କେବେ ସୁଧୁରିବ ଏସ୍‌ସିବି କାଜୁଆଲିଟି ବ୍ୟବସ୍ଥା?

କଟକ: କେବେ ବ୍ୟବସ୍ଥିତ ହେବ କଟକ ବଡ଼ଡାକ୍ତରଖାନା କାଜୁଆଲିଟି? ବ୍ୟବସ୍ଥାରେ ସୁଧାର ପାଇଁ ଦେଢ ବର୍ଷ ତଳେ କାଜୁଆଲିଟିକୁ ଦୁଇଭାଗ କରା ଯାଇଥିଲା। ଟ୍ରମା ଓ ନନ୍‌ଟ୍ରମା। ତା ସତ୍ବେ ବ୍ୟବସ୍ଥାରେ ସୁଧାର ଆସିପାରୁନି। ଦହଗଞ୍ଜ ହେଉଛନ୍ତି ରୋଗୀ। ନନ୍‌ଟ୍ରମା କାଜୁଆଲିଟିରେ ଏମିତି ସ୍ଥିତି ଯେ, ମାତ୍ର ୩୦ ବେଡ୍‌କୁ ପ୍ରତିଦିନ ଅଢେଇ ଶହରୁ ୩ଶହ ରୋଗୀ। କେବଳ ସେତିକି ନୁହେଁ ଜରୁରୀକାଳୀନ ରକ୍ତ ପରୀକ୍ଷା ଓ ଇସିଜିକୁ ବାଦ୍‌ ଦେଲେ ସେଠାରେ ଆବଶ୍ୟକ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ବି ନାହିଁ। ଯଦି ରୋଗୀଙ୍କ ଅଲଟ୍ରାସାଉଣ୍ଡ ଆବଶ୍ୟକତା ରହିଛି ଓ ଚିଠା ଉପରେ ଡାକ୍ତର ‘ଅଜଜେଣ୍ଟ’ବୋଲି ଲେଖୁଛନ୍ତି ତାହେଲେ ସନ୍ଧ୍ୟା ସୁଦ୍ଧା ହୋଇପାରୁଛି ଅଲଟ୍ରାସାଉଣ୍ଡ। କିନ୍ତୁ ‘ଅଜରେଣ୍ଟ’ ଲେଖା ନଥିଲେ ଅପେକ୍ଷାର ସୀମା ନାହିଁ। ଏଭଳି ଭିତ୍ତିଭୂମି ଓ ସ୍ଥାନାଭାବ ସମସ୍ୟା ଯୋଗୁଁ ନନ୍‌ଟ୍ରମା କାଜୁଆଲିଟିକୁ ଅଲଗା ସ୍ଥାନକୁ ପରବର୍ତ୍ତନ କରିବା ପାଇଁ ଯୋଜନା ଚାଲିଥିବା ବେଳେ ତାହା ମଧ୍ୟ ଚୂଡାନ୍ତ ହୋଇପାରିନି।
କାଜୁଆଲିଟିରେ ଏକ୍ସରେ, ଅଲଟ୍ରାସାଉଣ୍ଡ ଭଳି ପରୀକ୍ଷା ବ୍ୟବସ୍ଥା ନିହାତି ରହିବା କଥା। କିନ୍ତୁ ଏସବୁ ବ୍ୟବସ୍ଥା ଏଠାରେ ଉପଲବ୍ଧ ହୋଇପାରୁ ନାହିଁ। ରକ୍ତ ନମୁନା ସଂଗ୍ରହ କରି ଦିଦିମାନେ ସଂପର୍କୀୟଙ୍କୁ ଦେଲେ ସେମାନେ ତାକୁ ପରୀକ୍ଷା ହେଉଥିବା ସ୍ଥାନକୁ ନେଇ ଯାଉଛନ୍ତି। ତ୍ବରିତ ରିପୋର୍ଟ ମିଳିବା ବ୍ୟବସ୍ଥା ହୋଇପାରୁନି। ଗୁରୁତର ରୋଗୀଙ୍କୁ ସଂପର୍କୀୟ ଚିକିତ୍ସା ପାଇଁ ଆଣିଲେ ଲାଇନ୍‌ ବ୍ୟବସ୍ଥା ଯୋଗୁଁ କାହାର ଜୀବନ ଯାଉଛି ତ କିଏ ଘରୋଇ ହସ୍ପିଟାଲକୁ ପଳାଉଛନ୍ତି। ଅଲଟ୍ରାସାଉଣ୍ଡ ପାଇଁ ରୋଗୀ ରଞ୍ଜନ ରଶ୍ମୀ ବିଭାଗ ଉପରେ ନିର୍ଭର କରୁଥିବା ବେଳେ ଅସହାୟ ରୋଗୀଙ୍କ ଅଲଟ୍ରାସାଉଣ୍ଡ ପାଇଁ ଟ୍ରମା କାଜୁଆଲିଟି ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଅନ୍ୟ ରୋଗୀ ସେହି ସୁବିଧା ପାଇପାରୁ ନାହାନ୍ତି। ଯଦି କାଜୁଆଲିଟିରୁ ରୋଗୀ ୱାର୍ଡକୁ ସ୍ଥାନାନ୍ତର ହେବ ତାହେଲେ ବ୍ୟାଟେରୀ ଗାଡିକୁ ଫୋନ କରି ନୟାନ୍ତ ହେବାକୁ ପଡୁଛି। ସରକାର ବିଶ୍ବସ୍ତରୀୟ ନିର୍ମାଣ କଥା ଘୋଷଣା କରୁଥିବା ବେଳେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାର ସୁଧାର ଆସୁ ନଥିବାରୁ ଏସସିବି ଉପରୁ ଭରସା ତୁଟୁଛି।

ସମ୍ବନ୍ଧିତ ଖବର