ବର୍ଷାରେ ବୁଡ଼ିବ ସହର! ଏମ୍‌ଏସ୍‌ଡବ୍ଲୁସିରେ ଜଳ ନିଷ୍କାସନ ବାଟ ବନ୍ଦ; ଏପଟେ ତାଳଦଣ୍ଡା କେନାଲ ବି ବନ୍ଦ

କଟକ: ସହରରୁ ବର୍ଷା ପାଣି ନିଷ୍କାସନ ପାଇଁ ସାହିବସ୍ତିର ଡ୍ରେନକୁ ସିଏମ୍‌ସି ପକ୍ଷରୁ ସଫା କରାଯାଉଛି। ହେଲେ ବକ୍ସ ଡ୍ରେନ କାମ ପାଇଁ ଏମ୍‌ଏସ୍‌ଡବ୍ଲୁସି-୧ ଡ୍ରେନକୁ ମାଟି ପକାଇ ଆବଧ କରାଯାଇଥିବା ବେଳେ ତାଳଦଣ୍ଡା କେନାଲ କାମ ପାଇଁ ମାତୃଭବନ ଗେଟକୁ ବନ୍ଦ ରଖାଯାଇଛି। ଓଡ଼ିଶାକୁ ମୌସୁମୀ ଛୁଇଁ ଥିବା ବେଳେ ଜାଇକା ଓ ଆରଆଣ୍ଡବି ପକ୍ଷରୁ କାମ ପାଇଁ ଅବରୋଧ ହୋଇଥିବା ମାଟିକୁ ହଟା ଗଲାନାହିଁ କି ଜଳ ନିଷ୍କାସନ ପାଇଁ ଗେଟ ଖୋଲାଗଲା ନାହିଁ। ସେପଟେ ମାତୃଭବନରୁ ଖାନନଗର ମଧ୍ୟରେ ଥିବା ମୁଖ୍ୟ ଡ୍ରେନରେ କେବଳ ବର୍ଷା ପାଣି ନିଷ୍କାସନର ବ୍ୟବସ୍ଥା କରାଯାଇ ଥିବା ବେଳେ ଏହାକୁ ଏବେ ଗଛଲତା ଆବଦ୍ଧ କରି ରଖିଛି। ଜୁନ୍‌ ଦ୍ବିତୀୟ ସପ୍ତାହରୁ ସେପ୍ଟମ୍ବର ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନରେ କାମ କରିବାକୁ ସିଏମ୍‌ସି ପକ୍ଷରୁ ଅନୁମତି ମିଳି ନଥାଏ। ମାତ୍ର ଏବେ ଜାଇକା ମୁଖ୍ୟ ଡ୍ରେନକୁ ଅବରୋଧ କରିଥିବା ବେଳେ ଏଥିପ୍ରତି ନିଗମ କର୍ତ୍ତୃପକ୍ଷଙ୍କ ନଜର ଯାଉ ନଥିବାର ଅଭିଯୋଗ ହୋଇଛି। ଏପରି ସମୟରେ ସହରରେ ଗୋଟିଏ ବଡ ବର୍ଷା ଜଳବନ୍ଦୀ ସମସ୍ୟାକୁ ଜଟିଳ କରିବାର ଆଶଙ୍କା ଦେଖାଯାଇଛି। ମହାନଗର ନିଗମ ଅଞ୍ଚଳରୁ ବାହାରୁ ଥିବା ମୋଟ ବର୍ଜ୍ୟଜଳର ୭୦ ପ୍ରତିଶତ ଏମ୍‌ଏସ୍‌ଡବ୍ଲୁସି-୧ ଡ୍ରେନରେ ନିଷ୍କାସନ ହୋଇଥାଏ। ଅନ୍ୟପଟେ ବର୍ଷା ଦିନରେ ଉକ୍ତ ଡ୍ରେନଟି ବର୍ଷା ଜଳ ନିଷ୍କାସନ କରିବାରେ ଏକ ବିଶେଷ ଭୂମିକା ନେଇଥାଏ।

ତେବେ ଏହା ଉପରେ ବକ୍ସ ଡ୍ରେନ କାମ ଚାଲୁ ଥିବାରୁ ଡ୍ରେନର ଛତ୍ରବଜାର କେନାଲ ରାସ୍ତା ଓ କଲ୍ୟାଣନଗର ଠାରେ ମାଟି ପକାଇ ପାଣିକୁ ଅଟକା ଯାଇଛି। ଉକ୍ତ ଡ୍ରେନ ଦେଇ ବର୍ଷା ପାଣି ମତ୍ତଗଜପୁର ପର୍ଯ୍ୟନ୍ତ ଯାଇଥାଏ। କଲ୍ୟାଣ ନଗର ଠାରେ ମାଟି ପକାଇ ପାଣିକୁ ଅଟକାଯାଇ ଥିବା ସମୟରେ ଏଠାରୁ ନୂଆବଜାର ପର୍ଯ୍ୟନ୍ତ ଡ୍ରେନଟି ଦଳରେ ଭରି ରହିଛି। ଏ ବାଟ ଦେଇ ବର୍ଷା ପାଣି ନିଷ୍କାସନ ହେବାର ସମସ୍ତ ବାଟ ଏବେ ବନ୍ଦ ରହିଛି। ସେପଟେ ତାଳଦଣ୍ଡା କେନାଲରେ କାମ ଚାଲୁ ଥିବାରୁ ମୁଖ୍ୟ ଡ୍ରେନ-୧ରୁ କେନାଲକୁ ସଂଯୋଗ କରୁଥିବା ଗେଟ୍‌କୁ ବନ୍ଦ ରଖାଯାଇଛି। ଏପରି ପରିସ୍ଥିତିରେ କେବଳ ମାତୃଭବନରୁ ଖାନନଗର ମୁଖ୍ୟ ଡ୍ରେନ ଦେଇ ସହରର ବର୍ଷା ଜଳ ନିଷ୍କାସନ ପାଇଁ ଏକ ମାତ୍ର ବାଟ ରହିଛି। ହେଲେ ଉକ୍ତ ଡ୍ରେନର ଉଭୟ ପାର୍ଶ୍ବରେ ମାଡ଼ି ଥିବା ଗଛଲତା ଡ୍ରେନକୁ ସଂକୁଚିତ କରିଛି। ଅନ୍ୟପଟେ ତାଳଦଣ୍ଡା କେନାଲ ବି ଜଳ ନିଷ୍କାସନର ଅନ୍ୟତମ ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ତାଳଦଣ୍ଡା କେନାଲର ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ପାଇଁ ଅବରୋଧ ହୋଇ ରହିଛି। ଏଭଳି ସ୍ଥିତିରେ ବଡ଼ ବର୍ଷାରେ ସିଏମସି କର୍ତ୍ତୃପକ୍ଷ କିଭଳି ସ୍ଥିତି ମୁକାବିଲା କରିବାରେ ସଫଳ ହେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର