ପ୍ରତାପ ଜେନାଙ୍କ ନିୟନ୍ତ୍ରଣରେ ସିସିସିବି, ପ୍ରଭାତ କାନୁନ୍‌ଗୋ ନିର୍ଦ୍ବନ୍ଦ୍ବରେ ସଭାପତି ନିର୍ବାଚିତ

କଟକ: କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବେ ପୂର୍ବତନ ନିର୍ଦ୍ଦେଶକ ପ୍ରଭାତ ଚନ୍ଦ୍ର କାନୁନ୍‌ଗୋ ଆଜି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଗତ ୨ତାରିଖ ଦିନ ବ୍ୟାଙ୍କ ପରିଚାଳନାମଣ୍ଡଳୀର ନିର୍ଦ୍ଦେଶକ ପଦ ପାଇଁ ହୋଇଥିବା ନିର୍ବାଚନରେ ସମସ୍ତ ୧୫ ନିର୍ଦ୍ଦେଶକ ପଦ ବିନା ପ୍ରତିଦ୍ବନ୍ଦ୍ବିତାରେ ହାତେଇ ନେଇଛି ବିଜେଡି ସମର୍ଥିତ ପ୍ୟାନେଲ୍‌। ଗୋଟିଏ ପ୍ୟାନେଲ୍‌ରୁ ସମସ୍ତ ୧୫ ନିର୍ଦ୍ଦେଶକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ବ୍ୟାଙ୍କ ଇତିହାସରେ ପ୍ରଥମଥର ବୋଲି କୁହାଯାଉଛି। ଅନ୍ୟପଟେ କଟକ ସିସିବିରେ ଗତ ନିର୍ବାଚନରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇ ବୀରେନ୍ଦ୍ର ପ୍ରତାପ ସ୍ବାଇଁ ସଭାପତି ଥିବାବେଳେ ଚଳିତ ନିର୍ବାଚନରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥିତ ପ୍ରଭାତ ଚନ୍ଦ୍ର କାନୁନଗୋ ସଭାପତି ହୋଇଛନ୍ତି। ବିଧାୟକ ପ୍ରତାପ ଜେନାଙ୍କ ସୁପାରିଶକ୍ରମେ ଓ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦରୁ ମୁଁ ଆଜି ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇଛି। ବ୍ୟାଙ୍କର ଉନ୍ନତିକରଣ ସହିତ କୃଷି ଓ କୃଷକର ବିକାଶ ଓ ମୃତ ସମବାୟ ସମିତିଗୁଡିକର ପୁନରୁଦ୍ଧାର ପାଇଁ ଚେଷ୍ଟା କରିବି ବୋଲି ନବନିର୍ବାଚିତ ସଭାପତି ଶ୍ରୀ କାନୁନ୍‌ଗୋ ସୂଚନା ଦେଇଛନ୍ତି। ନବନିର୍ବାଚିତ ସଭାପତି ଓ ନିର୍ଦ୍ଦେଶକମାନଙ୍କ ବ୍ୟାଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ଦାଶ ଓ ଅନ୍ୟାନ୍ୟ କର୍ମଚାରୀମାନେ ସମ୍ବର୍ଦ୍ଧିତ କରିଥିଲେ। ପ୍ରଭାତ ମାହାଙ୍ଗା ବ୍ଲକ୍‌ ସମ୍‌ସରପୁର ସେବା ସମବାୟ ସମିତିର ସଭାପତି ରହିଛନ୍ତି।

ସୂଚନାଯୋଗ୍ୟ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କଟକ ମହାନଗର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା ଅଞ୍ଚଳର ବ୍ୟାଙ୍କ ଶାଖାକୁ ନେଇ ଗଠନ ହୋଇଛି। ୨ତାରିଖରେ ହୋଇଥିବା ନିର୍ଦ୍ଦେଶକ ନିର୍ବାଚନରେ ମାହାଙ୍ଗା ନିର୍ବାଚନମଣ୍ଡଳୀ ୧ ନମ୍ବର ଜୋନ୍‌ରୁ ବିଜେଡି ସମର୍ଥିତ ନିର୍ଦ୍ଦେଶକ ପ୍ରଭାତ ଚନ୍ଦ୍ର କାନୁନଗୋ, ଆଠଗଡ଼ ଜୋନ୍‌-୨ରୁ ପ୍ରସନ୍ନ କୁମାର ସ୍ବାଇଁ, କଟକ ସଦର ୩ ନମ୍ବର ଜୋନ୍‌ରୁ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଅଚ୍ୟୁତାନନ୍ଦ ଦାସ, ଜୋନ୍‌ ୪ ସାଲେପୁରରୁ ସରୋଜ କୁମାର ମହାପାତ୍ର, ପାରାଦୀପ ଜୋନ୍‌ ୫ରୁ ଆରତୀ ମହାନ୍ତି, ଜୋନ୍‌-୬ ବାଲିକୁଦା-ଏରସମାରୁ ଚିତ୍ତରଂଜନ ପୁହାଣ, ଜୋନ-୭ ଜଗତ୍‌ସିଂହପୁରରୁ କୈଳାସ ଚନ୍ଦ୍ର ପାଲ, ଜୋନ୍‌-୮ ପାଟକୁରାରୁ ସରୋଜକାନ୍ତ ସାହୁ, ଜୋନ୍‌-୯ ରାଜନଗରରୁ ଅରୁଣ କୁମାର ସାହୁ, ଜୋନ-୧୦ କେନ୍ଦ୍ରାପଡାରୁ ସୁଜାତା ଦାସ, ଜୋନ-୧୧ ବଡଚଣା-ଯାଜପୁରରୁ ଶରତ ଚନ୍ଦ୍ର ସାହୁ, ଜୋନ ୧୨-ଧର୍ମଶାଳା-ଯାଜପୁରରୁ ଦୁଃଶାସନ ସାହୁ, ଜୋନ ୧୩-ଯାଜପୁର-ଦଶମନ୍ତପୁରରୁ ବିଜୟ କୁମାର ଦଳାଇ, ଜୋନ୍‌-୧୪ରୁ କେଶବ ଚନ୍ଦ୍ର ସେଠୀ, ଜୋନ୍‌-୧୫ ନିଆଳିରୁ ରାଜଲକ୍ଷ୍ମୀ ସାହୁ ପ୍ରମୁଖ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିଲେ। ଅନ୍ୟପଟେ ସଦର ନିର୍ବାଚନ ମଣ୍ଡଳୀର ଅଚ୍ୟୁତାନନ୍ଦ ଦାସ ମଧ୍ୟ ଏହି ପଦ ପାଇଁ ଆଶାୟୀ ରହିଥିଲେ। ଏହି ନିର୍ବାଚନ ପରିଚାଳନା ତଥା ପର୍ଯ୍ୟପେକ୍ଷକ ଭାବେ ପ୍ରତାପ ଜେନାଙ୍କୁ ଦାୟିତ୍ବ ଦିଆଯାଇଥିଲା। ନିର୍ବାଚନ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର