ବିପଦରେ ସେସୁ କଲୋନି ବାସିନ୍ଦା, ଅସୁରକ୍ଷିତ କୋଠା, ବିପର୍ଯ୍ୟସ୍ତ ପରିବେଶ

ପାଣି ଟ୍ୟାପ୍‌ରେ ମିଶୁଛି ଡ୍ରେନ୍‌ ପାଣି

କଟକ: ୫୦ ବର୍ଷର ପୁରୁଣା ସରକାରୀ କ୍ବାର୍ଟର। ନିର୍ମାଣ ହେବା ଦିନୁ ମରାମତି ନାହିଁ। ଘର ଛାତରୁ ପାଣି ଗଳୁଛି। ଘର କାନ୍ଥରେ ବଡ଼ ବଡ଼ ଗଛ ବିନା ବାଧାରେ ବଢ଼ୁଛି। ଘରକୁ ସଂଯୋଗ ହୋଇଥିବା ପାଣି ପାଇପ୍ ଫାଟି ନଷ୍ଟ। ବହୁ ଘର ଟ୍ୟାପ୍‌ରୁ ଡ୍ରେନ୍ ପାଣି ବାହାରୁଛି। ଡ୍ରେନ୍‌ ଅବସ୍ଥା ମଧ୍ୟ ବିପର୍ଯ୍ୟସ୍ତ। ରାସ୍ତାକୁ ଛାଡିଦେଲେ ଅନ୍ୟସବୁ ଆଡେ ଅନାବନା ଗଛ ଉଠି ବଣବୁଦାରେ ପରିପୂର୍ଣ୍ଣ। ରାସ୍ତାଘାଟ ମଧ୍ୟ ଭାଙ୍ଗିରୁଜି ଯାଇଛି। ଏମିତିକା ବିପର୍ଯ୍ୟସ୍ତ ପରିବେଶରେ ରହୁଛନ୍ତି ଲିଙ୍କରୋଡ଼ ବାଦାମବାଡ଼ି ସେସୁ କଲୋନି ବାସିନ୍ଦା। କେବଳ କଲୋନିବାସୀ ନୁହନ୍ତି, ଏଠ‌ାରେ ଚାଲୁଥିବା ଥିବା ୮/୧୦ଟି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମଧ୍ୟ ଏହି ପରିବେଶରେ କାର୍ଯ୍ୟ କରୁଛନ୍ତି। ସାରା ସହରକୁ ଆଲୋକିତ କରୁଥିବା ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାର ଅସୁରକ୍ଷିତ କୋଠା ତଥା ବିପର୍ଯ୍ୟସ୍ତ ପରିବେଶରେ ରହୁଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ସମସ୍ତଙ୍କୁ ଚକିତ କରିଛି। ବାଦାମବାଡ଼ି ଲିଙ୍କରୋଡ୍‌ସ୍ଥିତ ସେସୁ କଲୋନି(ଓଏସ୍‌ଇବି କଲୋନି) ୧୯୭୩ ମସିହାରେ ନିର୍ମିତ ହୋଇଥିଲା। ସେ ସମୟର ଓଡ଼ିଶା ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ(ଓଏସ୍ଇବି) ଏହାକୁ ନିର୍ମାଣ କରିଥିଲା। ପାଖାପାଖି ୧୦ ଏକର ଜମିରେ ୧୫୩ଟି କ୍ବାର୍ଟର ସମେତ ଏହା ମଧ୍ୟରେ ଏକାଧିକ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। ୧୯୮୬ମସିହା ପର୍ଯ୍ୟନ୍ତ ଏସବୁ କ୍ବାର୍ଟର କିଛି କିଛି ମରାମତି ହୋଇଥିଲା। ତା ପରେ ଆଉ ମରାମତି ନାହିଁ। ଦୀର୍ଘ ଦିନ ହେଲା ମରାମତି ନ ହେବାରୁ ଅନେକ ଘର ଭାଙ୍ଗିରୁଜି ଗଲାଣି। ବହୁ ଘର ଛାତରୁ ପାଣି ଗଳୁଛି। ଅନେକ ଘରକୁ ସଂ‌ଯୋଗ ହୋଇଥିବା ପାଣି ପାଇପ୍ ଓ ସ୍ବେରେଜ୍ ପାଇପ୍ ମଧ୍ୟ ଫାଟିଯାଇଛି।

କଲୋନି ପରିସର ଡ୍ରେନ୍ ମଧ୍ୟ ମରାମତି ନ ହେବାରୁ ଭାଙ୍ଗିଯାଇଛି। ଅନାବନା ଗଛ ଉଠି ଅରମା ହୋଇଛି। ସମୟ ସହିତ ବିଦ୍ୟୁତ୍ ବିଭାଗର ନାମ ବଦଳିବାରେ ଲାଗିଛି। ଓଏସ୍ଇବି, ସେସୁ ପରେ ଏବେ ଟାଟା ପାୱାର ଏହାର ତତ୍ତ୍ବାବଧାରକ। କିନ୍ତୁ କଲୋନି ଅବସ୍ଥା ବଦଳୁନାହିଁ। ଏବେ ଏହି କଲୋନିରେ ୭୦ ପରିବାର ବାସ କରୁଛନ୍ତି। କର୍ମଚାରୀଙ୍କ କ୍ବାର୍ଟର ସହିତ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର(ଡିଷ୍ଟ୍ରିବ୍ୟୁସନ) ଅଫିସ୍, ଷ୍ଟୋର ଡିଭିଜନ, ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ ନଂ-୨, ଏମ୍‌ଆରଟି ଅଫିସ୍(ମିଟର ରିଲେ ଟେଷ୍ଟିଂ ଅଫିସ୍), ଏସ୍‌ଡିଓ ଅଫିସ, ବଦାମବାଡ଼ି ସେକ୍ସନ ଅଫିସ, ଜିଆର୍‌ଏଫ୍( ଉପଭୋକ୍ତାଙ୍କ ଅଭିଯୋଗ କାର୍ଯ୍ୟାଳୟ), ଇଏମ୍‌ଆର୍‌ ଅଫିସ୍ ଭଳି ବିଦ୍ୟୁତ୍ ବିଭାଗର ୮/୧୦ଟି କାର୍ଯ୍ୟାଳୟ ଚାଲିଛି। ପ୍ରତିଦିନ ବହୁ ଅଧିକାରୀ, କର୍ମଚାରୀଙ୍କ ସମେତ ଶହ ଶହ ଲୋକ ବିଭିନ୍ନ କାମରେ ଏଠାକୁ ଆସୁଛନ୍ତି। ହେଲେ ଏହି ଅସୁରକ୍ଷିତ କୋଠା ଓ ବିପର୍ଯ୍ୟସ୍ତ ପରିବେଶ ପ୍ରତି କାହାର ନଜର ନାହିଁ। ଏ ସଂକ୍ରାନ୍ତରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚନ୍ଦ୍ରଶେଖର ମହାନ୍ତି କହିଛନ୍ତି ଯେ କ୍ବାର୍ଟର ମରାମତି ଓ ଡ୍ରେନ୍ ବିଷୟରେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କୁ ଅବଗତ କରାଯାଇଛି। ତାଙ୍କ ଅନୁମତି ମିଳିବା ପରେ କାମ କରାଯିବ ବୋଲି ଇଞ୍ଜିନିୟର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର