ଡିଏଭି ଏସ୍‌ସିବି ନିର୍ମାଣ କାମ ତଦାରଖ କଲେ ସିଡିଏ ଅଧ୍ୟକ୍ଷ

ଏପ୍ରିଲ୍‌ ସୁଦ୍ଧା ନିର୍ମାଣ ଶେଷ, ଜୁନ୍‌ରୁ ପାଠପଢ଼ା

କଟକ: ଓଏମ୍‌ପି ନିକଟରେ ଚାଲିଥିବା ଡିଏଭି ଏସ୍‌ସିବି ମେଡିକାଲ୍‌ ପବ୍ଲିକ୍‌ ସ୍କୁଲ୍‌ ନିର୍ମାଣ କାର୍ଯ୍ୟର ତଦାରଖ ଓ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ। ଶ୍ରୀ ସାମଲ ନିର୍ମାଣ କାର୍ଯ୍ୟ ବୁଲି ତଦାରଖ କରିବା‌ ପରେ କାର୍ଯ୍ୟ ସନ୍ତୋଷଜନକ ବୋଲି ସୂଚନା ଦେଇଛନ୍ତି। ଶ୍ରୀ ସାମଲ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୪୮ଟି ଶ୍ରେଣୀଗୃହକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇପାରିଛି। ସ୍କୁଲ୍‌ର ଶେଷ ପର୍ଯ୍ୟାୟ ନିର୍ମାଣ କାମ ଜାରି ରହିଛି। ଜଳ ଯୋଗାଣ, ବିଦ୍ୟୁତ୍‌କରଣ, କବାଟ-ଝରକା ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ଏପ୍ରିଲ୍‌ ଶେଷ ସୁଦ୍ଧା ସ୍କୁଲ୍‌ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ସ୍କୁଲ୍‌ଗୃହ ଡିଏଭି ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରାୟତଃ ଆସନ୍ତା ଜୁନ୍‌ ମାସରୁ ନୂଆ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଯିବ ବୋଲି ଏହି ଅବସରରେ ଉପସ୍ଥିତ ଥିବା ସ୍କୁଲ୍‌ର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଉଲ୍ଲେଖ୍ୟ, ପୂର୍ବରୁ ଏସ୍‌ସିବି ମେଡିକାଲ୍‌ ପବ୍ଲିକ୍‌ ସ୍କୁଲ୍‌ରେ ଆଇସିଏସ୍‌ଇ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଥିଲା। ଡିଏଭି ଅଧିଗ୍ରହଣ କରିବା ପରେ ସ୍କୁଲ୍‌ରେ ସିବିଏସ୍‌ଇ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି।

ପୂର୍ବରୁ ଆଇସିଏସ୍‌ଇ ଅଧୀନରେ ଥିବା ଶେଷବର୍ଷର ଛାତ୍ରଛାତ୍ରୀ ଚଳିତବର୍ଷ ୧୦ମ ପରୀକ୍ଷା ଦେଇଥିବା ବେଳେ ଆସନ୍ତାବର୍ଷଠାରୁ ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ପାଠ୍ୟକ୍ରମରେ ପରୀକ୍ଷା ଦେବେ। ନିର୍ମାଣ ହୋଇଥିବା ୪୮ଟି ଶ୍ରେଣୀଗୃହରେ ପ୍ରତି କ୍ଲାସ୍ ପାଇଁ ୩ଟି ଲେଖାଏ ସେକ୍ସନ୍ ରହିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଏସସିବି ମେଡିକାଲ୍‌କୁ ଏମ୍‌ସ ପ୍ଲସ୍ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବା ପରେ ସେଠାରେ ଥିବା ଏସ୍‌ସିବି ମେଡିକାଲ୍‌ ପବ୍ଲିକ ସ୍କୁଲ୍‌କୁ ସରକାର ନିଜ ଅଧୀନକୁ ନେଇଥିଲେ। ଏହା ବଦଳରେ ସ୍କୁଲ୍‌କୁ ଓଏମପିରେ ୨.୫ ଏକର ଜମି ଯୋଗାଇ ଦେବା ସହ ଘର ନିର୍ମାଣର ଦାୟିତ୍ବ ନେଇଥିଲେ। ଏହା ଭିତରେ ସ୍କୁଲ୍‌ ପରିଚାଳନା ଦାୟିତ୍ବ ଡିଏଭି ଅଧୀନକୁ ଯାଇ ସାରିଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ ତତ୍ତ୍ବାବଧାନରେ ନାଗାର୍ଜୁନ କନଷ୍ଟ୍ରକ୍ସନ୍‌ କମ୍ପାନିକୁ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଦିଆଯାଇଥିବା ବେଳେ ଡିଏଭି ଏସ୍‌ସିବିରେ ପଢୁଥିବା ପିଲାମାନଙ୍କୁ ଭାଗ ଭାଗ କରି ଏଲ୍‌.ଆର୍‌ ଡିଏଭି ଓ ସିଡିଏ ଡିଏଭିରେ ବଢ଼ିବା ବ୍ୟବସ୍ଥା କରାଯାଇଛି। ନୂତନ ଗୃହ ନିର୍ମାଣ ଓ ହସ୍ତାନ୍ତେର ପରେ ଉଭୟ ସ୍କୁଲକୁ ଯାଉଥିବା ପିଲାମାନେ ନିଜସ୍ବ ଏସ୍‌ସିବି ଡିଏଭି ପବ୍ଲିକ୍‌ ସ୍କୁଲ୍‌ କୋଠାରେ ପାଠପଢ଼ା ଆରମ୍ଭ କରିବେ।

ସମ୍ବନ୍ଧିତ ଖବର