କଂକ୍ରିଟ ଜଂଗଲରେ ହଜି ଯାଇଛି ସାଟେଲାଇଟ୍ ସହର ସ୍ବପ୍ନ
ସିଡିଏ: ୧୯୮୨ ମହାବନ୍ୟା ପରେ କଟକକୁ ମିଳିଥିଲା ଏକ ବଡ ଶିକ୍ଷା। ବିଡାନାସୀ ତ୍ରିକୋଣଭୂମି ଅଞ୍ଚଳରେ ନିର୍ମାଣ ହୋଇଥିଲା ଘେରିବନ୍ଧ। ଏଠାରେ ଅଭିନବ ବିଡାନାସୀ ଓ ମର୍କତନଗର ପରିକଳ୍ପନା କରାଯାଇଥିଲା। ଏହାକୁ ସଫଳ ରୂପ ଦେବା ପାଇଁ ୧୯୮୩ରେ ଗଠନ ହେଲା ସିଡିଏ ବା କଟକ ନଗର ଉନ୍ନୟନ କର୍ତୃପକ୍ଷ। ମର୍କତନଗରରେ ଲୋକଙ୍କୁ ପ୍ଲଟ ଯୋଗାଇ ଦେଇ ଏଠାରେ ଏକ ବାସଉପଯୋଗୀ ସାଟେଲାଇଟ ସହର ନିର୍ମାଣ କରି କଟକକୁ ଚାପମୁକ୍ତ କରିବାକୁ ଯୋଜନା ହୋଇଥିଲା। ଶେଷରେ ମର୍କତନଗରର ଜନ୍ମ ନେଲା। ସିଡିଏକୁ ବିଭିନ୍ନ ସେକ୍ଟରରେ ଭାଗ ଭାଗ କରାଯାଇଥିଲା। ଏଠାରେ ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ରହିବାକୁ ସୁଯୋଗ ଯେମିତି ମିଳିବ ସେଥିପାଇଁ ସବୁ ପ୍ରକାର ଯୋଜନା ହୋଇଥିଲା। ସିଡିଏକୁ ୧୫ଟି ସେକ୍ଟରରେ ବିଭକ୍ତ କରାଯାଇଥିଲ। ମାତ୍ର ଦୀର୍ଘ ୪ ଦଶନ୍ଧି ପରେ ଏହି ଯୋଜନା ଅଧା ହୋଇ ରହିଛି। ସମଗ୍ର ସେକ୍ଟରର ବିକାଶ ଏ ଯାଏ ସଂପୂର୍ଣ୍ଣ ହୋଇପାରିନି।
Sambad is now on WhatsApp
Join and get latest news updates delivered to you via WhatsApp
ସିଡିଏ ସେକ୍ଟର-୧ରୁ ୫ କିଛି ହାତ ଗଣତି ପ୍ରତିଷ୍ଠାନ ଥିଲେ ବି ୭୫ ଭାଗ ଜମି ଏବେ ବି ଜବରଦଖଲରେ ରହିଛି। ବସ୍ତି ଗଢି ଉଠିଛି। ଏହା ବିକ୍ଷିପ୍ତ ହୋଇ ପଡିରହିଛି। ମାତ୍ର ଆବାସିକ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିବା ସିଡିଏ ସେକ୍ଟର ୬ରୁ ୧୫ ବିକାଶ ହୋଇନାହିଁ। ଏବେ ବି ୩ଟି ସେକ୍ଟରରେ ଜନବସତି ହୋଇପାରିନାହିଁ। ଅନେକ ସ୍ବପ୍ନ ନେଇ ସିଡିଏରେ ଜମି କିଣି ଘର କରିଥିବା ଲୋକ ସାମାନ୍ୟ ସୁବିଧା ପାଇ ପାରୁନାହାନ୍ତି। ସିଡିଏରେ ସବୁଜିମା ନାହିଁ। କେବଳ ଏକ କଂକ୍ରିଟ ଜଂଗଲ ହୋଇ ରହିଛି। ଚୋରି ରାହାଜାନିରେ ଅସୁରକ୍ଷିତ ମନେ କରୁଛନ୍ତି ଲୋକେ। ସୁରକ୍ଷା ବ୍ୟବସ୍ଥା ପ୍ରତି କାହାର ନଜର ନାହିଁ। ଲୋକମାନେ ସେମାନଙ୍କ ମୌଳିକ ସୁବିଧା ପାଇ ପାରୁନାହାନ୍ତି। ସିଡିଏ ସେକ୍ଟର-୬ ଅଞ୍ଚଳରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା
ସଂକ୍ଷପରେ ସିଡିଏ ସେକ୍ଟର ୬
ସିଡିଏ ସେକ୍ଟର- ୬ରେ ସମୁଦାୟ ଅଞ୍ଚଳ ରହିଛି ୧୬୬.୬୩୫ ଏକର। ସେଥିରୁ ୧୦୮ ଏକର ଜମି ବିକ୍ରୟ ବା ଆବାସିକ ପାଇଁ ବ୍ୟବହୃତ ହୋଇଥିବା ବେଳେ ୫୦ ଏକର ସର୍ବସାଧାରଣ ବ୍ୟବହାର ( ରାସ୍ତା ପାଇଁ) ରଖାଯାଇଥିଲା। ସେଥିରେ ୬ଟି ପାର୍କ, ୧୮ଟି ଖୋଲା ଜାଗା, ମେଡିକାଲ ରହିଥିଲା। ଏଠାରେ ମୋଟ ୧୬୮୨ଟି ପ୍ଲଟ ବିକ୍ରି କରାଯାଇଥିଲା। ଦୁଇ ଏକର ଜମିକୁ କମର୍ସିଆଲ ପ୍ଲଟ ଭାବେ ବଣ୍ଟନ କରାଯାଇଥିଲା। ମାତ୍ର ଉପଯୋଗ ନହୋଇ ପାରି ଏବେ ବି ଏଠାରେ ବହୁ ପ୍ଲଟ ପଡି ରହିଛି।