ଏମିତି ଚାଲିଛି ନଗର ଉନ୍ନୟନ, ନିଜ ସମ୍ପତ୍ତିକୁ ସିଡିଏ ଦେଇପାରୁନି ସୁରକ୍ଷା

କଟକ: କଟନ ନଗର ଉନ୍ନୟନ କର୍ତୃପକ୍ଷ(ସିଡିଏ) ଆଗକୁ ବଢିପାରୁନି। ନଗର ଉନ୍ନୟନ ବା ଟାଉନ ପ୍ଲାନ୍‌ ଦୂରର କଥା, ସିଡିଏର ଥିବା ନିଜସ୍ବ ସମ୍ପତ୍ତିକୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ସିଡିଏ କର୍ତୃପକ୍ଷ ନିଜସ୍ବ ଆୟ ଉତ୍ସକୁ ମଧ୍ୟ ମାରିଦେଇଛନ୍ତି। କେବଳ ଘର ପାଇଁ ଅନୁମତି ଦେବା ଓ ପ୍ଲଟ୍‌ ଆବଣ୍ଟନ କାମରେ ଅଟକି ରହିଛନ୍ତି। ଫଳରେ ସିଡିଏ ଗତ ୯୦ ଦଶ‌କରେ ଯେଉଁଠି ଥିଲା ଆଜି ବି ସେଇଠି ଅଛି। ନିଜ ପାଇଁ ଭଲ ଅଫିସଟିଏ ବି ନିର୍ମାଣ କରିପାରୁନି। ଅରୁଣୋଦୟନଗର ସେହି ପୁରୁଣା କୋଠାରେ ସିଡିଏ କାର୍ଯ୍ୟାଳୟ ଚାଲିଛି। ସିଡିଏ ପରିଚାଳନାଧୀନ ମାର୍କେଟ କମ୍ପ୍ଲେକ୍ସଗୁଡିକ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି। ରକ୍ଷଣାବେକ୍ଷଣ ଅଭାବରୁ ଦୋକାନ ଘର ଗୁଡିକ ଭାଂଗିରୁଜି ଗଲାଣି। କେଉଁଠି କୋଠା ଘରେ ଘାସ ଉଠିଲାଣି ତ ଆଉ କେଉଁଠି ଘର ଫାଟି ଆଁ କଲାଣି। ଛାତଘରୁ ପାଣି ଗଳୁଛି। ସିଡିଏ ପରିଚାଳନଧୀନ ୬ଟି ମାର୍କେଟ କମ୍ପ୍ଲେକ୍ସରୁ ୫ଟି ପାଖାପାଖି ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣ ହେଉନାହିଁ। ମୋଟ ୩୦୦ରୁ ଅଧିକ ଦୋକାନ ଘରରୁ ଅଧାରୁ ଅଧିକ ଖୋଲୁନାହିଁ। ବର୍ଷ ବର୍ଷ ଧରି ସିଡିଏ ମାର୍କେଟ କମ୍ପଲେକ୍ସ ନାମରେ କୋଟି କୋଟି ଟଙ୍କାର ବାକି ଗଡୁଛି। ୨୦୧୯-୨୦ ଅଡିଟ୍ ରିପୋର୍ଟ ମୁତାବକ ସିଡିଏ ପରିଚାଳନାଧୀନ ମାର୍କେଟ କମ୍ପ୍ଲେକ୍ସ ଉପରେ ୧୩ କୋଟି ୪୩ଲକ୍ଷ ୫୫ ହଜାର ଟଙ୍କାର ବାକି ପଡିଥିବା ଜଣାପଡିଛି। ସିଡିଏ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସର ପୁନରୁଦ୍ଧାର ପାଇଁ କୌଣସି ଯୋଜନା କରାଯାଉ ନାହିଁ।

Sambad

ସଡିଏ ଅଧୀନରେ ଥିବା ମାର୍କେଟ କମ୍ପ୍ଲେକ୍ସଗୁଡିକ ମଧ୍ୟରୁ ଅରୁଣୋଦୟ ମାର୍କେଟ ବିଲିଡିଂ-ଅରୁଣୋଦୟନଗର, ଫେରିଫେରି ମାର୍କେଟ କମ୍ପ୍ଲେକ୍ସ-ବକ୍ସିବଜାର, ବିକାଶ ସଦନ ମାର୍କେଟ କମ୍ପ୍ଲେକ୍ସ-କଲେଜ ଛକ, ବିଡାନାସୀ ମାର୍କେଟ କମ୍ପ୍ଲେକ୍ସ- ମର୍କତନଗର, ଜଗତପୁର ମାର୍କେଟ କମ୍ପଲେକ୍ସ, ବାଣିଜ୍ୟାଳୟ ମାର୍କେଟ କମ୍ପଲେକ୍ସ-ବଜ୍ରକବାଟି, ଯଜ‌ାତି କେନ୍ଦ୍ର ମାର୍କେଟ କମ୍ପଲେକ୍ସ-ବକ୍ସିବଜାର ରହିଛି। ମର୍କତନଗର ସିଡିଏ-୬ରେ ଥିବା ମାର୍କେଟ କମ୍ପ୍ଲେକ୍ସ ଏବେ ସଂପୂର୍ଣ୍ଣ ଅସୁରକ୍ଷିତ ରହିଛି। ମାର୍କେଟ କମ୍ପ୍ଲେକ୍ସ ପରିସ୍ରା ଗନ୍ଧରେ ଫାଟିପଡୁଛି। କୁଢ କୁଢ ମଦ ବୋତଲ ଉପରମହଲାରେ ଗଦା ହୋଇରହିଛି। ମାର୍କେଟ କମ୍ପ୍ଲେକ୍ସରେ ଗଛ ଉଠିଗଲାଣି। ଛାତ ବି ଫାଟି ଆଁ କରିଛି। ବକ୍ସିବଜାର ଥିବା ମାର୍କେଟ କମ୍ପ୍ଲେକ୍ସର ମଧ୍ୟ ସମାନ ସ୍ଥିତି। କଲେଜଛକ ବିକାଶ ସଦନ ମାର୍କେଟ କମ୍ପ୍ଲେକ୍ସ ରକ୍ଷଣାବେକ୍ଷଣ ଅଭାବରୁ ଭାଂଗିରୁଜି ଗଲାଣି। ସାମାନ୍ୟ ବର୍ଷାରେ ଛାତରୁ ପାଣି ଗଳୁଛି। ମାର୍କେଟ କମ୍ପ୍ଲେକ୍ସ ପରିସରରେ ପାଣି ଜମୁଛି। ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସ ନାମରେ ପଡିଥିବା ବାକି ବର୍ଷ ବର୍ଷ ଧରି ଆଦାୟ କରାଯାଉ ନାହିଁ। ସେପଟେ ବର୍ଷ ବର୍ଷ ଧରି ଭଡା ଆଦାୟ କରାଯାଉ ନାହିଁ। ଅରୁଣୋଦୟନଗର ମାର୍କେଟ କମ୍ପ୍ଲେକ୍ସ ଉପରେ ସର୍ବାଧିକ ୮ କୋଟି ୭୭ଲକ୍ଷ ୬ ହଜାର ୧୮୬ ଟଙ୍କା ବାକି ପଡିଛି। ଫେରିଫେରି ମାର୍କେଟ କମ୍ପ୍ଲେକ୍ସ ଉପରେ ୨୫୪୩, ବିକାଶସଦନ କଲେଜ ଛକ ମାର୍କେଟ ଉପରେ ୫୭ଲକ୍ଷ ୬୫ ହଜାର ୨୧୦, ବିଡାନାସୀ ମାର୍କେଟ କମ୍ପ୍ଲେକ୍ସ ଉପରେ ୧୫ଲକ୍ଷ ୮୮ ହଜାର ୯୩୫, ଜଗତପୁର ମାର୍କେଟ କମ୍ପ୍ଲେକ୍ସ ଉପରେ ୧୩ଲକ୍ଷ ୭୧ ହଜାର ୫୮୩, ବାଣିଜ୍ୟାଳୟ ମାର୍କେଟ କମ୍ପ୍ଲେକ୍ସ ଉପ‌ରେ ୧ କୋଟି ୫୪ଲକ୍ଷ ୫୯ ହଜାର ୧୬୫ ଟଙ୍କା, ଯଯାତି କେନ୍ଦ୍ର ମାର୍କେଟ କମ୍ପ୍ଲେକ୍ସ, ବକ୍ସିବଜାର ୨ କୋଟି ୨୧ଲକ୍ଷ ୯୩ ହଜାର ୩୯ ଟଙ୍କାର ବାକି ଗଡୁଛି।

ସମ୍ବନ୍ଧିତ ଖବର