କଟକ: ରିଂ ବନ୍ଧ ପଟୁ ସିଧାସଳଖ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଫିଟିବ ରାସ୍ତା। ରୋଗୀଙ୍କ ସୁବିଧା ପାଇଁ ତିଆରି କରାଯିବ ସ୍ଥାୟୀ ରାସ୍ତା। କିନ୍ତୁ ବର୍ଷ ବର୍ଷର ଯୋଜନା ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିଲାନି। ଯା’ଫଳରେ ଏବେ ଏସ୍ସିବି ସଂପ୍ରସାରଣ ତଥା ବିଶ୍ବସ୍ତରୀୟ ଏସ୍ସିବି ନିର୍ମାଣ ପାଇଁ ରିଂବନ୍ଧରୁ ବୋସ୍ଗଡ଼ା ରାସ୍ତାକୁ ବନ୍ଦ କରିଦିଆଯିବା ପରେ କର୍କଟ ରୋଗୀ ଓ ଚିକିତ୍ସକଙ୍କ ଯିବାକୁ ରାସ୍ତା ନାହିଁ। ତେଣୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ରୋଗୀମାନେ ଏସ୍ସିବି ଭିତର ଦେଇ କର୍କଟ କେନ୍ଦ୍ରକୁ ଆସୁଛନ୍ତି। କେନ୍ଦ୍ରର ଡାକ୍ତର, କର୍ମଚାରୀମାନେ ମଧ୍ୟ କେନ୍ଦ୍ରକୁ ଆସିବାକୁ ହନ୍ତସନ୍ତ ହେଉଛନ୍ତି। ମଙ୍ଗଳାବାଗ ରାସ୍ତା ଓ ଏସ୍ସିବି ପରିସର ଦେଇ କର୍କଟ କେନ୍ଦ୍ରକୁ ରୋଗୀମାନେ ଆସୁଛନ୍ତି। ଅଥବା ଅନ୍ୟ କୌଣସି ଅଣଓସାରିଆ ଗଳିକନ୍ଦି ରାସ୍ତା ଦେଇ କର୍କଟ କେନ୍ଦ୍ରକୁ ଆସୁଛନ୍ତି। ଏକ ଅସ୍ଥାୟୀ ରାସ୍ତା ତିଆରି କରାଯାଇଛି, ସେହି ରାସ୍ତା ନିରାପଦ ନଥିବାରୁ ବ୍ୟବହାର କରିବାକୁ ନିରାପଦ ମଣୁ ନାହାନ୍ତି।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଉପରେ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ରୋଗୀ ନିର୍ଭର କରନ୍ତି। କିନ୍ତୁ ଏବେ ଏହି କେନ୍ଦ୍ରକୁ ଚିକିତ୍ସା ପାଇଁ ଯିବାକୁ ହେଲେ ବୁଲି ବୁଲି ଯିବାକୁ ପଡୁଛି। ଏସ୍ସିବି ସଂପ୍ରସାରଣ ଯୋଜନାରେ ବୋସ୍ଗଡ଼ା ରାସ୍ତାକୁ ବନ୍ଦ କରିଦିଆଯିବା ଫଳରେ କେନ୍ଦ୍ରକୁ ଯିବାକୁ ଥିବା ରାସ୍ତା ଏବେ ବନ୍ଦ୍। ଫଳରେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ରୋଗୀ, ଡାକ୍ତର, କର୍ମଚାରୀ; ସମସ୍ତେ ଯୋବ୍ରା ଦେଇ ଏସ୍ସିବି ରାଣୀହାଟ ଗେଟ୍ ପଟୁ ପଶି ଏସ୍ସିବି ଭିତର ଦେଇ ମଙ୍ଗଳାବାଗ ଗେଟ୍ରେ ବାହାରି କର୍କଟ କେନ୍ଦ୍ରକୁ ଯାଉଛନ୍ତି। ଆଉ କିଛି ଲୋକ କାଠଗୋଲାସାହି, ମହ୍ଲାସାହିର ଗଳି ରାସ୍ତା ଦେଇ କର୍କଟ କେନ୍ଦ୍ରକୁ ଯାଉଛନ୍ତି। ଫଳରେ ଗୁରୁତର ରୋଗୀଙ୍କ ଚିକିତ୍ସା ସେବା ବିଳମ୍ବିତ ହେବା ସହ ସିଧାସଳଖ ରାସ୍ତା ନଥିବାରୁ ଏସ୍ସିବି ପରିସରର ଭିଡ଼ ଦେଇ ଯିବାବେଳେ ରୋଗୀ, ଡାକ୍ତର, କର୍ମଚାରୀ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ଏସ୍ସିବି ସଂପ୍ରସାରଣ ଦୀର୍ଘଦିନର ପ୍ରକଳ୍ପ ହୋଇଥିବା ବେଳେ ତୁରନ୍ତ କର୍ତ୍ତୃପକ୍ଷ କର୍କଟ କେନ୍ଦ୍ରକୁ ରିଂବନ୍ଧରୁ ସିଧାସଳଖ ରାସ୍ତା ଫିଟାଇବାର ବ୍ୟବସ୍ଥା କରାଯିବା ପାଇଁ ଦାବି ହେଉଛି।