ଦୁଷ୍କର୍ମ ଯୋଗୁଁ ପୀଡ଼ିତା ଗର୍ଭବତୀ ମାମଲା: ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସଂପୂର୍ଣ୍ଣ ଚିକିତ୍ସା ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅନିଚ୍ଛା ସତ୍ବେ ଗର୍ଭବତୀ ହୋଇଥିବା ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଷ୍କର୍ମ କେବଳ ଜଣେ ମହିଳାଙ୍କ ବିରୋଧରେ ନୁହେଁ ମାନବିକତା ବିରୋଧରେ ଅପରାଧ। ଏପରି ଅପରାଧ ପୀଡିତାଙ୍କ ମାନସିକ ସ୍ଥିତି ଉପରେ ଏକ ଦାଗ ଛାଡିବା ସହିତ ସମାଜ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ପୀଡିତାଙ୍କ ଗର୍ଭଧାରଣ ଅବଧି ୨୬ ସପ୍ତାହରୁ ଅଧିକ ହୋଇଥିବା ବେଳେ ଗର୍ଭପାତ ଦ୍ବାରା ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ମେଡିକାଲ ବୋର୍ଡ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ପୀଡିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ପୀଡିତା, ଜନ୍ମ ନେଇ ନଥିବା ଶିଶୁ ଓ ପୀଡିତାଙ୍କ ଅଭିଭାବକଙ୍କ ମଙ୍ଗଳକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପୀଡିତାଙ୍କୁ ଉପଯୁକ୍ତ ଖାଦ୍ୟପେୟ, ମେଡିକାଲ ସୁପରଭିଜନ, ଔଷଧ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ। ଏହା କଟକ ଜିଲ୍ଲାପାଳ ସୁନିଶ୍ଚିତ କରିବେ। ପିଲା ଜନ୍ମ ସମୟରେ ପୀଡିତାଙ୍କୁ ସବୁ ପ୍ରକାର ଡାକ୍ତରୀ ସୁବିଧା ପ୍ରଦାନ କରାଯିବ। ପିଲା କିଭିଳି ଭାବେ ସୁରକ୍ଷିତ ଭାବେ ଜନ୍ମନେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ଏହା ଜିଲ୍ଲା ଅାଇନସେବା ପ୍ରାଧିକରଣ ସୁନିଶ୍ଚିତ କରିବ। ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପରେ ଯଦି ପୀଡିତାଙ୍କୁ କିଛି କ୍ଷତିପୂରଣ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଏ ତେବେ ତାହା ବାଦ ଏହି ୧୦ ଲକ୍ଷ ଟଙ୍କା ତାଙ୍କୁ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ଏପ୍ରିଲ ୧୪‌ରେ କଟକ ଜିଲ୍ଲାର ଏକ ଅଞ୍ଚଳରେ ପୀଡିତାଙ୍କୁ ବଳପୂର୍ବକ ଟେକି ନେଇ କେତେକ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ପୁଲିସ ମାମଲା ରୁଜୁ କରିଥିବା ବେଳେ ଦୁଷ୍କର୍ମର ଶିକାର ପୀଡିତା ଗର୍ଭବତୀ ହୋଇଥିଲେ। ନିମ୍ନ ଅଦାଲତ ଗର୍ଭପାତ ପାଇଁ ଅନୁମତି ଦେଇ ନଥିବା ବେଳେ ପୀଡିତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ପୀଡିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗର୍ଭପାତ ଦ୍ବାରା ପୀଡିତାଙ୍କ ଜୀବନ ଓ ସ୍ବାସ୍ଥ୍ୟପ୍ରତି ବିପଦ ରହିଛି କି ନାହିଁ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ଏସସିବି ମେଡିକାଲକ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ ବୋର୍ଡ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ଗର୍ଭପାତ କରାଗଲେ ପୀଡିତାଙ୍କ ଜୀବନ ପ୍ରତି ବିପଦ ରହିଛି।

ସମ୍ବନ୍ଧିତ ଖବର