କର୍କଟ କେନ୍ଦ୍ରର ୧୫ କର୍ମଚାରୀଙ୍କ ଛଟେଇ ପ୍ରସଂଗ; ହାଇକୋର୍ଟଙ୍କ ଜବାବ ତଲବ

କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପକ୍ଷରୁ କର୍ମଚାରୀଙ୍କ ବହିଷ୍କାର ପ୍ରସଂଗରେ ଜାରି ନିର୍ଦ୍ଦେଶ ବିରୋଧରେ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ ଜବାବ ରଖିବାକୁ କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ ବି.ଆର୍‌. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୨୩ ତାରିଖ ଦିନ କର୍କଟ କେନ୍ଦ୍ରର ୧୫ ଜଣ କର୍ମଚାରୀଙ୍କୁ ହଠାତ ଛଟେଇ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି କର୍ମଚାରୀମାନେ ତାଲିମପ୍ରାପ୍ତ ଓ ଅନୁଭବୀ ହୋଇଥିବାବେଳେ ସେମାନଙ୍କ ଚାକିରି ନିୟମିତ ପ୍ରସଂଗ ବିଚାରାଧୀନ ରହିଥିଲା।

ଏପରି ସ୍ଥିତିରେ ସେମାନଙ୍କୁ ଛଟେଇ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏଥି ସହିତ ଦୀର୍ଘବର୍ଷ କର୍କଟ କେନ୍ଦ୍ରରେ ଚାକିରି କରିଥିବା ଏହି କର୍ମଚାରୀମାନେ ଏବେ ପରିଣତ ବୟସରେ କେଉଁଆଡେ ଯିବେ ତାକୁ ନେଇ ପ୍ରଶ୍ନ ଉଠିଥିଲା। ଅଭିଯୋଗ ହୋଇଥିଲା ‌ଯେ, ଏହି କର୍ମଚାରୀମାନେ ସେମାନଙ୍କ ସ୍ଥାୟୀ ନିଯୁକ୍ତି ନେଇ ଦୌଡ଼ି ଦୌଡ଼ି ଥକି ପଡ଼ିବା ପରେ ବି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳି ନଥିଲା। ଫଳରେ ସେମାନେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟରେ କିଛି କର୍ମଚାରୀଙ୍କ ମାମଲା ବିଚାରଧୀନ ଥିଲା। ୨ଜଣଙ୍କ ମାମଲାକୁ ବିଚାରକୁ ନେଇ ସ୍ବାସ୍ଥ୍ୟବିଭାଗ ଏକକାଳୀନ ଭାବେ ୨୩ତାରିଖ ଦିନ ୧୫ଜଣଙ୍କୁ ଛଟେଇ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର