ସାବଧାନ! ଇଜ୍ଜତ ଲୁଟୁଛି ଚାଇନା ଆପ୍, ୫୦ ଯୁବକ, ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍

ଟାର୍ଗେଟ୍‌ରେ ୪୫ ଆପ୍ଲିକେସନ୍

କଟକ: ସାବଧାନ! ଆପଣ ତୁରନ୍ତ ଋଣ ପାଇବା ପାଇଁ ଅନଲାଇନ୍ ଲୋନ୍ ଆପ୍ଲିକେସନ୍ ମାଧ୍ୟମରେ ଆବେଦନ କରୁଛନ୍ତି କି? ଚାଇନା ସାଇବର ଅପରାଧୀଙ୍କ ଦ୍ବାରା ପ୍ରସ୍ତୁତ ଏହି ଆପ୍ଲିକେସନ ମୋବାଇଲରେ ଡାଉନଲୋଡ୍ ହେବା ମାତ୍ରକେ ମୋବାଇଲର କଣ୍ଟାକ୍ଟ ନମ୍ବର ଓ ଗ୍ୟାଲେରିର ଫଟୋ ବ୍ୟକ୍ତିର ଅଜାଣତରେ ଚୋରାଇ ନେଉଛନ୍ତି। ଏହାପରେ ବ୍ଲାକମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। କଟକ କମିସନରେଟ୍ ପୁଲିସର ସାଇବର୍ ଥାନାକୁ ଗଲା ୬ ମାସ ଭିତରେ ୫୦ଟି ଏଭଳି ଅଭିଯାଗ ଆସିଥିବା ବେଳେ ଗଲା ସପ୍ତାହରେ ଦୁଇ ଜଣ ଯୁବତୀ ଲଗାତର ଫସିଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଚାଇନା ଆପ୍ଲିକେସନ୍ ମାଧ୍ୟମରେ ଋଣ ନେଇଥିବା ଏହି ଯୁବକ ଓ ଯୁବତୀଙ୍କ ଅଶ୍ଳୀଳ ଫଟୋ ଏବେ ହ୍ବାଟସଆପରୁ ହ୍ବାଟସଆପ୍ ଘୁରି ବୁଲୁଥିବାରୁ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ଋଣ ଯୋଗାଇବାର ପ୍ରତିଶ୍ରୁତି ଦେଇ ମୋବାଇଲ୍ ଏବଂ ହ୍ବାଟସଆପକୁ ଚାଇନାର ସାଇବର୍ ଅପରାଧୀ ଅଜଣା ଲିଙ୍କ୍ ପଠାଉଛନ୍ତି। ଏହି ଲିଙ୍କ କ୍ଲିକ୍ କରିବା ପରେ ଆଧାର, ପ୍ୟାନ୍ କାର୍ଡ ନମ୍ବର ଦେଇ ପଞ୍ଜିକରଣ ପରେ ତୁରନ୍ତ ଆବଶ୍ୟକତା ଅନୁଯାୟୀ ଋଣ ବ୍ୟାଙ୍କ ଆକାଉଣ୍ଟକୁ ଚାଲି ଆସୁଛି। କିନ୍ତୁ ଦିନେ ଦୁଇ ଦିନ ପରେ ଟଙ୍କା ଫେରସ୍ତ କରିବାକୁ କହୁଛନ୍ତି ସାଇବର୍ ଅପରାଧୀ। ଋଣ ପରିଶୋଧ ନକଲେ ପାଖାପାଖି ୫୦ ପ୍ରତିଶତ ସୁଧ ମାଗୁଛନ୍ତି। ସୁଧ ନଦେଲେ ଆବେଦନକାରୀଙ୍କ ହ୍ବାଟସଆପ୍ ଡିପି ଏବଂ ପଞ୍ଜିକରଣ ସମୟରେ ଦିଆଯାଇଥିବା ଫଟୋକୁ ଏଡିଟ୍ କରି ବ୍ଲାକମେଲ୍ କରୁଛନ୍ତି। ହ୍ବାଟସଆପ୍ କଲ୍ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ମାନସିକ ନିର୍ଯାତନା ଦେବା ଘଟଣା ଏବେ ସାଇବର୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ଚାଇନାରୁ ନିୟନ୍ତ୍ରଣ

କ୍ରାଇମବ୍ରାଞ୍ଚର ଅନୁରୋଧକ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ(ବିଓଆଇ) ଚାଇନିଜ୍ ଲୋନ୍ ଆପର କାର୍ପଟଦାର ଲିୟୁ ଇ ବିରୋଧରେ ଜୁଲାଇ ୧୨ ତାରିଖରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଥିଲା। ଏହି ଠକର ଜିଆନବିଙ୍ଗ ଟେକ୍ନୋଲୋଜି ଚାଇନାର ହାଙ୍ଗଜୋ ସହରରେ ଥିବା ବେଳେ ୨୦୧୯ରେ ବାଙ୍ଗାଲୁରରେ ପ୍ରଥମ ଥର ଏଭଳି ବ୍ୟବସାୟ ଆରମ୍ଭ କରିଥିଲା। ଚାଇନାରୁ ଏଭଳି ଜାଲି ଲୋନ୍ ଆପ୍‌ର ନିୟନ୍ତ୍ରଣ କରାଯାଉଛି। କେହି ଋଣ ଦେବାକୁ ହେଲେ ସମ୍ପୃକ୍ତ ସଂସ୍ଥା ଏକ ବ୍ୟାଙ୍କ କିମ୍ବା ଅଣ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନି (ଏନବିଏଫସି) ପ୍ରଥମେ ରିଜର୍ଭ ବ୍ୟାଙ୍କ ଦ୍ବାରା ପଞ୍ଜିକୃତ ହୋଇଥିବା ଆବଶ୍ୟକ। କିନ୍ତୁ ଏହି ଠକ ସଂସ୍ଥା କୌଣସି ଆଇନଗତ ଅନୁମତି ପାଇ ନଥିବା ସାଇବର୍ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

 

ଲଗାତର ଫସିଲେଣି ଦୁଇ ଯୁବତୀ

୨୦୨୧ ଡିସେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଲୋନ୍ ଆପ୍ଲିକେସନ୍ ମାଧ୍ୟମରେ ଠକେଇ ଅଭିଯୋଗ ୫୦ଟି ଆସିଛି। ଏମାନେ ସମସ୍ତେ ଯୁବକ। ଗଲା ସପ୍ତାହରେ ପ୍ରଥମ ଥର ଦୁଇ ଜଣ ଯୁବତୀ ଠକେଇର ଶିକାର ହୋଇଛନ୍ତି। ଗଲା ୬ ତାରିଖରେ ସଦର କୁରାଙ୍ଗ ପ୍ରଧାନର ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବ୍ଲାକମେଲ୍ କରି ‘ହୋମ୍ କ୍ୟାସ୍’ ଆପ୍ଲିକେସନ୍ ୧ ଲକ୍ଷ ଟଙ୍କା ଲୁଟିନେବା ଅଭିଯୋଗ ହୋଇଛି। ସମାନ ଘଟଣାରେ ବିଡାନାସୀ ତୁଳସୀପୁର ଅଞ୍ଚଳର ଜଣେ ଛାତ୍ରୀ ମଧ୍ୟ ଗଲା ୭ ତାରିଖରେ ଅଭିଯୋଗ କରିଛନ୍ତି। ଏହି ଛାତ୍ରୀଙ୍କ ହ୍ବାଟସଆପକୁ ଆସିଥିବା ଏକ ଲିଙ୍କ କ୍ଲିକ୍ କରିବା ପରେ ସେ ‘କେକେ କଏନ’ ଋଣ ପ୍ରଦାନକାରୀ ଆପ୍ଲିକେସନରେ ନାଁ ପଞ୍ଜିକରଣ କରିଥିଲେ। କିନ୍ତୁ ଋଣ ଆବେଦନ କରି ନଥିଲେ। ସାଇବର୍ ଅପରାଧୀ ଏହି ଛାତ୍ରୀଙ୍କ କଣ୍ଟାକ୍ଟ ନମ୍ବର ବ୍ୟବହାର କରି ଅଶ୍ଳୀଳ ଫଟୋ ଏବେ ଭାଇରାଲ୍ କରୁଥିବା ଅଭିଯୋଗ ହୋଇଥିବା ସାଇବର୍ ଥାନା ପକ୍ଷରୁ ସୂଚନା ମିଳିଛି।

ଜାଣିରଖନ୍ତୁ ଆପ୍ଲିକେସନ୍

ବିଲୋନ୍ ଆପ, ଗୋ କ୍ୟାସ୍, ଗୋ ଗୋ ଲୋନ, ଆଇଏନଏସ୍ ଲୋନ୍, ଆସାନ ଲୋନ୍, ଫାଷ୍ଟ କ୍ୟାସ୍, କ୍ୟାସ୍ ଫାଷ୍ଟ, ଫ୍ଲିପ୍ କ୍ୟାସ, ରୁପି ଵାଲେଟ, ରୁପି କିଙ୍ଗ, ଫାଷ୍ଟ ରୁପି, ଇଜି କ୍ରେଡିଟ୍ ଲୋନ୍, କ୍ୟାସ କୋଲା, ଇନଫିନିଟି, ସନସାଇନ, କ୍ରେଡିଟ୍ ଵାଲେଟ, ମନି ଟ୍ରି, କ୍ୟାସ୍ ପକେଟ, ହେଲୋ ରୁପ, ସ୍ମଲ କ୍ରେଡିଟ୍, କ୍ୟାସ୍ ରୁମ, ଷ୍ଟାର ଲୋନ, ୟେସ୍ ରୁପି, ଓକେ ରୁପ ଲୋନ୍, ମ୍ୟାଜିକ୍ ମନି, କୋକୋ ଲୋନ୍, ଜୋଜୋ ଲୋନ, ଗୋଲଡେନ ଲାଇଟିଂ ଲୋନ, ସିଲଭର କ୍ରେଡିଟ୍ ଲୋନ୍, ଗୋଲଡ କ୍ୟାସ ଲୋନ, ଲିଟିଲ ବରୋ ଲୋନ, ଟ୍ୟାପ କ୍ରେଡିଟ ଲୋନ, କ୍ରେଡିଟ୍ ବିଅର ଲୋନ, ସ୍ପିଡି ରୁପି ଲୋନ, ଏକ୍ସପ୍ରେସ କ୍ରେଡିଟ୍ ଲୋନ, କ୍ରେଡିଟ୍ ପ୍ଲାନ୍ ଲୋନ, ରୁପୁ ଡେ ଲୋନ୍ ଇତ୍ୟାଦି ରହିଛି। କ୍ରାଇମବ୍ରାଞ୍ଚ ଏହିଭଳି ୪୫ଟି ଆପ୍ଲିକେସନକୁ ହଟାଇବା ପାଇଁ ଗୁଗୁଲର କାଲିଫର୍ଣ୍ଣିଆରେ ଥିବା ଲିଗାଲ୍ ଇନଭେଷ୍ଟିଗେସନସ୍ ସପୋର୍ଟ ଟିମକୁ ଚିଠି ଲେଖିଛି। ଏହି ଆପ୍ଲିକେସନ୍ ଋଣ ଯୋଗାଇବା ପାଇଁ ଆରବିଆଇ ଦ୍ବାରା ଅନୁମୋଦିତ ନୁହେଁ।

ପଡ଼ୋଶୀ ରାଜ୍ୟରୁ ହେଉଛି ନିୟନ୍ତ୍ରଣ
ତୁରନ୍ତ ଋଣ ପାଇଁ ହ୍ବାଟସଆପକୁ କିମ୍ବା ମୋବାଇଲକୁ ଆସୁଥିବା ଅଜଣା ଲିଙ୍କ୍ ଖୋଲିବା ଅନୁଚିତ। ଏହି ଲିଙ୍କ ଖୋଲି ଲୋନ୍ ଆପ୍ ଇନଷ୍ଟଲ କରନ୍ତୁ ନାହିଁ। ଏହି ଆପ୍ ଡାଉନଲୋଡ୍ କଲେ କଣ୍ଟାକ୍ଟ ଓ ଗ୍ୟାଲେରି ଆକ୍ସେସ୍ ସାଇବର୍ ଅପରାଧୀ ନେଇ ଯାଇଥାଏ। ଏହି ଆକ୍ସେସ୍ ନନେବା ପର୍ଯ୍ୟନ୍ତ ଆପ୍ଲିକେସନ୍ ଡାଉନଲୋଡ୍ ହେବନାହିଁ। ଏମାନେ ସମସ୍ତ ବ୍ୟକ୍ତିଗତ ତଥ୍ୟ ଋଣ ନାଁରେ ସଂଗ୍ରହ କରି ପରେ ବ୍ଲାକମେଲ୍ କରୁଛନ୍ତି। ଏହି ଆପ୍ଲିକେସନର ମାଷ୍ଟରମାଇଣ୍ଡ ହେଉଛନ୍ତି ଚାଇନାର। କିନ୍ତୁ ଏବେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ରୁ ଏହି ଲୋନ୍ ଆପକୁ ସାଇବର୍ ଠକ ନିୟନ୍ତ୍ରଣ କରୁଛନ୍ତି। ଇଣ୍ଟରନେଟରୁ ଜେନେରେଟ୍ ହେଉଥିବା ନମ୍ବର ଏବଂ ଆଗୁଆ ଆକ୍ଟିଭ୍ ହେଉଥିବା ସିମ୍ କାର୍ଡ ଏଥିରେ ବ୍ୟବହାର ହେଉଛି।
ଚନ୍ଦ୍ରିକା ସ୍ବାଇଁ, ଆଇଆଇସି, କଟକ କମିସନରେଟ୍ ସାଇବର୍ ଥାନା

ସମ୍ବନ୍ଧିତ ଖବର