ଶିଶୁ ମୃତ୍ୟୁକୁ ନେଇ ଶିଶୁଭବନ ଠାରେ ଉତ୍ତେଜନା; ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ

କଟକ: କେନ୍ଦ୍ରାପଡ଼ା ଏଣ୍ଡର ହଳଦିଆ ଅଞ୍ଚଳର ଗଣେଶ୍ବର ଦଳାଇ ଓ ସବିତା ଦଳାଇଙ୍କ ଏକମାତ୍ର ଶିଶୁପୁତ୍ର ଶିବଶମ୍ଭୁ ଦଳାଇଙ୍କ ଜନ୍ମରୁ ମସ୍ତିସ୍କ ଅକାମୀ ହୋଇପଡ଼ିଥିଲା। ପରେ ବାତ ରୋଗ ହେଲା। ନିୟମିତ ବାତ ମାରିଲା। ରୋଗ ଭଲ ନହେବାରୁ ପରିବାର ଲୋକେ ଶିବଶମ୍ଭୁକୁ ଗଲା ଏପ୍ରିଲ ୧୬ ତାରିଖରେ ଶିଶୁଭବନକୁ ଆଣିଥିଲେ। ଶିଶୁଟି ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ଗଲା ୫ ଦିନ ତଳେ ତଣ୍ଟି ବାଟେ ସର୍ଜରୀ କରି ଅକ୍ସିଜେନ୍ ଯୋଗାଇ ଦିଆଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ସର୍ଜରୀ ପରେ ଶିଶୁର ପ୍ରଚୁର ରକ୍ତାସ୍ରାବ ହୋଇଥିଲା। ପୂର୍ବରୁ ଶିଶୁଟି ସୁସ୍ଥ ଥିବା ବେଳେ ଏହି ସର୍ଜରୀ ପରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିଯାଇଥିଲା। ଆଜି ସକାଳେ ଶେଷରେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ସଂଗୀନ ଅଭିଯୋଗ ଆଣିଛନ୍ତି। ଶିଶୁଭବନ ଅଧୀକ୍ଷକ ଡାକ୍ତର ପ୍ରଫେସର ଜ୍ଞାନ ରଞ୍ଜନ ବେହେରାଙ୍କ କହିବା ଅନୁଯାୟୀ, ଜନ୍ମ ପରଠାରୁ ଏହି ଶିଶୁର ମସ୍ତିସ୍କ କାମ କରୁନଥିଲା। ପରେ ବାତ ମାରିଲା। ବାତ ନିୟନ୍ତ୍ରଣ ନହେବାରୁ ଶିଶୁଭବନରେ ଚିକିତ୍ସିତ ହେଉଥିଲା।

ଏଠି ଚିକିତ୍ସାଧିନ ଅବସ୍ଥାରେ ବାତ ନିୟନ୍ତ୍ରଣକୁ ଆସିଥିଲା। ଏଥିପାଇଁ ଇଞ୍ଜେକ୍ସନ, ଔଷଧ ଦିଆଯାଇଥିଲା। ନିଶ୍ବାସ ପ୍ରଶ୍ବାସ ବି ନେବାରେ ସମସ୍ୟା ହେଉଥିଲା। ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରୀ ଟିମ୍ ଅନେକ ଚେଷ୍ଟା କରିଥିଲେ। ମସ୍ତିସ୍କରେ ଏଭଳି ତ୍ରୁଟି ଯୋଗୁ ଶିଶୁଟି ନିଜେ ନିଶ୍ବାସ ପ୍ରଶ୍ବାସ ନେଇପାରୁନଥିବାରୁ ନଳି ବାଟେ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିଲା। ବ୍ରେନ୍ ଅଧିକ ମାତ୍ରାରେ ନଷ୍ଟ ହୋଇଯାଇଥିଲା। ଶିଶୁଟିକୁ ବଞ୍ଚାଇବା ସମ୍ଭବପର ହୋଇପାରିନଥିବା ଡାକ୍ତର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର