ଶିଶୁଭବନର ବହୁ ଉପଯୋଗୀ ‘ସି-ଡାକ୍’ ପ୍ରକଳ୍ପ ଅନିଶ୍ଚିତ: ୨ ବର୍ଷ ହେଲା ଇଣ୍ଟର୍‌ନେଟ୍ ସଂଯୋଗ ମିଳୁନି; ଖତ ଖାଉଛି ୧୩ କମ୍ପ୍ୟୁଟର

କଟକ: ଶିଶୁଭବନରେ ଡାକ୍ତରୀ ପ୍ରେସ୍କ୍ରିପସନଠାରୁ ଆରମ୍ଭ କରି ଲାବରେଟୋରି ରିପୋର୍ଟ ଯାଏ କମ୍ପ୍ୟୁଟରୀକରଣ କରିବା ପାଇଁ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିଲା ସି-ଡାକ୍ ପ୍ରକଳ୍ପ। କାଗଜର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପାଖାପାଖି ୩ କୋଟି ଟଙ୍କାର ସି-ଡାକ୍ ସଫଟଓୟାର ପ୍ରକଳ୍ପ ବ୍ୟବହାର ଆରମ୍ଭ ହୋଇଥିଲା। ଶିଶୁଭବନରେ ସି-ଡାକ୍‌ର ଆଇଟି ବିଶେଷଜ୍ଞଙ୍କୁ ନିଯୁକ୍ତି ମିଳିଥିବା ବେଳେ ଡାକ୍ତରଙ୍କୁ ସଫଟଓୟାର ବ୍ୟବହାର ପାଇଁ ତାଲିମ ବି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ପାଇଁ ଇଣ୍ଟରନେଟ୍ ସଂଯୋଗ ଶିଶୁଭବନ କର୍ତ୍ତୃପକ୍ଷ ଯୋଗାଇ ପାରି ନଥିବାରୁ ୧୩ କମ୍ପ୍ୟୁଟର ଖତ ଖାଉଛି। ଏଭଳି ପରିସ୍ଥିତିରେ ଏକ ବହୁ ଉପଯୋଗୀ ବୃହତ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତାରେ ଝୁଲି ରହିଛି। ଦିଲ୍ଲୀ ନଏଡାର ସି-ଡାକ୍‌(ସେଣ୍ଟର ଫର‌୍‌ ଡେଭଲପମେଣ୍ଟ ଅଫ୍‌ ଆଡଭାନ୍ସ କମ୍ପ୍ୟୁଟି˚) ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ହୋଇଥିବା ଏମଓୟୁରେ ହସପିଟାଲଗୁଡ଼ିକୁ କମ୍ପ୍ୟୁଟରୀକରଣ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ଶିଶୁଭବନରେ ଓପିଡି, ୫ଟି ଆଇପିଡି, ଲାବରେଟୋରି, ନିରାମୟ କେନ୍ଦ୍ର, ଷ୍ଟୋର ରୁମକୁ ସି-ଡାକ୍ ସଫଟଓୟାର ମାଧ୍ୟମରେ କେନ୍ଦ୍ରୀକରଣ ଉଦ୍ଦେଶ୍ୟରେ ୨୦୨୦ ଜାନୁଆରି ୧୮ ତାରିଖରୁ ବ୍ୟବହାର ହୋଇଥିଲା। ଏଥିପାଇଁ ସି-ଡାକ୍ ପକ୍ଷରୁ ୫ ଜଣ ଆଇଟି ବିଶେଷଜ୍ଞ ନିଯୁକ୍ତ ହୋଇଥିବା ବେଳେ ରାଜ୍ୟ ସରକାର ୧୬ଟି କମ୍ପ୍ୟୁଟର ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ରହିଥିଲା ଯେ ଓପିଡି କାଉଣ୍ଟରକୁ ପ୍ରଥମେ ଯେତେବେଳେ ଜଣେ ରୋଗୀ ଆସୁଛନ୍ତି ତାଙ୍କର ପରିଚୟ ଏବଂ ରୋଗ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଏହି ସି-ଡାକ୍ ସଫଟଓୟାରରେ ରହିବ। ଏଥିପାଇଁ ତାଙ୍କୁ ଏକ ଓପିଡି ନମ୍ବର ବା ସିଆର୍ ନମ୍ବର ଦିଆଯିବ। ଏହି ତଥ୍ୟ ଓପିଡିରେ ଥିବା ବିଭାଗୀୟ ଡାକ୍ତରଙ୍କ କମ୍ପ୍ୟୁଟରକୁ ସି-ଡାକ୍ ସଫଟଓୟାର ମାଧ୍ୟମରେ ଅନଲାଇନରେ ଯୋଗାଇ ଦିଆଯିବ। ଡାକ୍ତର କେବଳ ଉକ୍ତ ସିଆର୍ ନମ୍ବର ବ୍ୟବହାର କରି ସମ୍ପୂର୍ଣ୍ଣ ତଥ୍ୟ ରୋଗୀ ସମ୍ପର୍କରେ ଜାଣିପାରିବେ। ଡାକ୍ତର ବି ଯେଉଁ ଔଷଧ ଚିଠା ଲେଖିବେ ତାହାକୁ କାଗଜ ବଦଳରେ କମ୍ପ୍ୟୁଟରରେ ଲେଖିବେ। କମ୍ପ୍ୟୁଟରରେ ଲେଖିଲା ବେଳେ ଶିଶୁଭବନ ନିରାମୟ କେନ୍ଦ୍ରରେ କେଉଁ ଔଷଧ ମହଜୁଦ ରହିଛି, ସେ ସମ୍ପର୍କିତ ତାଲିକା ବି ଡାକ୍ତର ଅନଲାଇନରେ ଦେଖିପାରିବେ।

ରୋଗୀ କେବଳ ନିରାମୟ କେନ୍ଦ୍ରରେ ଉକ୍ତ ସିଆର୍ ନମ୍ବର କହିଲେ ଡାକ୍ତର କେଉଁ ଔଷଧ ଲେଖିଛନ୍ତି, ତାହା ନିରାମୟ କେନ୍ଦ୍ରର କମ୍ପ୍ୟୁଟରର ସି-ଡାକ ସଫଟଓୟାର ମାଧ୍ୟମରେ କର୍ମଚାରୀ ଜାଣିପାରିବେ। ଲାବରେଟୋରିରେ ଜଣେ ରୋଗୀ କୌଣସି ନମୁନା ପରୀକ୍ଷା କଲେ କିମ୍ବା ଏକ୍ସ-ରେ କଲେ ତାଙ୍କୁ ରିପୋର୍ଟ ପାଇବା ପାଇଁ କାଉଣ୍ଟର ବାହାରେ ଧାଡ଼ି ଲଗାଇ ଛିଡ଼ା ହେବାକୁ ପଡ଼ିବ ନାହିଁ। ରୋଗୀଙ୍କ ଏହି ରିପୋର୍ଟ ଇନଡୋର କିମ୍ବା ଆଉଟଡୋରରେ ଡାକ୍ତରଙ୍କ କମ୍ପ୍ୟୁଟରକୁ ସଫଟଓୟାର ମାଧ୍ୟମରେ ପଠାଯିବ। ରୋଗୀଙ୍କ ମୋବାଇଲକୁ ଏକ ଲିଙ୍କ ବି ମ୍ୟାସେଜ୍ ଯିବ। ଉକ୍ତ ଲିଙ୍କ୍ କ୍ଲିକ୍ କରି ଓଟିପି ଦେଲେ ରିପୋର୍ଟ ବି ଦେଖିପାରିବେ। ଆଇପିଡିରେ ଥିବା ନର୍ସ ବି ଯଦି କୌଣସି ଔଷଧ, ଇଞ୍ଜେକ୍ସନ, ଗଜ କପଡ଼ା, ତୁଳା କିମ୍ବା କୌଣସି ପ୍ରକାର ସାମଗ୍ରୀର ଆବଶ୍ୟକ କରନ୍ତି, ତାଙ୍କୁ ଶିଶୁଭବନ ଷ୍ଟୋରକୁ ଯିବାକୁ ପଡ଼ିବ ନାହିଁ। ଏ ସମ୍ପର୍କରେ ସୂଚନା ମଧ୍ୟ ସି-ଡାକ୍ ସଫଟଓୟାର ମାଧ୍ୟମରେ ପଠାଇ ପାରିବେ। ମୋଟାମୋଟି ଭାବେ କହିବାକୁ ଗଲେ ଶିଶୁଭବନର ସମସ୍ତ ବିଭାଗକୁ ସି-ଡାକ୍ ଆପ୍ଲିକେସନ୍ ମାଧ୍ୟମରେ ଏକାଠି କରି କାଗଜର ବ୍ୟବହାର ହ୍ରାସ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏ ପ୍ରକାର ପ୍ରକଳ୍ପ ଆରମ୍ଭ କରିଥିଲେ। ଏଥିପାଇଁ ସେପ୍ଟେମ୍ବର ୩୦ ତାରିଖରେ ସି-ଡାକ୍ ସଫଟଓୟାର ବ୍ୟବହାର ସମ୍ପର୍କରେ ଶିଶୁଭବନର ପ୍ରାୟ ୪୦ ବରିଷ୍ଠ ଡାକ୍ତରଙ୍କୁ ବି ତାଲିମ୍ ଦିଆଯାଇଛି। କିନ୍ତୁ ଏହି ପ୍ରକଳ୍ପ ଆରମ୍ଭକୁ ଦୁଇ ବର୍ଷ ପୂରିବାକୁ ବସିଥିବା ବେଳେ ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ମାତ୍ର ଦୁଇଟି କମ୍ପ୍ୟୁଟରରେ ଓପିଡି କାଉଣ୍ଟରରେ କେବଳ ରୋଗୀଙ୍କ ଟିକଟ୍ କାଟିବାରେ ବ୍ୟବହାର ହେଉଥିବା ବେଳେ ଆଉ ଗୋଟିଏ କମ୍ପ୍ୟୁଟରକୁ ସର୍ଭର ଭାବେ ବ୍ୟବହାର କରାଯାଉଛି। ଶିଶୁଭବନ ଜାପାନ କୋଠାକୁ ମାତ୍ର ଗୋଟିଏ ଇଣ୍ଟରନେଟ୍ ସଂଯୋଗ ଆସିଥିବାରୁ ସେଥିରେ କେବଳ ଓପିଡି କାଉଣ୍ଟରର ଦୁଇଟି କମ୍ପ୍ୟୁଟର କାର୍ଯ୍ୟକ୍ଷମ ହେଉଛି।

ଅନ୍ୟ ୧୩ଟି କମ୍ପ୍ୟୁଟର ସଂଯୋଗ ପାଇଁ ଇଣ୍ଟରନେଟ୍ ବ୍ୟବସ୍ଥା ନଥିବାରୁ କମ୍ପ୍ୟୁଟର ଗୁଡ଼ିକ ଖତ ଖାଉଛି। ଶିଶୁଭବନର ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ, ବିଏସଏନଏଲର ଗୋଟିଏ ଇଣ୍ଟରନେଟ ସଂଯୋଗ ଏବେ ଓପିଡିରେ ରହିଛି। ଠିକ୍ ସମୟରେ ଇଣ୍ଟରନେଟ୍ ବିଲ୍ ପୈଠ ହେଉ ନଥିବାରୁ ବାରମ୍ବାର ସଂଯୋଗ କାଟି ଦିଆଯାଉଛି। ସି-ଡାକ ସର୍ଭର ଚଲାଇବା ପାଇଁ ଇଣ୍ଟରନେଟ୍ ସଂଯୋଗ ନାହିଁ। ମୋବାଇଲ୍ ହଟସ୍ପଟରେ ସି-ଡାକ୍ ସର୍ଭର କମ୍ପ୍ୟୁଟର ଚଲାଯାଉଛି। ଇଣ୍ଟରନେଟ ନଥିବାରୁ ଅବଶିଷ୍ଟ ୧୩ କମ୍ପ୍ୟୁଟର ୨ ବର୍ଷ ହେବ ପଡ଼ିରହିଥିବା ସମ୍ପୃକ୍ତ ଡାକ୍ତର କହିଛନ୍ତି। ଅନ୍ୟପଟେ ଶିଶୁଭବନରେ ସି-ଡାକ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆହୁରି ୪୫ଟି କମ୍ପ୍ୟୁଟରର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଦୁଇ ବର୍ଷ ହେବ ଯେଉଁ ୧୬ଟି କମ୍ପ୍ୟୁଟର ଯୋଗାଇଛନ୍ତି, ଶିଶୁଭବନ କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକ୍ଷମ କରିପାରୁ ନାହାନ୍ତି। ଆହୁରି କମ୍ପ୍ୟୁଟର ଆସିବା ନେଇ ଆଶଙ୍କା ଦେଖା ଦେଇଛି। ହସପିଟାଲ୍ ପକ୍ଷରୁ ବାରମ୍ବାର ଶିଶୁଭବନ କର୍ତ୍ତୃପକ୍ଷଙ୍କୁ ଇଣ୍ଟରନେଟ୍ ସଂଯୋଗ ପାଇଁ ଅବଗତ କରାଯାଇଥିଲେ ସୁଦ୍ଧା ସଂଯୋଗ ମିଳିପାରିଲା ନାହିଁ। ଏଭଳି ପରିସ୍ଥିତିରେ ସି-ଡାକ୍ ପ୍ରକଳ୍ପ ଭବିଷ୍ୟତ ଏବେ ଅନିଶ୍ଚିତ ହୋଇପଡିଛି।

ସମ୍ବନ୍ଧିତ ଖବର