ଛତ୍ରବଜାର ପୋଲ ଅଘଟଣ, ଏବେ କାହାର ହେବ ମୁଣ୍ଡ କାଟ୍?

କଟକ: ଛତ୍ରବଜାର ପୋଲ ନିକଟ ପାଚେରି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାହାର ହେବ ମୁଣ୍ଡ କାଟ୍? ଭୁବନେଶ୍ବର ବମିଖାଲ ବ୍ରିଜ ଭୁଶୁଡ଼ିବା ମାମଲାରେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ଓ ଯନ୍ତ୍ରୀଙ୍କ ସମେତ ୪ ଜଣ ଗିରଫ ହୋଇଥିଲେ। କଟକରେ ଉଭୟ ଆରଆଣ୍ଡବି ଏବଂ ଭୁବନେଶ୍ବରର ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି ମାଲିକ ଅଭୟ କୁମାର ସାହୁ ନିଜର ଖାମଖିଆଲ କାମ ପାଇଁ ଫସିବେ ନା ଖସିଯିବେ? ଅଭୟଙ୍କ ବିରୋଧରେ ବାଦାମବାଡ଼ି ଥାନାରେ କୌଣସି ଏତଲା ଦିଆନଯାଇ ତାଙ୍କୁ ଖୋଲା ଛାଡ଼ିଦେବା ଘଟଣାକୁ ନେଇ ଆରମ୍ଭରୁ ସନ୍ଦେହ ସୃଷ୍ଟି ହେଲାଣି। ଆଜକୁ ୫ ବର୍ଷ ତଳେ ନିର୍ମାଣାଧୀନ ଅବସ୍ଥାରେ ମଧୁସେତୂର ଏକ ଗାର୍ଡର୍ ବା କଂକ୍ରିଟ୍ ଢଳେଇ ନଦୀ ବାଲିକୁ ଖସିପଡ଼ିଥିଲା। ୫ ଜଣ ଶ୍ରମିକ ନଦୀରେ ପଡ଼ି ଗୁରୁତର ଆହତ ଘଟଣାରେ ତତ୍କାଳୀନ ଆରଆଣ୍ଡବି ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ରାଜ୍ୟ ସରକାର ସବୁ ଅଠା ବୋଳି କଟକରୁ ବଦଳି କରିଥିବା କୁହାଯାଏ। ତେବେ ଛତ୍ରବଜାର ପ୍ରସଂଗରେ ସରକାର କ୍ଷତିପୂରଣ ଘୋଷଣା କରି ଖସିଯିବେ ନା କାହାକୁ ଦାୟୀ କରିବେ?
ସୂଚନା ଅନୁଯାୟୀ, ମଧୁସୁଦନ ସେତୁର ନିର୍ମାଣ ଦାୟିତ୍ବ ନେଇଥିବା ହରିୟାନାର ଏସ୍.ପି ସିଙ୍ଗଲା କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିଃ ୨୦୧୭ ଏପ୍ରିଲ ୨୭ ତାରିଖରେ ବଡ଼ ଧରଣର ଅଘଟଣ ଘଟାଇଥିଲା। ବ୍ରିଜର ନିର୍ମାଣ ସମୟରେ ଗାର୍ଡର୍ ଖସିବା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ନଦୀରୁ ପାଖାପାଖି ୧୦୦ ଫୁଟରୁ ଅଧିକ ଉଚ୍ଚ ବ୍ରିଜ ଉପରୁ ଶ୍ରମିକ ନଦୀ ଭିତରକୁ ଖସିପଡ଼ିଥିଲେ। ଓଲଡିଂ ଠିକରେ ହୋଇନଥିବାରୁ ଅଘଟଣ ଘଟିଥିଲା। ଏସ୍.ପି ସିଙ୍ଗଲା କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିଃକୁ ସୁରକ୍ଷା ଯୋଗାଇଥିଲା ଜିଲ୍ଲା ପ୍ରଶାସନ। ତତ୍କାଳୀନ ଆର‌୍‌ଆଣ୍ତବିର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ କଟକରୁ ବଦଳି କରିଥିବା କୁହାଯାଏ। ଏଭଳି ଘଟଣାର ଠିକ୍ ୬ ବର୍ଷ ପରେ କଟକ ସହରରେ ଛତ୍ରବଜାର ବ୍ରିଜ ନିକଟ ପାଚେରି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ବ୍ରିଜ ଉପରେ ଯାନବାହାନ ଚଳାଚଳକୁ ଦାୟୀ କରି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ହାତ ଝାଡି ଦେଇଛନ୍ତି। ଛତ୍ରବଜାର ବ୍ରିଜ ଉପରେ ଯାନବାହାନ ଚଳାଚଳ ଯୋଗୁ ଭାଇବ୍ରେସନ୍ ହୋଇ ପାଚେରି ଭୁଶୁଡ଼ିଥିବା ଜିଲ୍ଲାପାଳ ସଫେଇ ଦେଇଛନ୍ତି।

ଯଦି ଯାନବାହାନ ଚଳାଚଳ ଯୋଗୁ ବ୍ରିଜ ଭୁଶୁଡ଼ିଲା ତେବେ ତଳେ ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି ସେହି ସ୍ଥାନରେ ଗଲା ୫ ଦିନ ହେବ ବକ୍ସ କଲଭର୍ଟ ପାଇଁ ମାଟି ଖୋଳୁଥିବା ବେଳେ ବ୍ରିଜ ଉପରେ ଭାରୀଯାନ ଚଳାଚଳ କରିବାକୁ ଅନୁମତି ଦିଆଯାଉଥିଲା କାହିଁକି? ଯେଉଁ ସ୍ଥାନରେ ବୁଧବାର ପାଚେରି ଭୁଶୁଡ଼ିଥିଲା, ସେଠି ଜବରଦଖଲରେ ଏକ ତୁଠ ଘର ସହିତ ଘର ଉପରେ ଏକ ପାଣିଟାଙ୍କୀ ବି ଥିଲା। ନିଜେ ଜିଲ୍ଲାପାଳ ଏହାକୁ ଜବରଦଖଲ ବୋଲି କହୁଥିବା ବେଳେ ଏହାକୁ ପୂର୍ବରୁ ଉଚ୍ଛେଦ କରାଯାଇଥିଲେ ହୁଏତ ଆଜି ଏଭଳି ଅଘଟଣ ଘଟିନଥାନ୍ତା। ସେହି କୋଠା ଭୁଶୁଡ଼ି ଶ୍ରମିକଙ୍କ ଉପରେ ପଡ଼ିବା ଫଳରେ ହିଁ ମୃତ୍ୟୁ ହୋଇଛି। ଅତଡ଼ା ଯେଉଁ ସ୍ଥାନରେ ଖସିଛି, ଠିକ୍ ତା ଉପରେ ପ୍ରାୟ ୫ ଜଣ ପରିବା ବ୍ୟବସାୟୀମାନେ ପରିବା କୁଢ଼ାଇ ବୁଧବାର ସନ୍ଧ୍ୟାରେ ବି ବ୍ୟବସାୟ କରିଛନ୍ତି। ସେମାନଙ୍କ ପରିବା ବସ୍ତା ତାଳଦଣ୍ଡା କେନାଲ ଭିତରକୁ ଖସିପଡ଼ିଥିବା ବେଳେ ସେମାନେ ବର୍ତ୍ତି ଯାଇଛନ୍ତି। ଗୋଟିଏ ପଟେ ଛତ୍ରବଜାର ନୂଆ ବ୍ରିଜ ତିଆରି ପାଇଁ ତାଳଦଣ୍ଡା କେନାଲରେ ମାଟି ଖୋଳାଯାଉଥିବା ବେଳେ ଉପରେ ପରିବାର ବ୍ୟବସାୟୀମାନେ ଏଭଳି ବିପଦଜନକ ଭାବେ ବନ୍ଧ ପାର୍ଶ୍ବରେ ବସି ବ୍ୟବସାୟ କରୁଥିବାରୁ କମିସନରେଟ୍ ପୁଲିସ କିମ୍ବା ଘରୋଇ ସଂସ୍ଥା କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲାନି କେମିତି? ପୁଲିସ କିମ୍ବା ଘରୋଇ ସୁରକ୍ଷା କର୍ମୀ ମୁତୟନ କରାଯାଇନଥିଲା। କମିସନରେଟ୍ ପୁଲିସ ଓ ଟ୍ରାଫିକ ସହର ସାରା ହେଲମେଟ୍ ଚେକିଂକୁ ନେଇ ଯେତେ ମାତ୍ରାରେ ବ୍ୟସ୍ତ ରହୁଛି, ଏହି ବନ୍ଧ ପାର୍ଶ୍ବରୁ କାହିଁକି ପରିବା ବ୍ୟବସାୟୀଙ୍କୁ ଉଠାଗଲା ନାହିଁ? ବକ୍ସ କଲଭର୍ଟ ନିର୍ମାଣ ପୂର୍ବରୁ କଟ ଅଫ୍ ଓାଲ୍ ନିର୍ମାଣ ସମୟରେ ବୁଧବାର କୌଣସି କର୍ମଚାରୀ ସୁରକ୍ଷା ହେଲମେଟ୍ ପିନ୍ଧି ନଥିବା କୁହାଯାଉଛି। ଆରଆଣ୍ଡବି ଯନ୍ତ୍ରୀ ବ୍ରିଜ ନିକଟକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଥିଲେ ନା ଚୁପ୍ ବସିପଡ଼ିଥିଲେ, ତାକୁ ନେଇ ବି ପ୍ରଶ୍ନ ଉଠିଛି।
୨୦୧୭ ସେପ୍ଟେମ୍ବର ୧୦ ତାରିଖରେ ଭୁବନେଶ୍ବର ବମିଖାଲାରେ ଫ୍ଲାଏ ଓଭର ଭୁଶୁଡ଼ି ଜଣକର ମୃତ୍ୟ ଓ ୨୦ ଆହତ ମାମଲାରେ ନିର୍ମାଣ ଦାୟିତ୍ବ ନେଇଥିବା ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ପ୍ରତାପ କିଶୋର ପଣ୍ଡା ସମେତ େଡପୁଟି ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ସହକାରୀ ଯନ୍ତ୍ରୀ କିଶୋର ରାଉତ ଏବଂ କମ୍ପାନିର ପ୍ରକଳ୍ପର ମ୍ୟାନେଜର ବିପୁଲ ଚକ୍ରବର୍ତ୍ତୀଙ୍କୁ କମିସନରେଟ୍ ପୁଲିସ ଗିରଫ କରିଥିଲା। କଟକରେ ନିର୍ମାଣ ଦାୟିତ୍ବ ନେଇଥିବା ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି ଶ୍ରମିକଙ୍କୁ ଅତି ବିପଦଜନକ ଭାବେ ଏକ ପ୍ରକାର ମରଣ ମୁହଁକୁ ଠେଲିଦେବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ କମିସନରେଟ୍ ପୁଲିସରେ କୌଣସି ଏତଲା ହୋଇନାହିଁ କି ମାଲିକ ଅଭୟ କୁମାର ସାହୁଙ୍କୁ ଗିରଫ କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। କୌଣସି ଯନ୍ତ୍ରୀଙ୍କ ବିରୋଧରେ ବି ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନିରବ ରହିବା ଘଟଣା ସନ୍ଦେହ ବଢ଼ାଉଛି।

ଅଘଟଣରୁ କିଛି ଶିଖିଲେନି, ଆଜି ବି କାହା ମୁଣ୍ଡରେ ନାହିଁ ହେଲମେଟ୍

ଛତ୍ରବଜାର ଅଘଟଣରୁ କିଛି ଶିଖିଲା ନାହିଁ ଠିକା ସଂସ୍ଥା। ମାତୃଭବନ ନିକଟରେ ତାଳଦଣ୍ଡା କେନାଲ ପାଇଁ ଦୁଇ ପାର୍ଶ୍ବରେ ପାଚେରୀ ନିର୍ମାଣରେ ନିୟୋଜିତ ଶ୍ରମିକ ମୁଣ୍ଡରେ ହେଲମେଟ୍ ପିନ୍ଧି ନଥିଲେ। ନିର୍ମାଣ କାମରେ ନିୟୋଜିତ ଶ୍ରମିତ ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ମୁଣ୍ଡରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ। କିନ୍ତୁ ସବୁ ନିୟମକୁ ବେଖାତିର କରି ଆଜି ଏଭଳି କାମ ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ରାଣୀହାଟରୁ ମାତୃଭବନ ଯାଏ ତାଳଦଣ୍ଡା କେନାଲ ରାସ୍ତା ଏବେ ଅସୁରକ୍ଷିତ ହୋଇ ପଡ଼ିଥିବାରୁ ଏହି ରାସ୍ତାକୁ ଉଭୟ ପଟୁ ଅସ୍ଥାୟୀ ଭାବେ ବନ୍ଦ କରିଦେବାକୁ ଛତ୍ରବଜାର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ରନାଥ ସାହୁ ଆରଆଣ୍ଡବିର ବରିଷ୍ଠ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ତାଳଦଣ୍ଡା କେନାଲ ସମ୍ପ୍ରସାରଣ କାମ ଚାଲିଥିବା ସମୟରେ ବର୍ଷା ହେଲେ ମାଟି ଧସିଯିବାର ଆଶଙ୍କା ଥିବାରୁ ବନ୍ଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଆରଆଣ୍ଡବି ଏ ନେଇ ପୁଲିସ ସହିତ ଆଲୋଚନା କରୁଥିବା ବେଳେ ଖୁବଶୀଘ୍ର ଏହି ରାସ୍ତାରେ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯୋଜନା ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର