ତାହାର ମରାମତି କରିବାକୁ ସରକାର ବିନା ସୁଧ‌ରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛନ୍ତି। ଏ ପ୍ରସଙ୍ଗରେ ବି ବସ ମାଲିକ ସଂଘ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶା ସରକାର ଏ ପ୍ରସ୍ତାବକୁ ଏ ଯାଏ ଗ୍ରହଣ କରି ନାହାନ୍ତି। ଅଧିକାଂଶ ବସ୍‌ ମାଲିକ ଆର୍ଥିକ ଅବସ୍ଥା ‌ଏବେ ଭଲ ନାହିଁ। ଏପରିକି ବସ୍‌ ସଜାଡ଼ିବାକୁ ମଧ୍ୟ ତାଙ୍କ ପାଖରେ ଅର୍ଥ ନଥିବାରୁ ଅଧାରୁ ଅଧିକ ବସ ଆସନ୍ତା ମା‌ସେ ଦୁଇ ମାସ ଭିତରେ ରାସ୍ତାରେ ଚାଲିପାରିବ ନାହିଁ। ସରକାର ବସ୍‌ ମାଲିକଙ୍କୁ କମ ସୁଧ‌ରେ ଋଣ ଯୋଗାଇଦେବା ସହିତ ଆସନ୍ତା ତିନିମାସର ରୋଡ୍‌ ଟ୍ୟାକ୍ସ ଛାଡ଼ କଲେ ବସ୍‌ ମାଲିକ ଉପକୃତ ହୋଇପାରିବେ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର