ସିଡିଏ କାର୍ଯ୍ୟାଳୟ ରାସ୍ତା ବିପର୍ଯ୍ୟସ୍ତ, ସିଏମ୍‌ସି ଜନଶୁଣାଣିକୁ ସହରବାସୀ ଆସିବେ କେମିତି?

କଟକ: ପୌର ନିଗମ ପକ୍ଷରୁ ଏଣିକି ପ୍ରତିମାସର ତୃତୀୟ ସୋମବାର ଅରୁଣୋଦୟନଗରସ୍ଥିତ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) କାର୍ଯ୍ୟାଳୟରେ ଜନଶୁଣାଣି କରାଯିବ। ଆଗାମୀ ଦି‌ନରେ ସହରବାସୀ ସିଏମ୍‌ସିକୁ ନେଇ ଥିବା ବିଭିନ୍ନ ଅଭିଯୋଗ ସିଡିଏ କାର୍ଯ୍ୟାଳୟରେ କରିବେ ବୋଲି ନିଗମ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ମାତ୍ର ସିଡିଏ କାର୍ଯ୍ୟାଳୟକୁ ଥିବା ରାସ୍ତା ଅବସ୍ଥା ଏବେ ବିପର୍ଯ୍ୟସ୍ତ। ଟିକିଏ ବର୍ଷାରେ ପାଣି ଜମି ରହୁଥିବା ବେଳେ ଏବେ ଘରଭଙ୍ଗାର କଂକ୍ରିଟ ଆବର୍ଜନାକୁ ଏଠାରେ ପକାଯାଇଛି। ଏଭଳି ସ୍ଥିତିରେ ପାଣି ଓ ଭଙ୍ଗା ଇଟା ଯୋଗୁଁ ରାସ୍ତାରେ ଯାତାୟାତ କରିବାରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଉକ୍ତ ରାସ୍ତାର ମରାମତି ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିବା ବେଳେ ଏହାକୁ ସିଡିଏ ଓ ସିଏମ୍‌ସି ପକ୍ଷରୁ ଅଣଦେଖା କରାଯାଇଆସୁଛି। ପାଣି ନିଷ୍କାସନ ପାଇଁ ନିଗମ ପକ୍ଷରୁ ବର୍ଷାଦିନରେ ଏଠାରେ ପାଣି ପମ୍ପର ବ୍ୟବସ୍ଥା କରାଯାଉଥିବା ବେଳେ ଚଳିତବର୍ଷ ଏହା ‌କରାଯାଇ ନାହିଁ। ସିଏମ୍‌ସିର ଜନଶୁଣାଣିକୁ ପ୍ରତି ସୋମବାର ଦିନ ବିଜୁଭବନକୁ ୨ରୁ ୩ଶହ ଲୋକ ଆସିଥାନ୍ତି।

ତେବେ ଏଣିକି ପ୍ରତିମାସର ତୃତୀୟ ସୋମବାର ସିଡିଏ କାର୍ଯ୍ୟାଳୟରେ ସିଏମ୍‌ସିର ଜନଶୁଣାଣି କରାଯିବ ବୋଲି ନିଗମର କମିସନର ନିଖିଲ୍‌ ପୱନ୍‌ କଲ୍ୟାଣ ଏକ ବିଜ୍ଞପ୍ତିରେ କହିଛନ୍ତି। ମାତ୍ର ଏହି ଘୋଷଣା ପୂର୍ବରୁ କମିସନର୍‌ ସିଡିଏ କାର୍ଯ୍ୟାଳୟର ରାସ୍ତାର ଅବସ୍ଥା ଦେଖିଛନ୍ତି ନା’ ନାହିଁ ବୋଲି ସହରବାସୀଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି। ସୂଚନାଯୋଗ୍ୟ, ଏଣିକି ମାସର ପ୍ରଥମ ଓ ଚତୁର୍ଥ ସୋମବାର ଚୌଧୁରୀବଜାରସ୍ଥିତ ସିଏମ୍‌ସିର ବିଜୁଭବନରେ ନିଗମର ଜନଶୁଣାଣି କରାଯିବ। ସେହିପରି ଦ୍ବିତୀୟ ସୋମବାର ବାଦାମବାଡ଼ିସ୍ଥିତ ବିକାଶ ଭବନରେ ଓ ତୃତୀୟ ସୋମାବାର ଅରୁଣୋଦୟନଗରସ୍ଥିତ ସିଡିଏ କାର୍ଯ୍ୟାଳୟରେ ଜନଶୁଣାଣି କରାଯିବ।

ସମ୍ବନ୍ଧିତ ଖବର