ଛତ୍ରବଜାର ପୋଲ ପାଚେରି ଭୁଶୁଡ଼ିବା ଘଟଣା, ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଲେ ଆର୍‌ଡିସି

କଟକ: ଛତ୍ରବଜାର ପୋଲ ପାଚେରି ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇ। ଆରଡିସି ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି, ଆରଆଣ୍ଡବି ଓ ଜିଲ୍ଲାପ୍ରଶାସନକୁ ତଦନ୍ତ ପରିସରଭୁକ୍ତ କରିଥିବା ବେଳେ ଏହି ରିପୋର୍ଟ ଆଧାରରେ କି ପଦକ୍ଷେପ ନିଆଯାଉଛି, ତାହା ଏବେ ଗୁରୁତ୍ବପୂର୍ଣ୍ଣ ହୋଇ ପଡ଼ିଛି। ବିନା ସପୋର୍ଟିଂ ଓ୍ବାଲରେ ଛତ୍ରବଜାର ପୁରୁଣା ପୋଲ ନିକଟରେ ନୂଆ ପୋଲ ନିର୍ମାଣ ପାଇଁ ଅନୁମତି କିଏ ଦେଇଥିଲା? ଆରଆଣ୍ଡବିର ଯନ୍ତ୍ରୀ ଠିକା ସଂସ୍ଥାର କାମ ନିୟମିତ ତଦାରଖ କରୁଥିଲେ କି ନାହିଁ? ଶ୍ରମିକଙ୍କ ପାଇଁ କି ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା? ଏ ପ୍ରସଙ୍ଗରେ ଆରଡିସି ରିପୋର୍ଟରେ ତଥ୍ୟ ରଖିଛନ୍ତି। କିନ୍ତୁ ଜିଲ୍ଲାପାଳ ଓ ଆରଆଣ୍ଡବି ଆରମ୍ଭରୁ ଦୁଇଟି ରିପୋର୍ଟରେ ଠିକା ସଂସ୍ଥାକୁ ସବୁଜ ସଂକେତ ଦେଇ ସାରିଥିବା ବେଳେ ଆରଡିସି କାହାକୁ ଏହି ଅଘଟଣ ପାଇଁ ଦାୟୀ କରିଛନ୍ତି ତାହା ରାଜ୍ୟ ସରକାରଙ୍କ ଦ୍ବାରା ଏହି ରିପୋର୍ଟ ସାର୍ବଜନୀନ ହେବା ପରେ ସ୍ପଷ୍ଟ ହେବ। ଛତ୍ରବଜାର ବ୍ରିଟିଶ ଅମଳର ପୋଲ ନିକଟରେ ଏକ ବକ୍ସ କଲଭର୍ଟ ନିର୍ମାଣ ଦାୟିତ୍ବ ନେଇଥିଲା ଭୁବନେଶ୍ବରର ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି। ବକ୍ସ କଲଭର୍ଟ ନିର୍ମାଣ ଚାଲିଥିବା ସମୟରେ ଗଲା ମାର୍ଚ୍ଚ ୯ ତାରିଖରେ ପାଚେରି ଭୁଶୁଡି ପଡିଥିଲା। ଗାର୍ଡ ଓ୍ବାଲ୍ ବା କଟ୍ ଅଫ୍ ଓ୍ବାଲ୍ ପାଇଁ ସେଣ୍ଟ୍ରିଂ ପଟା ଶ୍ରମିକମାନେ ବାଡ଼ାଉଥିବା ସମୟରେ ମାଟି ଧସିବା ଫଳରେ ଅଜିତ ଦେହୁରୀ ଓ କୀର୍ତ୍ତନ ଦେହୁରୀଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ରାଜ୍ୟ ସରକାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତ୍ତମାନ ଆରଡିସି ତଦନ୍ତ କରି ନିଜ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। କିନ୍ତୁ ଥାନାରେ ଜିଲ୍ଲା ପ୍ରଶାସନ କିମ୍ବା ଆରଆଣ୍ଡବି ପକ୍ଷରୁ କୌଣସି ଏତଲା ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି ବିରୋଧରେ ଦିଆଯାଇନାହିଁ। ପୂର୍ବଭଳି ଶିବଜ୍ୟୋତି କମ୍ପାନିର ଛତ୍ରବଜାର ସମେତ ମାତୃଭବନ ରେଳ ପୋଲ ନିକଟ ଓ ପିଲଗ୍ରିମ୍ ରୋଡ ନିକଟରେ ୩ଟି ବ୍ରିଜ କାମ ଜାରି ରଖିଛି। ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲେ ସୁଦ୍ଧା ଏଥିପାଇଁ କାହାକୁ ଦାୟୀ କରାଯାଇନାହିଁ କି କମ୍ପାନି ବି‌ରୋଧରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆରଡିସି ମାର୍ଚ୍ଚ ୯ ତାରିଖ ସନ୍ଧ୍ୟାରେ ନିର୍ମାଣ ସ୍ଥଳରେ ଉପସ୍ଥିତ ଥିବା ଶ୍ରମିକ, ଠିକା ସଂସ୍ଥାର କର୍ମଚାରୀ, ସ୍ଥାନୀୟ ଆରଆଣ୍ଡବି ଯନ୍ତ୍ରୀଙ୍କ ବୟାନ ରେକର୍ଡ କରି ରିପୋର୍ଟରେ ଯୋଡ଼ିଛନ୍ତି। ସପୋର୍ଟିଂ ଓ୍ବାଲ୍ ନଥିବା ଯୋଗୁଁ ପାଚେରି ଭୁଶୁଡ଼ିଛି ନା ଅନ୍ୟ କିଛି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏଭଳି ଅଘଟଣ ଘଟିଲା, ସେ ନେଇ ଆରଡିସି ସମସ୍ତଙ୍କୁ ପୃଥକ ଭାବେ ପଚାରିଛନ୍ତି। ଆରଆଣ୍ଡବିର ନିର୍ବାହୀୟ ଯନ୍ତ୍ରୀ କଟକ ଜିଲ୍ଲାପାଳଙ୍କୁ ଦେଇଥିବା ଏକ ଯାନ୍ତ୍ରୀକ ରିପୋର୍ଟ ଏବଂ ଜିଲ୍ଲାପାଳ ଆରଡିସିଙ୍କୁ ଦେଇଥିବା ଏକ ପ୍ରାଥମିକ ରିପୋର୍ଟ ଆରଡିସି ସୁରେଶ ଚନ୍ଦ୍ର ଦଳାଇ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛନ୍ତି। ଛତ୍ରବଜାର ପୋଲ ପାଚେରି ଭୁଶୁଡ଼ିବା ପଛରେ ଥିବା ଦୋଷ ତ୍ରୁଟିକୁ ବନ୍ଦ ଲଫାପାରେ ସରକାରଙ୍କ ନିକଟକୁ ପଠାଇଛନ୍ତି। ଅନ୍ୟପଟେ ଦୁଇ ମୃତ ଶ୍ରମିକଙ୍କୁ ସରକାର କେବଳ ୩ ଲକ୍ଷ ୩୦ ହଜାର ଟଙ୍କା ଲେଖାଏ ସହାୟତା ରାଶୀ ଦେଇଛନ୍ତି।

ସମ୍ବନ୍ଧିତ ଖବର