ଜାତୀୟ କର୍କଟ ରୋଗ ସଚେତନତା ଦିବସରେ ଉଦ୍‌ବେଗ, ବର୍ଷକୁ ଦେଶରେ ସୃଷ୍ଟି ହେଉଛନ୍ତି ୧୧ ଲକ୍ଷ ନୂଆ କର୍କଟ ରୋଗୀ

କଟକ: ଦେଶରେ ଉଦ୍‌ବେଗଜନକ ହାରରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା। ପ୍ରତିବର୍ଷ ଭାରତରେ ହାରାହାରି ଭାବେ ୧୧ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ସଚେତନତା ଅଭାବରୁ ୫୦ ପ୍ରତିଶତ ବ୍ୟକ୍ତିଙ୍କର ତୃତୀୟ ଓ ଚତୁର୍ଥ ଅବସ୍ଥାରେ ରୋଗ ନିରୂପଣ ହେଉଥିବାରୁ ମୃତ୍ୟୁ ହାର ବି ବଢୁଛି। ୨୦୧୪ ମସିହାରୁ ନଭେମ୍ବର ୭ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କର୍କଟ ରୋଗ ସଚେତନତା ଦିବସ ପାଳନ କରାଯାଉଛି। ବିକିରଣ ଚିକିତ୍ସାରେ ବିଶେଷ ଉପଯୋଗିତା ରହିଥିବା ରେଡିୟମ୍‌କୁ ଉଦ୍‌ଭାବନ କରିଥିବା ମାଡାମ୍‌ କ୍ୟୁରିଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଉଛି। ୨୦୧୮ର ପରିସଂଖ୍ୟାନ ଅନୁସାରେ, ବିଶ୍ବର ୯.୬ ନିୟୁତ କର୍କଟ ରୋଗୀଙ୍କ ମଧ୍ୟରୁ ୮.୧୭ ପ୍ରତିଶତ କେବଳ ଭାରତରେ ଅଛନ୍ତି। ଚଳିତବର୍ଷ ତମାଖୁ ଯୋଗୁଁ ୩ ଲକ୍ଷ ୧୭ ହଜାର ୯୨୮ଜଣଙ୍କର କର୍କଟ ରୋଗରେ ମୃତ୍ୟୁ ଘଟିଛି। ପ୍ରତି ୨ ମିନିଟ୍‌ରେ ଜଣେ ନୂଆ ସ୍ତନକର୍କଟ ରୋଗୀ ଚିହ୍ନଟ ହେଉଥିବା ବେଳେ ପ୍ରତି ୧୩ ମିନିଟ୍‌ରେ ଜଣେ ସ୍ତନକର୍କଟ ରୋଗୀଙ୍କର ମୃତ୍ୟୁ ଘଟୁଛି।

ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରରେ ୨୦୧୬-୧୭ ମସିହାରେ ୫୬ ହଜାର ୧୨୮ ଜଣ, ୨୦୧୭-୧୮ରେ ୭୧ ହଜାର ୯୨୫, ୨୦୧୮-୧୯ରେ ୮୦ ହଜାର ୫୩୯, ୨୦୧୯-୨୦ରେ ୯୦ ହଜାର ୧୩୪, ୨୦୨୦-୨୦୨୧ରେ ବର୍ହିବିଭାଗରେ ୭୭ ହଜାର ୫୦୫ଜଣ ବ୍ୟକ୍ତି ଚିକିତ୍ସା ପାଇଁ ଆସିଥିବା ରେକର୍ଡ କହୁଛି। କର୍କଟ ରୋଗ ବ୍ୟକ୍ତିର ଜୀବନଧାରଣ ପ୍ରଣାଳୀ ଉପରେ ନିର୍ଭରଶୀଳ। ଯଦି ବ୍ୟକ୍ତି ସଚେତନ ହୋଇ ଜୀବନଧାରଣ ପ୍ରାଣାଳୀକୁ ଠିକ୍‌ ମାର୍ଗରେ ନେଇପାରିବ ଏବଂ ସଚେତନ ହୋଇ ରୋଗକୁ ପ୍ରାଥମିକ ଅବସ୍ଥାରେ ନିରୂପଣ କରିପାରିବ ‌ତେବେ ନିଶ୍ଚିତ ଭାବେ କର୍କଟ ରୋଗ ମୁକ୍ତ ସମାଜ ଗଠନ ହୋଇପାରିବ ବୋଲି ଆଚାର୍ଯ୍ୟ ହରିହର କର୍କଟ ‌ରୋଗ ପ୍ରତିଷ୍ଠାନର ପ୍ରଫେସର ଡାକ୍ତର ସୁରେନ୍ଦ୍ର ନାଥ ସେନାପତି ଓ ପ୍ରଫେସର ଡାକ୍ତର ଦୀପ୍ତିରେଖା ସାମନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର