ବାରମ୍ବାର ସୁଯୋଗ ସତ୍ତ୍ବେ ପ୍ରତିଶ୍ରୁତି ପାଳନ କରିବାରେ ଆବେଦନକାରୀ ବିଫଳ

ନିଜ ଆଡ଼ୁ ଅଦାଲତ ଅବମାନନା ମାମଲା ରୁଜୁ କଲେ ହାଇକୋର୍ଟ

କଟକ: ଏକ ମାମଲାରେ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ଓ ନିଜେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଆବେଦନକାରୀ ବିଫଳ ହୋଇଥିବା ବେଳେ ହାଇକୋର୍ଟ ଅଦାଲତ ଅବମାନନା ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ରିଟ୍ ପିଟିସନ୍ ହାଇକୋର୍ଟ ଖାରଜ କରିଛନ୍ତି। ଏଥି ସହିତ ଚାରି ଆବେଦନକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ ଆବେଦନକାରୀଙ୍କୁ ଅଦାଲତ ଅବମାନନା ମାମଲାରେ ନୋଟିସ୍ ଜାରି କରିଛନ୍ତି। କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀମାନେ ଚାହିଁଲେ କାରଣ ଦର୍ଶାଅ ନୋଟିସର ଜବାବ ପୃଥକ ସତ୍ୟପାଠ ମାଧ୍ୟମରେ ଦେଇ ପାରିବେ। ଆବେଦନକାରୀ ସତ୍ୟପାଠରେ ନିଜର ସ୍ଥାବର ଓ ଅସ୍ଥାବର ସଂପତ୍ତି ସଂପର୍କିତ ତଥ୍ୟ ଉଲ୍ଲେଖ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ନୋଟିସ୍ ପ୍ରଦାନ କରାଯିବ। ଯଦି ଏହି ପ୍ରକ୍ରିୟାରେ ନୋଟିସ୍ ଜାରି ସମ୍ଭବ ନ ହେବ ତେବେ କଟକ ଡିସିପିଙ୍କ ଜରିଆରେ ଆବେଦନକାରୀଙ୍କୁ ନୋଟିସ୍ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.ତ୍ରିପାଠୀ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଏକ ଭୂମି ଅଧିଗ୍ରହଣ ମାମଲାରେ ଆବେଦନକାରୀଙ୍କୁ ଉପଯୁକ୍ତ ରାଶି ଠାରୁ ଅଧିକ ୧ କୋଟି ୯୨ ଲକ୍ଷ ୪୭ ହଜାର ୮୨ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଥିଲା ବୋଲି ଦର୍ଶାଇ କଟକ ଜିଲ୍ଲାପାଳ ନୋଟିସ୍ ଜାରି କରିଥିଲେ। ଏହି ରାଶି ଫେରାଇବାକୁ ଜିଲ୍ଲାପାଳ ନୋଟିସ୍ ଜାରି କରିଥିଲେ। ଏହି ରାଶି ଫେରା ନଯିବାରୁ ଜିଲ୍ଲାପାଳ ଆବେଦନକାରୀଙ୍କ ବ୍ୟାଙ୍କ ଖାତା ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏପରି ଅର୍ଥ ଫେରାଇବା ସଂପର୍କିତ ନୋଟିସକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ୨୦୨୧, ସେ‌େପ୍ଟମ୍ବର ୨ରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ସେପ୍ଟେମ୍ବର ୪ ସୁଦ୍ଧା ୭୬ ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କ ନାଁରେ ସ୍ଥାୟୀ ଜମା କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ହାଇକୋର୍ଟ ଏଥି ପାଇଁ ଅନୁମତି ଦେଇଥିଲେ।

ଅବଶିଷ୍ଟ ୧ କୋଟି ୧୬ ଲକ୍ଷ ୪୭ ହଜାର ୮୨ ଟଙ୍କା ୬ ସପ୍ତାହ ଭିତରେ ଜମା କରାଯିବ ବୋଲି ଆବେଦନକାରୀ କହିଥିଲେ। ନଭେମ୍ବର ୯ରେ ମାମଲାର ଶୁଣାଣି ସମୟରେ ଏହି ରାଶି ଜମା କରିବାକୁ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ହାଇକୋର୍ଟ ଶେଷ ସୁଯୋଗ ଦେଇ ଡିସେମ୍ବର ୬ ସୁଦ୍ଧା ଏହି ଟଙ୍କା ସରକାରଙ୍କ ନିକଟରେ ଜମା କରିବାକୁ ଆବେଦନକାରୀଙ୍କୁ ଅନୁମତି ଦେଇଥିଲେ। ଯଦି ମାମଲାରେ ଆବେଦନକାରୀ ସଫଳ ହୁଅନ୍ତି ତେବେ ଏହି ଟଙ୍କା ସୁଧ ସହିତ ଫେରି ପାଇବେ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ଡିସେମ୍ବର ୧୩ରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଟଙ୍କା ଜମା କରିବାକୁ ପୁଣି ସମୟ ଲୋଡା ଯାଇଥିଲା। ହାଇକୋର୍ଟ  ଅଧିକ ସମୟ ଲୋଡି ଆବେଦନକାରୀ ଦାଖଲ କରିଥିବା ଅନ୍ତରୀଣ ଆବେଦନକୁ ଖାରଜ କରିଥିଲେ। ଏଥି ସହିତ ବ୍ୟା‌ଙ୍କରେ ସ୍ଥାୟୀ ଜମା ଆକାରରେ ଥିବା ୭୬ ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କ ଖାତାରେ ଜମା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ପୂର୍ବରୁ ଆବେଦନକାରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ହାଇକୋର୍ଟ ଏଭଳି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ନିଜ ଆଡୁ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର