ଡହଡହ ଖରାରେ ଗଛ ତଳେ କର୍କଟ ରୋଗୀ ଘଟଣା, ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ଥିତି ଅନୁଧ୍ୟାନ; ପାଣିର ସମସ୍ୟା ବି ରହିଛି

କଟକ: ବିଶ୍ବସ୍ତରୀୟ ଏସ୍‌ସିବି, ମାଗଣା ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର ଯେ ଏତେ ଶୋଚନୀୟ ହୋଇପାରେ ତାହା ଦେଖିବାକୁ ମିଳିଛି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ। ଦିନ ଦିନ ଧରି ଡହଡହ ଖରାରେ ଗଛ ତଳେ ପଡି ରହି ମାଗଣା ଚିକିତ୍ସା ବ୍ୟବସ୍ଥାର ଲାଭ ପାଇବାକୁ ପଡି ରହିଛନ୍ତି କର୍କଟ ରୋଗୀ ଓ ସଂପର୍କୀୟ। ଏ ସଂପର୍କରେ ଲଗାତାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଘଟଣାକୁ ଗୁରୁତ୍ବର ସହିତ ନେଇଛନ୍ତି ରାଜ୍ୟ ଆଇନସେବା ପ୍ରାଧିକରଣ। ଜିଲ୍ଲା ଆଇନସେବା ପ୍ରାଧିକରଣର ଏକ ଦୁଇ ଜଣିଆ ପ୍ରତିନିଧିମଣ୍ଡଳୀ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରକୃତରେ ରୋଗୀ କେମିତି ପ୍ରଚଣ୍ଡ ଖରାରେ ଗଛ ଛାଇରେ ରହୁଛନ୍ତି ଓ ଅସୁବିଧାରେ ଥିବା ଉକ୍ତ ପ୍ରତିନିଧିମଣ୍ଡଳୀ ଅନୁଭବ କରିବା ସହିତ ପାଣିର ସମସ୍ୟା ମଧ୍ୟ ରହିଥିବା ଜାଣିବାକୁ ପାଇଛନ୍ତି। ଅନ୍ୟପଟେ ଆଜି କେନ୍ଦ୍ରର ନିର୍ଦ୍ଦେଶକ ଅନୁପସ୍ଥିତ ଥିବାରୁ ତାଙ୍କ ସହିତ ଆଲୋଚନା କରାଯାଇ ନଥିବା ଜିଲ୍ଲା ଆଇନସେବା ପ୍ରାଧିକରଣରର ପାରାଲିଗାଲ ସ୍ବେଚ୍ଛାସେବୀ ଶର୍ମିଷ୍ଠା ନନ୍ଦ ସୂଚନା ଦେଇଛନ୍ତି।

 

ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ

ସେଡ୍‌ ବାହାରେ ରହିପାରିବେନି ରୋଗୀ
କୌଣସି ରୋଗୀ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସେଡ୍‌ ବାହାରେ ରହି ପାରିବେନି। ଯେଉଁମାନେ ଗୁରୁତର ଅଛନ୍ତି ସେମାନଙ୍କୁ ତୁରନ୍ତ ଆଡମିସନ୍‌ କରାଯିବାର ବ୍ୟବସ୍ଥା କରାଯାଉ ବୋଲି କର୍କଟ କେନ୍ଦ୍ର ନିର୍ଦ୍ଦେଶକ ହସ୍ପିଟାଲ ମ୍ୟାନେଜର ଓ ସୁରକ୍ଷାକର୍ମୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଆଜି ଗଛ ତଳେ ଆଶ୍ରୟ ନେଇଥିବା ରୋଗୀଙ୍କୁ ସେଡ୍‌ ଭିତରକୁ ନିଆଯାଇଛି। ଏଥିସହ ଗୁରୁତର ରୋଗୀଙ୍କୁ ୱାର୍ଡରେ ଭର୍ତ୍ତି କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ଏହା ଯେ ବିକଳ୍ପ ବ୍ୟବସ୍ଥା ନୁହେଁ ତାହା ନିଜେ ଅନୁଭବ କରୁଛନ୍ତି ରୋଗୀ ଓ ସଂପର୍କୀୟ। ସେମାନଙ୍କ ପ୍ରଶ୍ନ ଆମେ କେଉଁଠି ରହିବୁ….। ଯେତିକି ସେଡ୍‌ ଅଛି ତାହା ପର୍ଯ୍ୟାପ୍ତ ହେଉନି। ଏଭଳି ସ୍ଥିତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ ଉପଯୁକ୍ତ ବ୍ୟବସ୍ଥା ନକଲେ ସ୍ଥିତିରେ ସୁଧାର ଆସିବନି। ଅନ୍ୟପଟେ କର୍ତ୍ତୃପକ୍ଷ ଅନେକ ରୋଗୀଙ୍କୁ ଘରକୁ ପଠାଇ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। କିନ୍ତୁ ଚିକିତ୍ସାରେ ବାଧା ଉପୁଜିବା ଭୟରେ ରୋଗୀ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଏପଟେ ଆଜି ଅପରାହ୍ନରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ସୁରକ୍ଷାକର୍ମୀ ରୋଗୀ ଶୋଉଥିବା ଗଛ ମୂଳରେ ଜଗି ବସିଥିବା ଦେଖିବାକୁ ମିଳିଥିଲା। ଆହାର କେନ୍ଦ୍ର ପାଖରେ ରହିଥିବା ‌ଖାଲି ସ୍ଥାନରେ ଅର୍ଥାତ୍‌ ଯେଉଁଠି ରୋଗୀ ଗଛ ତଳେ ରହୁଛନ୍ତି, ସେହି ସ୍ଥାନରେ ଏକ ସେଡ୍‌ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ଦିନେ ଦୁଇଦିନ ଭିତରେ ଏହାର କାର୍ଯ୍ୟ ଆରମ୍ଭ କରାଯିବାକୁ ସରକାରୀଭାବେ ନିଷ୍ପତ୍ତି ନିଆଯାଇଛି। ୬୦ ଫୁଟ ଲମ୍ବର ଏକ ସେଡ୍‌ ନିର୍ମାଣ ପାଇଁ ଯୋଜନା କରାଯାଇଥିବା ପୂର୍ତ୍ତବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର