ହଜିଯାଉଛି ମାନବିକତା: ବୃଦ୍ଧ ବାପାଙ୍କୁ ଦୁଇ ପୁଅ, ଶାଶୂଙ୍କୁ ଛାଡ଼ି ପଳାଇଲେ ଜ୍ବାଇଁ

କଟକ: ହଜିଯାଉଛି ମାନବିକତା। କ୍ୟାନ୍‌ସର ହେଲା ବୋଲି ଜ୍ବାଇଁ ଛାଡ଼ି ପଲାଇଲା ବୃଦ୍ଧା ଶାଶୂଙ୍କୁ। ଅନ୍ୟ ଏକ ଘଟଣାରେ ବୃଦ୍ଧ ବାପାଙ୍କୁ ଛାଡ଼ି ପଳାଇଲେ ଦୁଇ ପୁଅ। ଏଭଳି କରୁଣ ତଥା ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ। ତାଳଚେର ଅଂଚଳର ଜୟନ୍ତୀ ସାହୁ(୫୦) କିଛି ବର୍ଷ ହେଲା ସ୍ତନକର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି। କିନ୍ତୁ କରୋନା ଜନିତ ଲକ୍‌ଡାଉନ ପାଇଁ ସେ ଚିକିତ୍ସା ପାଇଁ ଆସିପାରୁ ନଥିଲେ। ଫଳରେ ତାଙ୍କର ରୋଗ ବଢ଼ିଯାଇଥିଲା। ନିଜର ପୁଅ କି ସ୍ବାମୀ ନାହାନ୍ତି। କେବଳ ଦୁଇ ଝିଅ। ଫଳରେ ୫ଦିନ ତଳେ ଶାଶୂଙ୍କୁ ଚିକିତ୍ସା ପାଇଁ ଜ୍ବାଇଁ ଆଣି ଏଠାରେ ଛାଡି ଦେଲେ। ଗଲାବେ‌ଳେ କେବଳ ଏତିକି କହିଗଲେ, ‘ମୋ’ ପରିବାର ଅଛି ମୁଁ ଯାଉଛି’। ଏଭଳି ସ୍ଥିତିରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ବାରଣ୍ଡାରେ ଏକୁଟିଆ ପଡ଼ି ରହିଥିଲେ ଜୟନ୍ତୀ।

Sambad

ଖବରପାଇ ସମାଜସେବୀ ଅଭିମନ୍ୟୁ ଦାସ ପହଞ୍ଚି ଜୟନ୍ତୀଙ୍କୁ ଚିକିତ୍ସାର ହାତ ବଢାଇଛନ୍ତି। ସେହିପରି ଆଚାର୍ଯ୍ୟ ହରିହରରେ ଦେଖିବାକୁ ମିଳିଛି ଆଉ ଏକ କରୁଣ ଦୃଶ୍ୟ। କ୍ୟାନ୍‌ସର ହେବା ପରେ ଦୁଇ ପୁଅ ବାପାଙ୍କୁ ଚିକିତ୍ସା ପାଇଁ କର୍କଟ କେନ୍ଦ୍ରକୁ ଆଣି ଛାଡ଼ି ପଳାଇଥିଲେ। ନଭେମ୍ବର ୨୮ରେ କଟକ ଜିଲ୍ଲା ବଡ଼ମ୍ବାର ମହେନ୍ଦ୍ର ଗୋଚ୍ଛି(୬୦), ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଆସିଥିଲେ କର୍କଟ କେନ୍ଦ୍ରକୁ। ହେଲେ ବୃଦ୍ଧ ରୋଗୀଣା ବାପାଙ୍କ ସହ ମା’କୁ ଛାଡ଼ି ଦୁଇ ପୁଅ ପଳାଇଲେ। ରୋଗୀଣା ସ୍ବାମୀଙ୍କୁ ଧରି ସ୍ତ୍ରୀ ଅସହାୟ ଅବସ୍ଥାରେ ଗଛ ମୂଳରେ ବସିଥିଲେ। ଖବରପାଇ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ପହଞ୍ଚି କର୍କଟ ଆକ୍ରାନ୍ତ ବୃଦ୍ଧଙ୍କୁ ଚିକିତ୍ସା କରିବା ପାଇଁ କର୍କଟ କେନ୍ଦ୍ରରେ ଭର୍ତ୍ତି କରାଇବା ସହ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ବ୍ୟବସ୍ଥା କରାଇଥିଲେ। ବୃଦ୍ଧଙ୍କର ଗତକାଲି ସଫଳ ଅସ୍ତ୍ରୋପଚାର କରାଯାଇଥିବାବେଳେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ଏଭଳି ଅମାନବୀୟ ଘଟଣା ଦିନକୁ ଦିନ ବଢ଼ିଚାଲିଛି। ମାଗଣା ଚିକିତ୍ସା ମିଳୁଥିବା କାରଣରୁ ନିଜର ମାନବିକତା ହରାଇ ‌ପୁଅ, ଝିଅମାନେ ବୃଦ୍ଧ ବୟସରେ ବାପା-ମା’ଙ୍କ ସେବା କରିବା ବଦଳରେ ଛାଡ଼ି ପଳାଇବା ଭଳି ଘଟଣା ଆଚାର୍ଯ୍ୟ ହରିହର ଓ ଏସ୍‌ସିବିରେ ବଢ଼ିଚାଲିଛି। ଏଭଳି ରୋଗୀଙ୍କୁ ଅସହାୟ ରୋଗୀ ଭାବେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର