ତିନି ପ୍ରତିରୋପଣ ପରେ ଆଣ୍ଠେଇଛି; ୧୧ମାସ ହେଲା ବନ୍ଦ କାଡାଭରିକ୍‌ ପ୍ରତିରୋପଣ ବ୍ୟବସ୍ଥା, ଅପେକ୍ଷାରେ ୫୦ରୁ ଅଧିକ ହିତାଧିକାରୀ

କଟକ: ବର୍ଷକ ତଳେ ରାଜ୍ୟ ଚିକିତ୍ସା ବିଜ୍ଞାନରେ ଇତିହାସ ରଚିଥିଲା ଏସ୍‌ସିବି ମେଡିକାଲ୍‌। କାଡାଭରିକ୍‌ ପ୍ରତିରୋପଣ ବ୍ୟବସ୍ଥା ମାଧ୍ୟମରେ ୬ଜଣଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା କିଡ୍‌ନି। ଫେବ୍ରୁଆରି ମାସରେ ୩ଜଣ ବ୍ରେନ୍‌ ଡେନ୍‌ ରୋଗୀଙ୍କ କିଡ୍‌ନି ଦ୍ବାରା ଅନ୍ୟ ୬ଜଣ ରୋଗୀ ନୂଆ ଜୀବନ ପାଇଥିଲେ। ଫଳରେ ଏହି ବ୍ୟବସ୍ଥାରୁ ସୁଫଳ ପାଇବା ପାଇଁ ଏବେ ୫୦ରୁ ଅଧିକ କାଡାଭରିକ୍‌ କିଡ୍‌ନି ପ୍ରତିରୋପଣ ପା‌ଇଁ ‘ସୋଟୋ’ ପାଖରେ ଆବେଦନ କରିଛନ୍ତି। ହେଲେ ସେମାନେ ଏବେ ନିରାଶ। କାରଣ ଏବେ ୧୧ମାସ ହେଲା କାଡାଭରିକ୍‌ ପ୍ରତିରୋପଣ ବ୍ୟବସ୍ଥା ବନ୍ଦ। ପୁଣି ଏହି ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବା ପାଇଁ ଦାବି ହେଉଛି। ଗୋଟିଏ ପଟେ କରୋନା ମାଡ଼ ଓ ଅନ୍ୟପଟେ ରାଜ୍ୟରେ କାଡାଭରିକ ପ୍ରତିରୋପଣ ବ୍ୟବସ୍ଥାକୁ ରୂପ ଦେବାରେ ମୁଖ୍ୟ ପୁରୋଧା‌ ଥିବା ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ମୃତ୍ୟୁ ପରେ ଏବେ ଏସ୍‌ସିବି କାଡାଭରିକ୍‌ ସୋଟୋର ଇନ୍‌ଷ୍ଟିଚ୍ୟୁସନାଲ ନୋଡାଲ ଅଫିସର ପଦବି ଖାଲି। କାହାରିକୁ ଏହି ପଦରେ ଯଦିଓ ନିଯୁକ୍ତି ମିଳି ନାହିଁ, କିନ୍ତୁ ଏସ୍‌ସିବି ଅଧ୍ୟକ୍ଷଙ୍କ ତତ୍ତ୍ବାବଧାନରେ ଗତମାସରେ କିଛିଟା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ରାଜ୍ୟରେ ଏସ୍‌ସିବିରେ ଲିଭର ପ୍ରତିରୋପଣ ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଖତ ଖାଉଥିବାବେଳେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲାନି। ଏହାର ଢେର ପରେ ଏହି ଯୋଜନା ଆରମ୍ଭ କରି ଘରୋଇ ହସ୍ପିଟାଲ ସଫଳ ହୋଇପାରିଲା। କିନ୍ତୁ ସରକାରୀ ମେଡିକାଲରେ ଭିତ୍ତିଭୂମି ଥାଇ ବି ତାହା କାର୍ଯ୍ୟକ୍ଷମ ହୋଇପାରିଲାନି। ଏବେ ପାଖାପାଖି ୨୦କୋଟି ଟଙ୍କା ପାଣିରେ ପଡିଲା। କିନ୍ତୁ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା ଏସ୍‌ସିବିରେ ଆରମ୍ଭ ୧୦ବର୍ଷରୁ ଅଧିକ ହେବ ଆରମ୍ଭ ହୋଇଥିବାବେଳେ ପାଖାପାଖି ୨ଶହରୁ ଅଧିକ କିଡ୍‌ନି ପ୍ରତିରୋପଣ ଏସ୍‌ସିବି ୟୁରୋଲୋଜି ଏସ୍‌ସିବିରେ କରା ସରିଛି। ଏଥିସହ ଫେବ୍ରୁ୍ଆରି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଛି ଓଡ଼ିଶା। କାଡଭରିକ୍‌ ପ୍ରତିରୋପଣ(ଟ୍ରାନ୍ସପ୍ଲାଣ୍ଟ) କରି କିଡ୍‌ନି ନଷ୍ଟ ହୋଇଯାଇଥିବା ଜଣେ ରୋଗୀଙ୍କ ଶରୀରରେ ସଫଳତାର ସହିତ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର କରିଛନ୍ତି ବିଶେଷଜ୍ଞ ଡାକ୍ତରୀ ଦଳ। ପ୍ରାୟ ଅଢେଇ ଘଣ୍ଟାର ପ୍ରକ୍ରିୟାରେ ରୋଗୀ ଦେହରେ ସଫଳତାର ସହିତ କିଡନି ପ୍ରତିରୋପଣ କରାଯାଇଥିଲା। ପ୍ରଥମ କରି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଜଣେ ମୃତ (ବ୍ରେନ୍‌ ଡେଡ୍‌) ରୋଗୀଙ୍କ କିଡ୍‌ନିକୁ ଅସ୍ତ୍ରୋପଚାର କରି ବାହାର କରାଯାଇ ସୁରକ୍ଷିତ ଭାବେ ମଧ୍ୟରାତ୍ରରେ ଭୁବନେଶ୍ବରରୁ କଟକ ବଡ ଡାକ୍ତରଖାନାକୁ ଅଣାଯାଇ କିଡ୍‌ନି ରୋଗରେ ଆକ୍ରାନ୍ତ ଫିରୋଜ ସାହୁ(୩୧)ଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

ଏହା ପରେ ପୁଣି ୨ଜଣ ବ୍ରେନ୍‌ ଡେଡ୍‌ ରୋଗୀଙ୍କଠାରୁ ଏସ୍‌ସିବିରେ ୩ଟି କାଡାଭରିକ୍‌ ପ୍ରତିରୋପଣ କରାଯାଇଛି। ସମସ୍ତେ ସୁସ୍ଥ ବି ଅଛନ୍ତି। ଏହି କାଡାଭରିକ୍‌ ପ୍ରତିରୋପଣ ବ୍ୟବସ୍ଥାର ରାଜ୍ୟ ନୋଡାଲ ଅଫିସର ପଦରେ ଡାକ୍ତର ଉମାକାନ୍ତ ଶତପଥୀ ଥିବାବେଳେ ଏସ୍‌ସିବିରେ ଚାଲିଥିଲା ସୋଟୋର ରାଜ୍ୟ କାର୍ଯ୍ୟକ୍ରମ। ଏସ୍‌ସିବିର ନୋଡାଲ ଅଫିସର ଥିବା ଓ କାଡାଭରିକ୍‌ ପ୍ରତିରୋପଣ ବ୍ୟବସ୍ଥାକୁ ରାଜ୍ୟରେ ତ୍ବରାନ୍ବିତ କରୁଥିବା ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କ ମୃତ୍ୟୁ ପରେ ଏହି କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି। ଏପରିକି ବର୍ଷେ ହେଲା ସଟୋର ଯେଉଁ ୪୦ଲକ୍ଷ ପାଖା‌ପାଖି ଅନୁଦାନ ରାଶି ରାଜ୍ୟକୁ ଆସିବା କଥା ତା’ ମଧ୍ୟ ଆସୁନି। ସୋଟୋ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଏବେ କାଡାଭରିକ୍‌ ପ୍ରତିରୋପଣ ମାଧ୍ୟମରେ କିଡ୍‌ନି ପ୍ରତିରୋପଣ ପାଇଁ ୫୦ରୁ ଅଧିକ ଆବେଦନ କରିଛନ୍ତି। ସେମାନେ ଅପେକ୍ଷା କରିଛନ୍ତି, କେବେ କିଏ ବ୍ରେନ୍‌ ଡେଡ୍‌ ଘୋଷଣା ହେଲେ, ସେହି ରୋଗୀଙ୍କ କିଡ୍‌ନି ସେମାନଙ୍କଠାରେ ପ୍ରତିରୋପଣ କରାଯିବ।

ଏଭଳି ଅପେକ୍ଷାରେ ଶତାଧିକ ଆଶାୟୀ ଥିବାବେଳେ ଏବେ ଏହି କାର୍ଯ୍ୟକ୍ରମ କରୋନା ମାଡରେ ଏକ ପ୍ରକାର ବନ୍ଦ ହୋଇଯାଇଛି। ଗତମାସରେ ସୋଟୋ ପକ୍ଷରୁ ରାଜ୍ୟବ୍ୟାପି କାଡାଭରିକ୍ ପ୍ରତିରୋପଣ ବ୍ୟବସ୍ଥା, କିପରି ଜଣେ ମସ୍ତିସ୍କ ମୃତ ରୋଗୀଙ୍କ ଅଙ୍ଗ ଅନ୍ୟ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇପାରିବ ସେ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଭର୍ଚୁଆଲ ମିଟ୍‌ରେ କରାଯାଇଥିଲା‌। ଉଦ୍ଦେଶ୍ୟ ଥିଲା ପୁଣି ଥରେ କାଡାଭରିକ୍‌ ପ୍ରତିରୋପଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯିବ। କିନ୍ତୁ ତିନୋଟି କାଡାଭରିକ୍‌ ପ୍ରତିରୋପଣ ବ୍ୟବସ୍ଥା ପରେ ଏହି ବ୍ୟବସ୍ଥା ଏବେ ଆଣ୍ଠୋଇଛି। ଏହାକୁ ତ୍ବରାନ୍ବିତ କରିବା ପାଇଁ ତଥା ଅଙ୍ଗଦାନ କାର୍ଯ୍ୟକ୍ରମକୁ ଆଗକୁ ନେବ‌ା ପାଇଁ ଏହି କାର୍ଯ୍ୟକ୍ରମ ସହ ଜଡିତ ଥିବା ସ୍ବେଚ୍ଛାସେବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର