ଏସ୍ସିବି ଓ ନେତାଜୀ ବସ୍ ଟର୍ମିନାଲ୍ କାର୍ଯ୍ୟର ସମୀକ୍ଷା କଲେ ସିଡିଏ ଅଧ୍ୟକ୍ଷ, ନଭେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ନେତାଜୀ ବସ୍ ଟର୍ମିନାଲ!
ଆଜିଠୁ ବୋସ୍ ପାଖରୁ ଉଚ୍ଛେଦ
କଟକ: ଓବିସିସି ପକ୍ଷରୁ ବିଶ୍ବସ୍ତରୀୟ କଟକ ବଡ଼ଡାକ୍ତରଖାନା ଓ ଖାନ୍ନଗରଠାରେ ନିର୍ମାଣଧୀନ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଜି ସିଡିଏ କନ୍ଫରେନ୍ସ ହଲ୍ଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଡିଏର ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଶାସକ ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନଭେମ୍ବର ଶେଷ ସୁଦ୍ଧା ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ ସାରିବା ଓ ଏହାକୁ ସିଡିଏକୁ ହସ୍ତାନ୍ତର କରିବା ପାଇଁ ବୈଠକରେ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ଛଡ଼ା, ବିଶ୍ବସ୍ତରୀୟ କଟକ ବଡ ଡାକ୍ତରଖାନାର ପ୍ରକଳ୍ପ ଅଞ୍ଚଳ ଭିତରେ ଯାହା କିଛି ଉଚ୍ଛେଦ କରାଯିବାର ବାକି ରହିଛି ସେସବୁକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ପାଇଁ କାର୍ଯ୍ୟନିର୍ବାହୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ତାଳଦଣ୍ଡା କେନାଲ ପାଖରେ ଥିବା ୫ଟି ସରକାରୀ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣ ସହ କୋଠା ସବୁ ଭଙ୍ଗାଯିବା କାର୍ଯ୍ୟ ମେ’ ୧୫ ସୁଦ୍ଧା ସାରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟପଟେ ଆଜିଠାରୁ ସିଏମ୍ସି ପକ୍ଷରୁ ବୋସ୍ ପାଖରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। କଟକରେ ୬୫କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ ଓ ବିଶ୍ବସ୍ତରୀୟ ଏସ୍ସିବି ନିର୍ମାଣ କାର୍ଯ୍ୟ ତଦାରଖ ନିମନ୍ତେ ବିଭିନ୍ନ ସମୟରେ ସମୀକ୍ଷା କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ ଓ ଡିସେମ୍ବର ୨୦୨୩ ସୁଦ୍ଧା ଏସ୍ସିବି ନବକଳେବର କାର୍ଯ୍ୟ ସରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଦୁଇ ପ୍ରକଳ୍ପ ପାଇଁ କଣ କଣ ସମସ୍ୟା ରହିଛି ଯେପରିକି ଭୂ-ଅଧିଗ୍ରହଣ, ବିଦ୍ୟୁତ୍, ପାଣି ତଥା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜିର ବୈଠକରେ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ। ସେହିପରି ଏସ୍ସିବି ମେଡିକାଲ ବାମ ଓ ଡାହାଣ ପାର୍ଶ୍ବ ରାସ୍ତାର ସଂପ୍ରସାରଣ ପାଇଁ ଯେଉଁ ୧୨ଟି ପ୍ଲଟ୍ ଉଚ୍ଛେଦ ହେବା କଥା ତା’ ଆଜି ସୁଦ୍ଧା ହୋଇପାରିନି। ତେଣୁ ତୁରନ୍ତ ଉଚ୍ଛେଦ ସହ ଏହାର ଭୂ-ଅଧିଗ୍ରହଣ କାର୍ଯ୍ୟ ସାରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ତାଳଦଣ୍ଡା କେନାଲ ପାର୍ଶ୍ବରେ ଥିବା ରାଜ୍ୟ ବିହନ ନିଗମ, ଉଠାଜଳସେଚନ, ଚମଡା ନିଗମ, ଟେକ୍ସଟାଇଲ୍ କାର୍ଯ୍ୟାଳୟକୁ ପ୍ରତାପନଗରୀକୁ ଉଠିବ ତଥା ଜଳସମ୍ପଦ ଓ ଏସ୍ଆରସି କାର୍ଯ୍ୟାଳୟ ବାରଙ୍ଗକୁ ଉଠିବ। ତେବେ ସବୁ କାର୍ଯ୍ୟାଳୟ ସ୍ଥାନାନ୍ତରଣ ସହ କୋଠାଗୁଡିକୁ ଭଙ୍ଗାଯାଇ ଖାଲି କରିବା କାର୍ଯ୍ୟ ମେ’ ୧୫ ସୁଦ୍ଧା ସାରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରକଳ୍ପ ଅଞ୍ଚଳ ଭିତରେ ରହିଯାଇଥିବା ଗଛ, ବିଦ୍ୟୁତ୍ ଖୁଣ୍ଟ, ଟ୍ରାନ୍ସଫରମର, ଟେଲିଫୋନ୍ କେବୁଲ , ବୋସର ଜିମ୍, ସୁଇମିଙ୍ଗ ପୁଲ୍କୁ ଉଠାଇବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଟାଟା ପାୱାର୍କୁ ୧୫ଦିନ ମଧ୍ୟରେ ସମସ୍ତ ବିଦ୍ୟୁତ୍ ସଂପର୍କିତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏସ୍ସିବି ପ୍ରକଳ୍ପରେ ଯେମିତି ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କରାଯିବ ସେଥିପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ନିଆଯାଇଛି। ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର୍ ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଓବିସିସି, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ୍ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।