କଟକ: ସହର ପରିମଳ ବାବଦରେ ମହାନଗର ନିଗମରେ ପ୍ରତିବର୍ଷ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ସହରର ଅନେକ ସ୍ଥାନରେ ଆଜି ବି ସିଏମ୍ସିର ସଫେଇ କର୍ମଚାରୀ କିମ୍ବା ଘରକୁ ଘର ଅଳିଆ ସଂଗ୍ରହ କରୁଥିବା ଗାଡି ପହଞ୍ଚୁ ନାହିଁ। ଏଭଳି ସ୍ଥିତିରେ ସିଏମ୍ସିର ୫୫ ନମ୍ବର ୱାର୍ଡର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡିଛି। ନିଗମର ସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାନିଟେସନ୍ ଦାୟିତ୍ବରେ ଥିବା ଡେପୁଟି କମିସନର, ୱାର୍ଡ ଅଫିସର ଓ ସାନିଟାରି ଇନ୍ସପେକ୍ଟରଙ୍କୁ ସାହିବସ୍ତିର ସଫେଇକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି କିଛି ସୁଫଳ ମିଳୁ ନଥିବା ସାହି ବାସିନ୍ଦା କହିଛନ୍ତି। ସିଏମ୍ସି ୱାର୍ଡ ନମ୍ବର ୫୫ର ଅନେକ ସ୍ଥାନକୁ ନିୟମିତ ସଫେଇ କର୍ମଚାରୀ ଆସୁନଥିବା ବେଳେ ନିଗମର ଅଳିଆ ସଂଗ୍ରହ ଗାଡି ମଧ୍ୟ ଏଠାକୁ ଆସୁନାହିଁ। ସିଏମ୍ସିରେ ୨୦୧୯ରୁ ଘରକୁ ଘର ବୁଲି ଅଳିଆ ଗାଡି ଅଳିଆ ସଂଗ୍ରହ କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମାତ୍ର ଏହା ମଧ୍ୟରେ ଯୋଜନାକୁ ୨ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ବି ୱାର୍ଡର ଭଗବତୀ ସାହି, ବାସୁଳେଇ ସାହି, ମାରୁତୀ ନଗର ଆଦି ସ୍ଥାନକୁ ଅଳିଆ ସଂଗ୍ରହ ଗାଡି ଯାଉ ନାହିଁ। ଉକ୍ତ ସାହିକୁ ସଫେଇ କର୍ମଚାରୀ ମଧ୍ୟ ନିୟମିତ ଆସୁ ନାହାନ୍ତି। ଏଭଳି ସ୍ଥିତିରେ ମାସ ମାସ ଧରି ସାହିର ବିଭିନ୍ନ ସ୍ଥାନରେ ଅଳିଆ ଗଦା ହୋଇ ରହୁଛି। ଏଥିରେ ସାହି ପରିବେଶ ଦୁର୍ଗନ୍ଧମୟ ହେବା ସହିତ ମଶା ବଂଶ ବୃଦ୍ଧି ପାଉଛି।
ବାରମ୍ବାର ଅଭିଯୋଗ ହେଲେ ୪-୫ ମାସରେ ଥରେ ଗୋଟିଏ ଟ୍ରାକ୍ଟର ପଠାଇ ନିଗମ ପକ୍ଷରୁ କୁଢ କୁଢ ଅଳିଆକୁ ଉଠାଯାଉଛି। ଗତ ଏକ ସପ୍ତାହ ଧରି ସ୍ଥାନୀୟ ବାସିନ୍ଦା ସିଏମ୍ସିର ସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରୁ ୱାର୍ଡ ଅଫିସର ପର୍ଯ୍ୟନ୍ତ ସମସ୍ତଙ୍କୁ ଏନେଇ ଯୋଗାଯୋଗ କରୁଥିଲେ ବି ନିଗମ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ୱାର୍ଡର କଟକ କଲେଜ ଓ ଗୌତମ ନଗରକୁ ଅଳିଆ ସଂଗ୍ରହ ଗାଡି ଆସୁଥିବା ବେଳେ ବାସୁଳେଇସାହି ନିକଟସ୍ଥ ଅଞ୍ଚଳକୁ ଏହା ଆସୁନାହିଁ। ସିଏମ୍ସି ସଫେଇ କର୍ମଚାରୀ କିମ୍ବା ଅଳିଆ ସଂଗ୍ରହ ଗାଡି ଆସୁ ନାହାନ୍ତି ବୋଲି ସାହିବାସିନ୍ଦା ଚନ୍ଦନ ଚାଟାର୍ଜି, ପ୍ରଦୀପ ସାହୁ, ଅାରତୀ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଅଭିଯୋଗ କରିଛନ୍ତି। କିନ୍ତୁ ସିଏମ୍ସି ନିକଟରେ ଅଭିଯୋଗ ପରେ ସ୍ଥାନୀୟ ଅଞ୍ଚଳରୁ ଟ୍ରାକ୍ଟରରେ ଅଳିଆ ଉଠାଯାଇ ଥିବା ନିଗମ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି।