କଟକ: ସିବିଏସ୍ଇ ଦଶମ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। କଟକରେ ପ୍ରାୟ ସବୁ ସ୍କୁଲର ଫଳାଫଳ ଭଲ ହୋଇଛି। ୧୧ ଜଣ ଛାତ୍ରଛାତ୍ରୀ ୯୯ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରେ ଗଣ୍ଡରପୁରସ୍ଥିତ ଏଲ.ଆର.ଡିଏଭି ପବ୍ଲିକ ସ୍କୁଲରୁ ସର୍ବାଧିକ ୪ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସିଡିଏ ଡିଏଭିରୁ ୩ ଜଣ, ଡିପିଏସ୍ କଳିଙ୍ଗରୁ ୩ ଜଣ ଏବଂ ବାରବାଟୀ ଷ୍ଟାଡିୟମ ସ୍ଥିତ ସେଣ୍ଟ୍ ଜାଭିୟର୍ ହାଇସ୍କୁଲରୁ ଜଣେ ଅଛନ୍ତି। ଏଲ୍.ଆର. ଡିଏଭି ପବ୍ଲିକ୍ ସ୍କୁଲ୍ ଛାତ୍ରୀ ସଙ୍କଳ୍ପିତା ଭୂୟାଁ ୯୯.୬୦ ପ୍ରତିଶତ ନମ୍ବର ରଖି କଟକ ଟପର୍ ହୋଇଛନ୍ତି। ସେହି ସ୍କୁଲର ଦୁଇ ଜଣ ଛାତ୍ରଛାତ୍ରୀ ଅମ୍ରିତା ପଟ୍ଟନାୟକ ଓ ସନତ କୁମାର ମିଶ୍ର ୯୯.୪୦ ପ୍ରତିଶତ ନମବର ରଖି ଯୁଗ୍ମ ଭାବେ ଦ୍ବିତୀୟ ସର୍ବାଧିକ ନମ୍ବର ରଖିବାର ଗୌରବ ଅର୍ଜନ କରିଛନ୍ତି।
ଡିପିଏସ୍ରେ ୧୧୮ଛାତ୍ରଛାତ୍ରୀ ୯୦ ପ୍ରତିଶତ ଉପରେ- ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷାରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ପରୀକ୍ଷା ଦେଇଥିବା ୩୧୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମସ୍ତେ ପାସ୍ କରିଥିବା ବେଳେ ୩୪ଜଣ ଛାତ୍ରଛାତ୍ରୀ ୯୫ପ୍ରତିଶତରୁ ଅଧିକ ନମ୍ବର ଓ ୧୧୮ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାର ଗୌରବ ଅର୍ଜନ କରିଛନ୍ତି। ଛାତ୍ରୀ ଆକାଂକ୍ଷା ସିଂହ ଓ ଛାତ୍ର ସତ୍ୟେନ୍ଦୁ କର ୯୯.୨ପ୍ରତିଶତ ନମ୍ବର ରଖି ଯୁଗ୍ମ ଟପର ହୋଇଥିବା ବେଳେ ରାମେଶ୍ବରୀ ବାରିକ ୯୯ ପ୍ରତିଶତ ନମ୍ବର ରଖି ଦ୍ବିତୀୟ ଓ ଆଦିତ୍ୟ ବଳ ୯୮.୨ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ଅନୁଷ୍ଠାନର ୩ଜଣ ଇଂରାଜୀରେ, ଜଣେ ହିନ୍ଦୀରେ ୯ଜଣ ସଂସ୍କୃତରେ, ୪ଜଣ ଓଡ଼ିଆରେ ଓ ୫ଜଣ ବିଜ୍ଞାନ ବିଷୟରେ ଶହେରୁ ଶହେ ରଖି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ଟ୍ରଷ୍ଟି ମାଲା ମିଶ୍ର ଓ ଅଧ୍ୟକ୍ଷା ଅନୁରାଧା ରକ୍ଷିତ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷିକା ଓ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏଲ୍ଆର୍ ଡିଏଭିର ୧୩୪ ଜଣ ରଖିଛନ୍ତି ୯୦ ପ୍ରତିଶତରୁ ଅଧିକ-କଟକ-ମହାନଦୀ ବିହାର,୨୨।୭(ଇମିସ): ଗଣ୍ଡରପୁରସ୍ଥିତ ଲାଲା ଲଜପତ୍ ରଏ ଡି ଏ ଭି ସ୍କୁଲର ୨୪୫ ଜଣ ସିବିଏସଇ ଦଶମ ପରୀକ୍ଷା ଦେଇଥିବା ବେଳେ ସ୍କୁଲର ସଙ୍କଳ୍ପିତା ଭୂୟାଁ ୯୯.୬୦ ନମ୍ୱର ରଖି ଟପର ହୋଇଛନ୍ତି। ଅମ୍ରିତା ପଟ୍ଟନାୟକ, ସନତ କୁମାର ମିଶ୍ର ୯୯.୪୦ ନମ୍ୱର ରଖି ଦ୍ଵିତୀୟ, ଇସିତା ସାହୁ, ସଗୁନ ପରିଡ଼ା ୯୯.୨୦ ନମ୍ୱର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ୭୨ ଜଣ ୯୫ ପ୍ରତିଶତରୁ ଅଧିକ ନମ୍ୱର ରଖିଥିବା ବେଳେ ୯୦ ପ୍ରତିଶତରୁ ଅଧିକ ୬୨ ଜଣ, ୮୦ ପ୍ରତିଶତରୁ ଅଧିକ ୬୦ ଜଣ, ୭୫ ପ୍ରତିଶତରୁ ଅଧିକ ୧୮ ଜଣ, ୭୦ ପ୍ରତିଶତରୁ ଅଧିକ ୧୩ ଓ ୬୦ ପ୍ରତିଶତରୁ ଅଧିକ ୧୭ ଜଣ, ୫୦ ପ୍ରତିଶତରୁ ଅଧିକ ୩ ଜଣ, ୪୦ ପ୍ରତିଶତରୁ ଅଧିକ ଜଣେ ପରୀକ୍ଷାର୍ଥୀ ରଖିଛନ୍ତି। ପ୍ରିନ୍ସିପାଲ ନିରଞ୍ଜନ ସ୍ୱାଇଁ ଏହି ସଫଳତା ପାଇଁ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/post_attachments/wp-content/uploads/2022/07/CBSE-10TH-RESULT_-CELEBRATION-AT-L.R.-DAV-PUBLIC-SCHOOL-5-1024x695.jpg)
ନୂଆବଜାର ସେଣ୍ଟ ଜାଭିୟର୍ସରେ ୫୫ ଜଣ ରଖିଛନ୍ତି ୯୦ ପ୍ରତିଶତରୁ ଅଧିକ-କଟକ-ମହାନଦୀ ବିହାର,୨୨।୭(ଇମିସ): ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷାରେ ନୂଆବଜ଼ାର ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ପରୀକ୍ଷାର୍ଥୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ପରୀକ୍ଷା ଦେଇଥିବା ୧୯୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ ଜଣ ୯୫% ଉର୍ଦ୍ଧ୍ବ, ୪୦ ଜଣ ୯୦% ଉର୍ଦ୍ଧ୍ବ, ୮୯ ଜଣ ୮୦%ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ଵସ୍ତିକ ବୈଭବ ଓ ଆକାଂକ୍ଷା ପ୍ରିୟଦର୍ଶିନୀ (୯୮.୪%) ରଖି ବିଦ୍ୟାଳୟ ଟପର ହୋଇଥିବା ବେଳେ ପ୍ରିୟଙ୍କା ସାମଲ (୯୮%), ଆଦିତ୍ୟ ନାରାୟଣ ହୋତା (୯୭.୬%), ଶୁଭଙ୍କର ମଲ୍ଲିକ (୯୭.୨%), ସମୀକ୍ଷା ନନ୍ଦ (୯୭%), ଆକାଂକ୍ଷା ଆୟୁଷି ସାହୁ (୯୭%) ରଖି ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ମହାନିର୍ଦ୍ଦେଶକ ଡକ୍ଟର ଜି. ଏସ୍. ପଟ୍ଟନାୟକ, ନିର୍ଦ୍ଦେଶକ ଡକ୍ଟର ପି. ସି. ମହାନ୍ତି , କର୍ପୋରେଟ ମୁଖ୍ୟ ସମ୍ୟକ ମହାନ୍ତି, ଅଧ୍ୟକ୍ଷ ପ୍ରେମ ରାଜ ପାତ୍ର, ଉପାଧ୍ୟକ୍ଷ ବିୟୁତ ବିହାରୀ ମିଶ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗକୁ ବଢିବାକୁ ଉତ୍ସାହିତ କରିଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟ-୨ରେ ୧୦ ଜଣ ୯୦ %ରୁ ଅଧିକ
ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷାରେ ମଧୁପାଟଣାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ରେ ସମସ୍ତେ ପାସ୍ କରିଛନ୍ତି। ୫୫ଜଣ ପରୀକ୍ଷା ଦେଇଥିବା ବେଳେ ୧୦ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ବା ତାହାଠୁ ଅଧିକ ନମ୍ବର ପାଇଛନ୍ତି। ଛାତ୍ର ଶକ୍ତିସ୍ବରୂପ ସ୍ବାଇଁ ୯୭.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପର ହୋଇଛନ୍ତି। ସେହିପରି ଶୁଭମ୍ ବରାଳ ୯୬.୨ ପ୍ରତିଶତ ରଖି ଦ୍ବିତୀୟ ଓ ଅଙ୍କିତା ଜେନା ୯୬ ପ୍ରତିଶତ ରଖି ବିଦ୍ୟାଳୟର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ତ୍ରିପାଠୀ ସମସ୍ତ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଶିକ୍ଷକଶିକ୍ଷିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।