କଟକ: ଛତ୍ରବଜାର ପୋଲ ନିକଟରେ ନୂଆ ବକ୍ସ କଲଭର୍ଟ ନିର୍ମାଣ ଦାୟିତ୍ବ ନେଇଥିବା ଶିବଜ୍ୟୋତି କନଷ୍ଟ୍ରକ୍ସନ୍ କମ୍ପାନି ମୋଟ ୩ଟି କଲଭର୍ଟ ନିର୍ମାଣ ଦାୟିତ୍ବ ନେଇଛି। ତାଳଦଣ୍ଡା କେନାଲ ଉପରେ ଏହି ତିନୋଟି କଲଭର୍ଟ ନିର୍ମାଣ ପାଇଁ ୯ କୋଟି ଟଙ୍କାର ଟେଣ୍ଡର ହାତେଇଛି ଏହି କମ୍ପାନି। ଏକକାଳୀନ ଏତେ ସଂଖ୍ୟାରେ ଟେଣ୍ଡର୍‌ ହାତେଇବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଅନ୍ୟପଟେ ଛତ୍ରବଜାର ପୋଲ ନିକଟରେ ଯେଭଳି ଶ୍ରମିକଙ୍କ ଜୀବନକୁ ବାଜି ଲଗାଇ ଏହି କମ୍ପାନି କାମ କରିଛି, ଅବଶିଷ୍ଟ ଦୁଇଟି କଲଭର୍ଟ ନିର୍ମାଣ ଦାୟିତ୍ବରେ ଥିବା ଶ୍ରମିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏବେ କମ୍ପାନି ମାଲିକ ଅଭୟ ସାହୁଙ୍କ ବିରୋଧରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ବଦଳରେ ଦୋଷକୁ ଲାଗିପାତି ଘୋଡ଼ାଇବା ପଛରେ ଜିଲ୍ଲା ପ୍ରଶାସନର କି’ ସ୍ବାର୍ଥ ରହିଛି, ସେ ନେଇ ସନ୍ଦେହ ଉଠିଲାଣି।
ସୂଚନା ଅନୁଯାୟୀ, ଯୋବ୍ରାରୁ ନୂଆବଜାରଯାଏ ତାଳଦଣ୍ଡା କେନାଲ ଉପରେ ମୋଟ ୫ଟି ବକ୍ସ କଲଭର୍ଟ ନିର୍ମାଣ ପାଇଁ ୨୦୨୧ ଫେବ୍ରୁଆରିରେ ଇ-ଟେଣ୍ଡର୍‌ ହୋଇଥିଲା। ଏଥିରୁ କେବଳ ତିନୋଟି କଲଭର୍ଟ ନିର୍ମାଣ ଦାୟିତ୍ବ ହାତେଇଥିଲା ଭୁବନେଶ୍ବରର ଶିବଜ୍ୟୋତି କନଷ୍ଟ୍ରକ୍ସନ୍‌ କମ୍ପାନି। ଏହି କମ୍ପାନିର ମାଲିକ ଅଭୟ କୁମାର ସାହୁ ଛତ୍ରବଜାର ସମେତ ମାତୃଭବନ ରେଳଲାଇନ୍ ନିକଟ ଓ ପିଲିଗ୍ରିମ୍ ରୋଡ ନିକଟରେ ବ୍ରିଜ୍‌ ନିର୍ମାଣ କାମ ହାତେଇଥିଲେ। ଗଲାବର୍ଷ ମେ’ ମାସରେ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏବେ ଉଭୟ ମାତୃଭବନ ଓ ପିଲିଗ୍ରିମ ରୋଡ୍‌ ନିକଟ କଲଭର୍ଟ କାମ ଅଧାଅଧି ହୋଇଥିବା ବେଳେ ଛତ୍ରବଜାର କଲଭର୍ଟ କାମ ଆରମ୍ଭରୁ ଗଲା ବୁଧବାର ଅଘଟଣ ଘଟି ଦୁଇ ଶ୍ରମିକଙ୍କ ଜୀବନ ଯାଇଛି। ଶିବଜ୍ୟୋତି କମ୍ପାନି ପକ୍ଷରୁ ତାଳଦଣ୍ଡା କେନାଲ୍‌ ଉପରେ ନିର୍ମାଣ ହେଉଥିବା ଏହି ବ୍ରିଜ୍‌ କାମରେ ପାଖାପାଖି ୩୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିବା କୁହାଯାଉଥିବା ବେଳେ ଏବେ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କୌଣସି ସ୍ଥାନରେ ବି କେନାଲବନ୍ଧ ପାର୍ଶ୍ବରେ ‘ସପୋର୍ଟିଂ ଓାଲ୍’ ନଥିବା ବେଳେ ଶ୍ରମିକମାନଙ୍କ ଉପରେ କୌଣସି ସମୟରେ ମାଟି ଅତଡ଼ା ଖସି ଅଘଟଣ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

Advertisment

publive-image Sambad

ଭୁବନେଶ୍ବରରେ ଅଫିସ ଖୋଲିଥିବା କେନ୍ଦ୍ରାପଡ଼ାର ଏହି ସଂସ୍ଥା ଏକକାଳୀନ ତିନିଟି ଟେଣ୍ଡର ହାତେଇଥିବାରୁ ସଂସ୍ଥାର ଭୂମିକାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ବୁଧବାର ଘଟିଥିବା ଦୁଃଖଦ ଘଟଣାକୁ ୫ ଦିନ ବିତିଥିବା ବେଳେ କଟକ ରେଡକ୍ରସ୍‌ ସୋସାଇଟି ୩୦ ହଜାର ଟଙ୍କା ଓ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ଲେଖାଏ ମୃତକଙ୍କ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଘୋଷଣା କରି ଚୁପ୍ ବସିପଡ଼ିଛନ୍ତି। ଏହି ଟଙ୍କା ଘୋଷଣା ପରେ କେନ୍ଦୁଝରର ସେହି ଦୁଇ ମୃତ ଶ୍ରମିକ ଅଜିତ ଦେହୁରୀ ଓ କୀର୍ତ୍ତନ ଦେହୁରୀଙ୍କ ଅଭାବୀ ପରିବାରକୁ କ’ଣ ନ୍ୟାୟ ମିଳିଯିବ? ଟଙ୍କା ଦେଇ ଦୁଇ ଗରିବ ପରିବାରକୁ ପରୋକ୍ଷରେ ଚୁପ୍ ରହିବାକୁ ଇଏ ଷଡ଼ଯନ୍ତ୍ର ନୁହେଁ ତ? ଏଯାଏ ମୃତକଙ୍କ ପରିବାର ପକ୍ଷରୁ କୌଣସି ପ୍ରକାର ଏତଲା କମ୍ପାନି ବିରୋଧରେ ବାଦାମବାଡ଼ି ଥାନାରେ ହୋଇନାହିଁ। ଏମିତିକି ଜିଲ୍ଲା ପ୍ରଶାସନ ବି ଶିବଜ୍ୟୋତି କମ୍ପାନିର ମାଲିକ ଅଭୟ କୁମାର ସାହୁଙ୍କ ବିରୋଧରେ ଏତଲା ଦେଇନାହିଁ। କେବଳ ଆର୍‌ଆଣ୍ଡ୍‌ବି, ଜିଲ୍ଲାପାଳ ଓ ଆର୍‌ଡିସିଙ୍କ ଭିତରେ ରିପୋର୍ଟ ତଲବ ପ୍ରକ୍ରିୟା ଚାଲିଛି। ଆସନ୍ତାକାଲି ଆର୍‌ଡିସି କଟକ ଗସ୍ତରେ ଆସି ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବାକୁ କହିଥିବା ବେଳେ ଏଭଳି ମାମଲାର ଭାଗ୍ୟ କ’ଣ ହେବ ବୁଝା ପଡ଼ୁନି। ମୃତ ଦୁଇ ଶ୍ରମିକଙ୍କ ସପକ୍ଷରେ ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟ ରହିବ ନା’ କମ୍ପାନିର ଖାମଖିଆଲିପଣକୁ ଲୁଚାଇ ଦିଆଯିବ? କମ୍ପାନି ବିନା ‘ସପୋର୍ଟିଂ ଓାଲ୍‌’ରେ ଶ୍ରମିକଙ୍କୁ କାମ କରିବାକୁ ୪୦ ଫୁଟ ତଳେ ଛାଡ଼ିଥିବାରୁ ଶ୍ରମିକଙ୍କ ମୃତ୍ୟୁ ପାଇଁ କମ୍ପାନି ଦାୟୀ ରହିବା କଥା। ଭୁବନେଶ୍ବରରେ ବମିଖାଲ ଫ୍ଲାଏଓଭର୍‌ ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ଏକ କମ୍ପାନି ମାଲିକଙ୍କ ସମେତ ୪ ଜଣଙ୍କୁ କମିସନରେଟ୍ ପୁଲିସ ଗିରଫ କରିଥିଲା। କିନ୍ତୁ ଏ ମାମଲାରେ ସମସ୍ତେ ଯେଭଳି ଚୁପ୍ ରହିଛନ୍ତି, ମାମଲାକୁ ପରୋକ୍ଷରେ ଚାପିବାକୁ ଏକ ଅଦୃଶ୍ୟ ଶକ୍ତି କାମ କରୁଥିବା ସନ୍ଦେହ ହେଉଛି।