କଟକ: ଦୁର୍ଗାପୂଜାରେ ୨୮ଟି ଚାନ୍ଦିମେଢ଼ ପ୍ରଦର୍ଶନ କରି ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ ସହର ଏବେ ଗଜଲକ୍ଷ୍ମୀ ପୂଜା ପାଇଁ ଚାନ୍ଦିମେଢ଼ ଅଭିଯାନ ଆରମ୍ଭ କରିଛି। ୧୯୫୬ମସିହାରେ ପ୍ରଥମ କରି ଚାନ୍ଦିମେଢ଼ ନିର୍ମାଣ କରି ନୂଆ ପରମ୍ପରା ସୃଷ୍ଟି କରିଥିବା ଚୌଧୁରୀବଜାର ଦୁର୍ଗା ପଞ୍ଚାୟତ କମିଟି ୨୦୧୬ରେ ଲକ୍ଷ୍ମୀପୂଜା ପାଇଁ ପ୍ରଥମ ଚାନ୍ଦିମେଢ଼ ତିଆରି କଟକ ଯାନିଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଥିଲା। ଚଳିତ ବର୍ଷ ଏହି ପଥକୁ ଅନୁସରଣ କରିଛି ସହର ଅନ୍ୟତମ ପୁରାତନ ପୂଜା ପ୍ରତିଷ୍ଠାନ ‘କାଜିବଜାର ପୂଜା କମିଟି’। କାଜିବଜାର ପୂଜା କମିଟି ଚଳିତ ବର୍ଷ ଲକ୍ଷ୍ମୀ ପୂଜା ପାଇଁ ସ୍ବତନ୍ତ୍ର ଭାବେ ୫୦ କିଲୋର ନୂଆ ଚାନ୍ଦିମେଢ଼ ତିଆରି କରିଛି। ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜାରେ ଏହି ଚାନ୍ଦିମେଢ଼ ଉଦ୍ଘାଟନ ହେବ ବୋଲି ସୂଚନା ମିଳିଛି। କାଜିବଜାର ପୂଜା କମିଟି ୧୯୯୭ରେ ଦୁର୍ଗାପୂଜା ପାଇଁ ଚାନ୍ଦିମେଢ଼ ନିର୍ମାଣ କରିଥିବା ବେଳେ ଚଳିତ ବର୍ଷ ଲକ୍ଷ୍ମୀପୂଜା ପାଇଁ ନୂଆ ଚାନ୍ଦିମେଢ଼ ତିଆରି କରି ଗଜଲକ୍ଷ୍ମୀ ପୂଜାର ଦ୍ବିତୀୟ ଚାନ୍ଦିମେଢ଼ ମାନ୍ୟତା ପାଇଛି।
ପୂର୍ବରୁ ଗଜଲକ୍ଷ୍ମୀ ପୂଜାରେ କେବଳ ଚୌଧୁରୀବଜାର ଚାନ୍ଦିମେଢ଼ ତିଆରି କରିଥିଲା। କାଜିବଜାର ପୂଜା କମିଟି ପକ୍ଷରୁ ୨୦୨୦ରେ ଲକ୍ଷ୍ମୀପୂଜା ପାଇଁ ଚାନ୍ଦି ତିଆରି କରିବା ପରିକଳ୍ପନା ହୋଇଥିଲା। ପୂଜା କମିଟି ସଂପାଦକ ପ୍ରଦୀପ କୁମାର ସିହ୍ନାଙ୍କ ନେତୃତ୍ବରେ ୨୦୨୦ ମଧ୍ୟ ମେଢ଼ କାମ ଆରମ୍ଭ ହୋଇଥିଲା। ଶେଖ୍ବଜାର ଅଞ୍ଚଳର ଜଣାଶୁଣା ତାରକସି କାରିଗର ବିଶ୍ବନାଥ ଦେ ଓ ତାଙ୍କ ଦୁଇ ପୁଅ ଅଜୟ ଦେ ଓ ବିଜୟ ଦେ ମେଢ଼ ନିର୍ମାଣ ଦାୟିତ୍ବ ନେଇଥିଲେ। ଦେଢ଼ ବର୍ଷରେ ସେମାନେ ୫୦କିଲୋ ଓଜନର ସୁନ୍ଦର ଚାନ୍ଦିମେଢ଼ ନିର୍ମାଣ ସମ୍ପୂର୍ଣ୍ଣ କରି କାଜିବଜାର ପୂଜା କମିଟିକୁ ହସ୍ତାନ୍ତର କରିଛନ୍ତି। ମେଢ଼ଟି ​ଏବେ କାଜିବଜାର ପୂଜା ମଣ୍ଡପରେ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ ଶୋଭାପାଉଥିବା ବେଳେ ରବିବାର ଏହା ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବ ବୋଲି ସଂପାଦକ ପ୍ରଦୀପ ସିହ୍ନା (ହାବୁଦା) ସୂଚନା ଦେଇଛନ୍ତି। ଗଜଲକ୍ଷ୍ମୀ ପୂଜା ପାଇଁ ଏହା ସହରର ଦ୍ବିତୀୟ ଚାନ୍ଦିମେଢ଼ ବୋଲି ସଂପାଦକ ଶ୍ରୀ ସିହ୍ନା ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/KAZIBAZAR-PUJA-COMIT-8PHT091221.jpg)